Latest Odisha News

BREAKING NEWS

ବାତ୍ୟା ପ୍ରପୀଡ଼ିତଙ୍କ ଲାଗି ହାତରେ ଥାଳି ଧରି ସାହାଯ୍ୟ ମାଗିଲେ ଗଜପତିର ମହିଳା ଏସପି

ପାରଳାଖେମୁଣ୍ଡି: ବାତ୍ୟାର ତାଣ୍ଡବଲୀଳା ପରେ ଏପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ଅନେକ ବିପନ୍ନ ଅସହାୟ ହୋଇପଡ଼ିଛନ୍ତି । ବାତ୍ୟାରେ ଯେଉଁପରି ଭାବେରେ ଧନ ଜୀବନର କ୍ଷୟକ୍ଷତି ଘଟିଛି ତାହାର ଚିତ୍ର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, କଟକ ଏହିପରି ରାଜ୍ୟର ୧୪ଟି ଜିଲ୍ଲାରେ ଦେଖିବାକୁ ମିଳୁଛି । ଖୋଦ୍ ରାଜ୍ୟର ରାଜଧାନୀରେ ଅନେକ ଅଞ୍ଚଳ ଏଯାଏଁ ଗାଢ ଅନ୍ଧକାର ମଧ୍ୟରେ ରହିଛି । ପୁରୀ ସହରର ନୋଳିଆସାହି ହେଉ କି ପେଣ୍ଠକଟା ପରି ଅଧିକାଂଶ ଅଞ୍ଚଳରେ ବାତ୍ୟାର ଭୟାବହ ଦୃଶ୍ୟ ଛାତିକୁ ଥରାଇ ଦେଉଛି । କେତେକ କହୁଛନ୍ତି ଭୁବନେଶ୍ୱର, ପୁରୀ, କଟକ, ଖୋର୍ଦ୍ଧା ଓ ଜଟଣୀରେ ଏହି ବାତ୍ୟା ମହାବାତ୍ୟାଠୁଁ ବଳି ଯାଇଛି ।


ଓଡ଼ିଶାର ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଡ଼ୋଶୀ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରୁ ଅନୁକମ୍ପା ତଥା ସହଯୋଗର ହାତ ଲମ୍ବିବାରେ ଲାଗିଛି । ମାନବିକତାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ମହିଳା ଏସପି ସାରା ଶର୍ମା ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କରିବାକୁ ଅଭିନବ ଢଙ୍ଗରେ ନିଜକୁ ସାମିଲ୍ କରିଛନ୍ତି । ଏସପି ସାରା ଶର୍ମା ଜିଲ୍ଲାର ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହିତ ଘରକୁ ଘର ଦୋକାନକୁ ଦୋକାନ ବୁଲି ବାତ୍ୟା ପ୍ରପୀଡ଼ିତଙ୍କ ଲାଗି ପାଣ୍ଠି ଯୋଗାଡ଼ରେ ଲାଗି ପଡ଼ିଛନ୍ତି । ବାତ୍ୟା ପ୍ରପୀଡ଼ିତଙ୍କ ଲାଗି ସହାୟତା ରାଶି ମାଗି ଚାଲିଛନ୍ତି ଏସପି ସାରା ଶର୍ମା ।

ବାତ୍ୟା ବିପନ୍ନଙ୍କ ଲାଗି ନିଜେ ଏସପି ମଧ୍ୟ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀମାନେ ନିଜ ଗୋଟିଏ ଦିନର ଦରମାକୁ ଏହି ବାତ୍ୟା ବିପନ୍ନ ପାଣ୍ଠିକୁ ଦାନ କରିଛନ୍ତି ।

ଭୟଙ୍କର ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଓଡ଼ିଶାର ଅନେକ ସ୍ଥାନରେ ଏବେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବାତ୍ୟା ପ୍ରପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ତତ୍ପରତା ପ୍ରକାଶ ପାଇଛି । ତେବେ ଏହି ପରି ଓଡ଼ିଶାର ଏକ ଦୁର୍ଦ୍ଦିନ ସମୟରେ ମହିଳା ଏସପି ସାରା ଶର୍ମାଙ୍କ ପରି ଅନେକ ବ୍ୟକ୍ତି ବିଶେଷଙ୍କ ମହାନୁଭବତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.