Latest Odisha News

BREAKING NEWS

ଫ୍ଲୋରେନ୍ସ ନାଇଟଏ​‌ଙ୍ଗେଲ ପୁରସ୍କାର ପାଇବେ ଏମକେସିଜି ନର୍ସ ଶିବାନୀ ଦାଶ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ୨୦୨୧ ବର୍ଷ ପାଇଁ ଏହି ସମ୍ମାନସ୍ପଦ ପୁରସ୍କାର ଦେବାକୁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ ନାମ ସୁପାରିସ କରାଯାଇଛି।

ଆଗାମୀ ଦିନରେ ରାଷ୍ଟ୍ରପତିଙ୍କ ଠାରୁ ଶିବାନୀ ଏହି ପୁରସ୍କାର ଗ୍ରହଣ କରିବେ। ଏମକେସିଜିର ପ୍ରଥମ ମହିଳା ନର୍ସ ଭାବେ ସେ ଏହି ପୁରସ୍କାର ଗ୍ରହଣ କରିବେ।

ବ୍ରହ୍ମପୁର ଲୋଚାପଡା ମେନ ରୋଡର ବାସିନ୍ଦା ତଥା ଯାଜପୁର ଟାଉନ କଣ୍ଟାବଣିଆରେ ଜନ୍ମିତ ଶିବାନୀ ଦାଶ ୨୦୦୭ ମସିହାରୁ ଏମକେସିଜିରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ କଲିକତାରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ।

ଅସହାୟ ରୋଗୀଙ୍କ ସେବା ତଥା ଅସୁବିଧାରେ ପଡ଼ିଥିବା ରୋଗୀଙ୍କ ସେବାରେ ରୁଚି ରଖୁଥିବା ଶିବାନୀ ଆଜି ପର୍ଯ୍ୟନ୍ତ ଅବିବାହିତା ରହିଛନ୍ତି। ନର୍ସିଂ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଶିବାନୀ କରୋନା ମହାମାରୀ ସମୟରେ ରୋଗୀଙ୍କ ସେବା କରି ବେଶ ଚର୍ଚ୍ଚାରେ ରହିଥିଲେ।

ଗଞ୍ଜାମ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା କରୋନା ରୋଗୀଙ୍କୁ ଆବଶ୍ୟକୀୟ ସେବା ଯୋଗାଇବାରେ ସେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଏମକେସିଜି କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କ ଦାଢି କାଟିବା, ସେମାନଙ୍କୁ ସଜାଇଦେବା ଭଳି କାର୍ଯ୍ୟରେ ଶିବାନୀଙ୍କ ଭୂମିକା ରହିଥିଲା। ଭିନ୍ନ ସମୟରେ ସେ କାର୍ଯ୍ୟରତ ଥିବା ଏମକେସିଜିର ବିଭିନ୍ନ ୱାର୍ଡରେ ଅସହାୟ ରୋଗୀଙ୍କୁ ନିଜର ଭାବି ସେବା କରି ଆସୁଥିଲେ।

ଆଉ ଏହି ସେବା ହିଁ ଆଜି ତାଙ୍କୁ ଦେଶର ଏହି ସମ୍ମାନସ୍ପଦ ପୁରସ୍କାର ପାଇଁ ମନୋନୀତ କରିଛି। ୨୦୨୧ ବର୍ଷ ପାଇଁ ଏମକେସିଜି କର୍ତ୍ତୃପକ୍ଷ ୫ ଜଣ ନର୍ସଙ୍କ ନାମ ସୁପାରିସ କରିଥିଲେ। ସେହି ୫ ଜଣଙ୍କ ଭିରେ ଶିବାନୀଙ୍କ ନାମ ରହିଥିଲା। ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ତାଙ୍କୁ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ସେହି କ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପରିଷଦ ପକ୍ଷରୁ ଗତ ମାସ ୩୦ ତାରିଖରେ ଅବଗତ କରାଯାଇଥିଲା। ଆଗାମୀ ଦିନରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ନିର୍ଦ୍ଧାରିତ ସଂସ୍ଥା ଦ୍ୱାରା ଶିବାନୀଙ୍କ ଭିଡିଓଗ୍ରାଫି ସୁଟିଂ ପାଇଁ ଶନିବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମକେସିଜି ଅଧୀକ୍ଷକଙ୍କ ନିକଟକୁ ଚିଠି ଲେଖାଯାଇଛି।

ରୋଗୀଙ୍କ ସେବା କରୁଛି ଓ କରୁଥିବି ଏବଂ ଡାକ୍ତରଖାନାକୁ ଆସୁଥିବା ସମସ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଶିବାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Leave A Reply

Your email address will not be published.