ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇଥିଲା। ଫଳରେ ଗତକାଲି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଆଜି ପୁଣି ୧୬ଟି ଗେଟ୍ ଖୋଲାଯାଇଛି। ଗେଟ୍ ଖୋଲାଯିବା ପରେ ବଢିଲା ବନ୍ୟା ଆଶଙ୍କା। ମୁଣ୍ଡଳୀ ନିକଟରେ ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଦେବୀ ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବା ନେଇ ଚିନ୍ତା ବଢ଼ିଛି ।
ଦେବୀ ନଦୀର ବନ୍ୟା ଜଳ ବାଉରିଆକଣ ନିକଟରେ ଆଜି ସକାଳ ସୁଦ୍ଧା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ତେବେ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ଆଗକୁ ସ୍ଥିତି ଗମ୍ଭୀର ହେବା ଆଶଙ୍କା ରହିଛି । ସେପଟେ ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ରକୁ ବନ୍ୟା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ଫଳରେ ନଦୀରେ ଜଳସ୍ତର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ନଦୀ ଫୁଲିବା ଯୋଗୁଁ ଅସ୍ତରଙ୍ଗ ବ୍ଲକର ଦୁଇଟି ପଞ୍ଚାୟତର ଚାଷଜମିରେ ମଧ୍ୟ ବନ୍ୟା ଜଳ ପଶିଛି । ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ହୀରାକୁଦରୁ ଜଳ ନିଷ୍କାସନ ପରେ ମୁଣ୍ଡଳୀରେ ବଢ଼ୁଥିବା ଜଳ ପ୍ରବାହ ଏବଂ ଦେବୀ ନଦୀର ବଢ଼ୁଥିବା ଜଳସ୍ତର ଉପରେ ଏବେ ନଜର । ଆଗକୁ ବନ୍ୟା ପରିସ୍ଥିତି କେତେ ଗମ୍ଭୀର ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

