Latest Odisha News

BREAKING NEWS

ଗଞ୍ଜାମରେ କରୋନା ମୁକାବିଲା ପାଇଁ ଫିଭର କ୍ଲିନିକ; ମାସ୍କ ବ୍ୟବହାର ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: ରାଜ୍ୟର କେତେକ ଅଞ୍ଚଳରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବ ଦେଖା ଦେଇନାହିଁ। ତଥାପି ଆଗୁଆ ପ୍ରସ୍ତୁତ ହୋଇଯାଇଛି ଗଞ୍ଜାମ ଜିଲା ପ୍ରଶାସନ। ମାସ୍କ ପିନ୍ଧିବା ସହିତ କରୋନା ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।

ମଙ୍ଗଳବାର ଏ ସଂପର୍କରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପକ୍ଷରୁ କରୋନା ମୁକାବିଲା ନେଇ ଏସ୍‌ଓପି ଜାରି କରାଯାଇଛି । ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକାନ୍ତ ବାସ(ଆଇସୋଲେସନ) ୱାର୍ଡ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ।

ସେହିଭଳି ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫିଭର କ୍ଲିନିକ(ଜ୍ୱର ଚିକିତ୍ସା) ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ମାନବ ସମ୍ବଳ ନିୟୋଜିତ ହେବେ । ଜିଲାରେ କରୋନା ପରୀକ୍ଷାକୁ ବୃଦ୍ଧି କରାଯିବ। ଦୈନିକ ୭୦ଟି ଆଣ୍ଟିଜେନ୍‌ ଏବଂ ୩୦ଟି ଆର୍‌ଟିପିସିଆର ପରୀକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବ୍ରହ୍ମପୁର ମହାନଗର ନିଗମ ସ୍ତରରେ ଯାଞ୍ଚ ଏବଂ କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ରାପିଡ୍‌ ଆକ୍ସନ ଟିମ୍‌(ଆରଆରଟି) ଦାୟିତ୍ୱରେ ରହିବେ । ଆଶା, ଅଙ୍ଗନୱାଡ଼ି ଏବଂ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ପରୀକ୍ଷା ଏବଂ ଅନ୍ୟାନ୍ୟ ବିଷୟରେ ତାଲିମ୍‌ ପ୍ରଦାନ କରାଯିବ।

ଜିଲାର ସମସ୍ତ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସଂପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଏହାର ଦାୟିତ୍ୱ ନେବେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ମଙ୍ଗଳ ଅଧିକାରୀମାନେ ଏ ଦିଗରେ ସହଯୋଗ କରିବେ । ସେହିଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ୬ ଫୁଟ ସାମାଜିକ ଦୂରତା ପାଳନ କରିବା ଏବଂ ନିୟମିତ ହାତ ଧୋଇବା ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.