Latest Odisha News

BREAKING NEWS

ଗଞ୍ଜାମ ବସ୍ ଦୁର୍ଘଟଣା: ଶକ୍ତି ବିଭାଗ, ଡ୍ରାଇଭରଙ୍କୁ ଦାୟୀ କଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ବରଯାତ୍ରୀ ବସରେ ନିଆଁଲାଗି ୯ ଜଣଙ୍କ ମୃତ୍ୟୁ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର ।

ଏହି ଦୁର୍ଘଟଣାରେ ଶକ୍ତି ବିଭାଗକୁ ଦୋଷ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମ ଆଗରେ କହିଛନ୍ତି, “ଆମେ ବୁଝିପାରୁନୁ ଯେ ୧୧ କେଭି ବିଦ୍ୟୁତ୍ ତାର ଏତେ ତଳକୁ କିଭଳି ଝୁଲି ରହିଥିଲା । ତେବେ ଏନେଇ ଗ୍ରାମବାସୀ ସାଉଥକୋର ଦୃଷ୍ଟି ଆକର୍ଷଣ କରିଥିବା ନେଇ ଅଭିଯୋଗ କରୁଥିବା ବେଳେ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ” ।

ଏହି ଦୁର୍ଘଟଣା ଲାଗି ମନ୍ତ୍ରୀ ସମ୍ପୃକ୍ତ ବସ ଚାଳକଙ୍କ ବେପୁରିଆମୀକୁ ମଧ୍ୟ ସମ-ଦାୟୀ କରିଛନ୍ତି । “୧୧ କେଭି ବିଦ୍ୟୁତ୍ ତାର ତଳକୁ ଝୁଲିଥିବା ଦେଖି ଡ୍ରାଇଭର ଜଣକ ଗାଡିକୁ ଅଟକାଇ ଦେବା ଆବଶ୍ୟକ ଥିଲା । ମୁଁ ଆଞ୍ଚଳିକ ପରିବହନ ଅଫିସରଙ୍କୁ ଉକ୍ତ ବସର ପରମିଟ୍ ସମ୍ପର୍କରେ ଯାଞ୍ଚ ତଥା ଏକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛି” ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍ ଲି. (ଓପିଟିସିଏଲ)ର ପ୍ରବନ୍ଧ ନିର୍ଦ୍ଦେଶକ ସୌରଭ ଗର୍ଗ କହିଛନ୍ତି, “ଆମେ ଏସମ୍ପର୍କରେ ସାଉଥକୋକୁ ଅବଗତ କରାଇଛୁ ଏବଂ ଅଘଟଣ ଘଟିବା ସମୟରେ ତଳୁ ଉକ୍ତ ବିଦ୍ୟୁତ ତାରର ଉଚ୍ଚତା କେତେ ରହିଥିଲା, ସେନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ମଧ୍ୟ କହିଛୁ । ପରବର୍ତ୍ତୀ ସମୟରେ ଉକ୍ତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ” ।

ଉଲ୍ଲେଖଯୋଗ୍ୟ, ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ତୁଳୁ ରୋଡ ନିକଟ ଡକଂଲପଡା ଠାରେ ଏକ ବରଯାତ୍ରୀ ବସରେ ପାଖାପାଖି ୪୦ ଜଣ ବରଯାତ୍ରୀ ଥିବାବେଳେ କୌଣସି କାରଣବଶତଃ ବସରେ ନିଆଁ ଲାଗିଯାଇଥିଲା । ଏଥିରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଥିବା ଜଣାପଡିଛି । ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.