କଟକ: ମହାନଦୀରେ ପ୍ରବଳ ସ୍ରୋତ ଜାରି ରହିଛି। ତଳମୁଣ୍ଡକୁ ବନ୍ୟା ଭୟ ଘାରିଛି। ହୀରାକୁଦର ୨୨ଟି ଗେଟ୍ ଖୋଲିବା ପରେ ଉଛୁଳୁଛି ଶାଖା ନଦୀ। ଉବୁଟୁବୁ ଉପକୂଳ ଅଞ୍ଚଳ। ମୁଣ୍ଡଳୀ ଓ ନରାଜରେ ପାର କରିପାରେ ବିପଦ ସଙ୍କେତ। ସୁରକ୍ଷିତ ସ୍ଥାନକୁ ଯିବାକୁ ୫ଟି ଜିଲ୍ଲାର ନଦୀକୂଳିଆ ଲୋକଙ୍କୁ ସରକାର କରିଛନ୍ତି ଅପିଲ୍। ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସାଧାରଣଙ୍କ ପ୍ରବେଶ ନିଷେଧ।
ମୁଣ୍ଡଳୀରେ ପ୍ରତି ୩ ଘଣ୍ଟାରେ ପ୍ରାୟ ୧୦ ହଜାର କ୍ୟୁସେକ୍ ଜଳ କମୁଥିବା ବେଳେ ନଦୀରେ ସ୍ରୋତ ଏବେ ମଧ୍ୟ ତୀବ୍ର ରହିଛି। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବନ୍ୟା ଆଶ୍ରୟସ୍ଥଳୀରେ ଥିବା ବିପନ୍ନମାନଙ୍କୁ ଖାଦ୍ୟ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ କଟକ ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସତର୍କ ଦ୍ରୁଷ୍ଟି ଦେବାକୁ କୁହାଯାଇଛି ।
ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ସମସ୍ତ ନଦୀଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସେହିପରି ବାଲିଯାତ୍ରା ତଳ ପଡ଼ିଆରେ ସାଧାରଣ ଲୋକଙ୍କ ଯାତାୟାତ, ସମାବେଶ ଓ ଭିଡ଼ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି। ସେପଟେ ବଢୁଛି ହୀରାକୁଦ ଜଳସ୍ତର। ୬୨୫.୨୫ ଫୁଟରେ ରହିଛି ହୀରାକୁଦ ଜଳସ୍ତର। ପ୍ରତି ସେକେଣ୍ଡ ୪ଲକ୍ଷ ୫୨, ୫୫୬ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଛି। ଡ୍ୟାମରୁ ୩ଲକ୍ଷ ୮୯ହଜାର ୩୩ କ୍ୟୁସେକକ୍ୟୁସେକ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମରୁ ବର୍ତ୍ତମାନ ୨୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।


Comments are closed.