Latest Odisha News

ଆଜି ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ଓଡିଶା ମୁହାଁ ବିଜେପିର ଶୀର୍ଷ ନେତା । ଆସନ୍ତା ମେ’ ୬ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଆସିବେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏସ.ଜୟଶଙ୍କର । ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଳୀୟ କର୍ମୀଙ୍କୁ ଦେବେ ଗୁରୁ ମନ୍ତ୍ର ।

ସୂଚନା ଅନୁସାରେ, ଭୁବନେଶ୍ୱର ପହଞ୍ଚିବା ପରେ ବିଭିନ୍ନ ଖବର କାଗଜର ଏଡିଟରଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଏସ. ଜୟଶଙ୍କର । ଏହାପରେ ବୁଦ୍ଧିଜୀବୀଙ୍କ ସହ ସମ୍ମିଳନୀ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଜୟଶଙ୍କର କଟକଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ।

ସେପଟେ ଆସନ୍ତାକାଲି ଓଡିଶା ଗସ୍ତରେ ପୁଣିଥରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହ କଟକରେ ଆୟୋଜିତ କାର୍ଯ୍ୟକର୍ତ୍ତା ବୈଠକରେ ଦେବେ ଗୁରୁମନ୍ତ୍ର । ସେହିପରି ଆସନ୍ତା ୬ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରି ଦଳୀୟ କର୍ମୀଙ୍କ ପାଇଁ କରିବେ ନିର୍ବାଚନୀ ପ୍ରଚାର । ପ୍ରଥମେ ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସଭାରେ ସାମିଲ ହେବେ ମୋଦୀ । ଏହାପରେ ନବରଙ୍ଗପୁରରେ ଜନସଭାକୁ ସମ୍ୱୋଧିତ କରିବେ।

ସୂଚନାଯୋଗ୍ୟ ଯେ, ବିଜେପି ଫୋକସରେ ଏବେ ଓଡ଼ିଶା । ପ୍ରଚାର ପାଇଁ ଦିଲ୍ଲୀ ନେତାମାନେ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି । ଓଡ଼ିଶାରେ ବିଜେପି ଏଥର ଭଲ ପ୍ରଦର୍ଶନ କରିବା ପାଇଁ ଫୁଲ ଦମରେ ଲାଗି ପଡ଼ିଛନ୍ତି କେନ୍ଦ୍ରୀୟ ନେତୃତ୍ଵ । ସେଥି ପାଇଁ ରାଜ୍ୟରେ ବିଜେପି କର୍ମୀଙ୍କ ମନବଳ ଦୃଢ଼ କରିବା ପାଇଁ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ନେତାମାନେ ।

 

Leave A Reply

Your email address will not be published.