Latest Odisha News

BREAKING NEWS

ନୂଆ ରୂପରେ ଝଲସିବ ଭୁବନେଶ୍ୱର ରେଳ ଷ୍ଟେସନ, କାଲି ଭିତ୍ତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ରେଳମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ପାଇବ ନୂଆ ରୂପ । ବିଶ୍ୱସ୍ତରୀୟ ଷ୍ଟେସନ ହେବ ଭୁବନେଶ୍ୱର । ଆସନ୍ତାକାଲି ଗୁରୁବାର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷ୍ୟରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ସ୍ଥାନ ପାଇଛି । ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କାର୍ଯ୍ୟ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ୟ ରଖା ଯାଇଛି ।

ସେହିଭଳି ୧୪ କିଲୋମିଟର ଦୈର୍ଘ୍ୟ ଅନୁଗୁଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ । ଏହା ବିଭିନ୍ନ ଶିଳ୍ପ ସଂସ୍ଥା ବିଶେଷ ଭାବେ ପାୱାର ହାଉସ ମାନଙ୍କୁ ସହାୟତା ଯୋଗାଇବ ।  ଏହା ମଧ୍ୟ ଏହି ଅଞ୍ଚଳର ଉନ୍ନତି ସଙ୍ଗେସଙ୍ଗେ ଦେଶର ଆର୍ଥିକ ବିକାଶରେ ନୂତନ ଅଧ୍ୟାୟ ଯୋଡ଼ିବ ।

ଜନସାଧାରଣଙ୍କ ଦୀର୍ଘଦିନର ଆକାଂକ୍ଷା ଥିବା ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର ଓ ଶାଲିମାର (କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନ ପ୍ରଚଳନ କରାଯିବ । ଯାହାକି ଯାତ୍ରୀ ମାନଙ୍କର ବହୁ ଦିନର ଆଂକାକ୍ଷା ପୁରଣ କରିବ । ଏହି ଅଞ୍ଚଳର ଯାତ୍ରୀମାନଙ୍କ ସୁବିଧା ତଥା ଆରାମଦାୟକ ଯାତ୍ରା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ସେବାର ଫଳାଫଳ । ଏହାଦ୍ୱାରା ଯାତ୍ରୀମାନେ ଏଣିକି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଆଉ ମଧ୍ୟବର୍ତ୍ତୀ ସ୍ଥାନରୁ ଅନ୍ୟ ପରିବହନ ଉପରେ ନିର୍ଭର କରିବେ ନାହିଁ ।

ଉଭୟ ନୂତନ ଟ୍ରେନ୍ ସେମାନଙ୍କର ଡିସେମ୍ବର ୨୯ରୁ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିବେ । 20832/20831 ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ୍ ୨୦୨୩ ଜାନୁଆରୀ ୩ରୁ ସମ୍ବଲପୁର ଠାରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ଦିନ ରାତି ୭ଟା ୧୦ରେ ଛାଡ଼ି ଶାଲିମାରକୁ ଯାତ୍ରା କରିବ । ସେହିଭଳି ଜାନୁଆରୀ ୪ରୁ ଶାଲିମାର ଠାରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ମାନଙ୍କରେ ରାତି ୯ଟା ୨୫କେ ଛାଡ଼ି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।

ସେହିଭଳି 08416/08415 ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ପୁରୀରୁ ଡିସେମ୍ବର ୩୧ ତାରିଖ ଠାରୁ ପ୍ରତିଦିନ ଅପରାହ୍ଣ ୧ଟା ୧୫ ମିନିଟରେ ଛାଡ଼ି ଜଳେଶ୍ୱର ଯାତ୍ରା କରିବ । ଜାନୁଆରୀ ପହିଲାରୁ ଜଳେଶ୍ୱର ଠାରୁ ସକାଳ ୪ଟା ୫୦ ମିନଟରେ ପୁରୀ ଅଭିମୁଖେ ବାହାରିବ ।

Leave A Reply

Your email address will not be published.