Latest Odisha News

BREAKING NEWS

ପାକିସ୍ତାନ ସୀମାରେ ପଶି ଆମ ସେନାକୁ ହତ୍ୟା କରୁଛି ଭାରତ: ଇମ୍ରାନ ଖାନ୍

ନୂଆଦିଲ୍ଲୀ: ଭାରତ ଉପରେ ଏକ ବଡ ଆରୋପ ଲଗାଇଛନ୍ତି ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ସୀମାରେ ପଶି ଭାରତ ତାଙ୍କର ସେନାଙ୍କୁ ହତ୍ୟା କରୁଛି । ଦେଶରେ ତଥା ଆଫଗାନିସ୍ତାନ ଏବଂ ଭାରତ ସୀମାରେ ଥିବା ଗୁରୁତର ସୁରକ୍ଷା ସ୍ଥିତି ସମ୍ବନ୍ଧରେ ମଧ୍ୟ ଇମ୍ରାନ ଖାନ ଚେତାବନୀ ଦେଇଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଏଭଳି ଅନେକ ବଡ ବଡ ଅଭିଯୋଗ କରିଛି । ଏପରିକି ଚଳିତ ବର୍ଷ ଜାନୁଆରୀରେ ପାକିସ୍ତାନ ଅଭିଯୋଗ କରାଯାଇଥିଲା ଯେ, ଭାରତ ନିଜ ମାଟିରେ ହିଁ ତାଙ୍କ ଲୋକଙ୍କୁ ହତ୍ୟା କରୁଛି ।

ରିପୋର୍ଟ ଅନୁସାରେ, ଦୁର୍ନୀତି ଅଭିଯୋଗରେ ରାୱଲପିଣ୍ଡିର ଆଡିଆଲା ଜେଲରେ ଥିବା ଇମ୍ରାନ ଖାନ କହିଛନ୍ତି ଯେ, ପାକିସ୍ତାନ ସେହି ଦିଗରେ ଗତି କରୁଛି ଯାହା ୧୯୭୧ ମସିହାର ବିଭାଜନର କାରଣ ହୋଇଥିଲା । ସେତେବେଳେ ପୂର୍ବ ପାକିସ୍ତାନକୁ ହରାଇବାକୁ ପଡିଥିଲା, ଯାହା ବର୍ତ୍ତମାନ ବାଂଲାଦେଶରେ ପରିଣତ ହୋଇଛି । ଦେଶର ଏଭଳି ପରିସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସେନାକୁ ଦାୟୀ କରିଛନ୍ତି । ଏପରିକି ପାକିସ୍ତାନୀ ସେନା ତାଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଭଳି ଏକ ଜଘନ୍ୟ ଅଭିଯୋଗ ମଧ୍ୟ କରିଛନ୍ତି ।

ଇମ୍ରାନ ଖାନ ଆହୁରି ମଧ୍ୟ କହିଛନ୍ତି ଯେ, “ବାଲୁଚିସ୍ତାନରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ବଢିବାରେ ଲାଗିଛି । ହଠାତ୍ ଲୋକମାନଙ୍କର ନିଖୋଜ ହେବା ପ୍ରସଙ୍ଗ ବଢିବାରେ ଲାଗିଛି, ଯାହା ଗମ୍ଭୀରତାର ବିଷୟ ପାଲଟିଛି । ପାକିସ୍ତାନ ସୀମା ବିଷୟରେ କହିବାକୁ ଗଲେ ଭାରତ ପ୍ରଥମରୁ ହିଁ ସୀମା ଭିତରେ ପଶି ସେନାକୁ ହତ୍ୟା କରିଥିବା କଥା ସ୍ଵୀକାର କରିସାରିଛି । ଆଫଗାନିସ୍ତାନ ସହିତ ଅନ୍ତର୍ଜାତୀୟ ସୀମାରେ ପରିସ୍ଥିତି ଅସ୍ଥିର ରହିଛି ।

ତେବେ ତାଙ୍କର ଏପରି ଅବସ୍ଥା ପଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶର ସାମରିକ ପ୍ରତିଷ୍ଠାନ ତଥା ପାକିସ୍ତାନୀ ସେନାକୁ ଦାୟୀ କରିଛନ୍ତି । ସେ ଦାବି କରିଛନ୍ତି ଯେ, ବର୍ତ୍ତମାନ କେବଳ ତାଙ୍କୁ ହତ୍ୟା କରିବା ବାକି ଅଛି । ଯଦି ତାଙ୍କର କିମ୍ବା ତାଙ୍କ ପତ୍ନୀଙ୍କର କିଛି ବି ହୁଏ ତେବେ ଏଥିପାଇଁ ସେନାର ମୁଖ୍ୟ ଜେନେରାଲ ଅସୀମ ମୁନିର୍ ଦାୟୀ ରହିବେ ବୋଲି କହିଛନ୍ତି ଇମ୍ରାନ ।

 

Leave A Reply

Your email address will not be published.