Latest Odisha News

ମଝିଆ ପୁଅ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

ମହାଭାରତରେ ମଧ୍ୟମ ପୁତ୍ର ପ୍ରସଙ୍ଗ ପ୍ରାୟ ସମସ୍ତଙ୍କୁ ଜଣା । ପାଣ୍ଡବମାନଙ୍କ ବନବାସ କାଳରେ ଯେତେବେଳେ ଘଟୋତ୍କଚ ତାର ମାଆ ହିଡ଼ିମ୍ବାର ପୂଜା ଅବସାନ ପାଇଁ ବଳିଦେବା ଲାଗି ନରବଳି ଖୋଜୁଥିଲା, ସେତିକିବେଳେ ପାଇଥିଲା ଗୋଟିଏ ଗରିବ ବ୍ରାହ୍ମଣ ପରିବାରକୁ । ତିନି ପୁଅରୁ ଗୋଟିଏ ପୁଅକୁ ନେବା ପାଇଁ ଘଟୋତ୍କଚ ପ୍ରୟାସ କଲାବେଳେ ବଡ଼କୁ ବାପା ଓ ସାନପୁଅକୁ ମାଆ ନିଜର କରିନେଲେ । ମଝିଆ ପୁଅକୁ କେହି ପଚାରିଲେ ନାହିଁ । ଆଉ ସେହି ମଝିଆ ପୁଅ ବା ମଧ୍ୟମ ପୁତ୍ରକୁ ଘଟୋତ୍କଚ ନେଇ ବାହାରିଲା ବେଳେ ସାମ୍ନା ହୋଇଥିଲା ମହାବଳୀ ଭୀମଙ୍କ ସହିତ । ବ୍ରାହ୍ମଣ ପୁତ୍ରଠାରୁ ସବୁ କଥା ଶୁଣିବା ପରେ ମଧ୍ୟମ ପାଣ୍ଡବ ଭୀମ, ନିଜେ ମଧ୍ୟମ କୁମର ଓ ସେ ଘଟୋତ୍କଚଙ୍କ ସହିତ ଯାଇ ଯୂପକାଠରେ ନିଜକୁ ବଳିଦେବା ପାଇଁ ପ୍ରସ୍ତୁତ ବୋଲି କହିବା ସହିତ, ସମ୍ପୃକ୍ତ ବ୍ରାହ୍ମଣ କୁମାରକୁ ବଞ୍ଚାଇଥିଲେ । ତା ସହିତ ହିଡ଼ିମ୍ବା ନିକଟରେ ପହଞ୍ଚିବା ପରେ, ଭୀମଙ୍କୁ ପାଇ ହିଡ଼ିମ୍ବାର ମନୋବାଞ୍ଛା ପୂରଣ ହେବା ଏବଂ ଘଟୋତ୍କଚକୁ ପିତୃପରିଚୟ ମିଳିବା ଏକ ସର୍ବକାଳୀନ ମହାଭାରତ କାହାଣୀ ।

ଏମିତି ହିଁ କିଛି ମଧ୍ୟମ କୁମର ବା ମଝିଆ ପୁଅ ମିଳିବେ ଆମକୁ ସବୁଠି, ସବୁ ସ୍ଥାନରେ । ବୈକୁଣ୍ଠପୁର ଗାଁର ଏମିତି ହିଁ ଦୁଇ ଜଣ ମଝିଆ ପୁଅଙ୍କ କାହାଣୀ ପ୍ରାୟ ଏକାଭଳି । ଜଣେ କରୁଣାକର ରଣସିଂହ ଏବଂ ଆଉ ଜଣେ ନିରଞ୍ଜନ ଦଳପତି । ଉଭୟଙ୍କ ଜୀବନ ସ୍ରୋତ, କହିବାକୁ ଗଲେ ଗୋଟିଏ ଦିଗରେ ହିଁ ବହିଛି । ତେବେ ଏ ଉଭୟଙ୍କ ମଧ୍ୟରେ ତାରତମ୍ୟ ଏତିକି ଯେ, ଦୁଇ ଜଣ ଦୁଇଟି ଭିନ୍ନ ପିଢ଼ିର ମଣିଷ । ଦୁହିଁଙ୍କ ଭିତରେ ପାଖାପାଖି କୋଡ଼ିଏ ବର୍ଷର ଫରକ୍ ।

ବୈକୁଣ୍ଠପୁର ଗାଁ ସରପଞ୍ଚଙ୍କ ପୁଅ ବାହାଘର ଚାଲିଥାଏ । ଅଶୀ ଦଶକରେ ବାହାଘର । ସେତେବେଳେ ବ୍ୟାଣ୍ଡ ବାଜା ନୁହେଁ, ବରଂ ଗାଁରେ ବାହାଘର ପଟୁଆରରେ ବାଜୁଥିଲା କାହାଳୀ, ତେଲିଙ୍ଗି ବାଇଦ, ଢୋଲ, ତା ସାଙ୍ଗକୁ ଗାଁ ଦାଣ୍ଡରେ ବଢ଼ିଲା ଟୋକାଙ୍କଠୁ ନେଇ ଯୁବକ ଏବଂ ପ୍ରୌଢ଼ମାନେ ବିଭିନ୍ନ ଖେଳ କସରତ ପ୍ରଦର୍ଶନ କରିବା ଥିଲା ସମସ୍ତଙ୍କ ପାଇଁ ଏକ ବଡ଼ ମନୋରଞ୍ଜନର ମାଧ୍ୟମ । ଏଥିପାଇଁ ପ୍ରାୟ ଅଧିକାଂଶ ଗାଁ ଦାଣ୍ଡରେ ପଡ଼ିଥାଏ ବଡ଼ ବଡ଼ ଗୋଲ୍ ମୁଗୁନି ପଥର । ସରପଞ୍ଚ ପୁଅର ବାହାଘର ପଟୁଆରରେ କିନ୍ତୁ ସେଥର ପ୍ରଦର୍ଶିତ ହେଉଥିଲା ପାଇକ ଆଖଡ଼ା । ପାଇକପୁଅମାନେ କେତେ କଣ କୁସ୍ତି, ମଲ୍ଲଯୁଦ୍ଧ, ଖଣ୍ଡା ଯୁଦ୍ଧ ଓ ଅନ୍ୟାନ୍ୟ ଯୁଦ୍ଧ କୌଶଳ ପ୍ରଦର୍ଶନ କରୁଥିଲେ । ଗାଁ ମାଇପେ ମୁଣ୍ଡରେ ଓଢ଼ଣା ଦେଇ ବାରଣ୍ଡା ଉପରେ ହିଁ ରହି ଦେଖୁଥାନ୍ତି ସେ ଦୃଶ୍ୟକୁ । ପିଲାମାନଙ୍କ ଆନନ୍ଦ ତ କହିଲେ ନସରେ । ପାଇକମାନେ ବି ଖୁବ୍ ଆନନ୍ଦ ଓ ଉଲ୍ଲାସର ସହ ନିଜର କଳା କୌଶଳ ଦେଖାଉଥାନ୍ତି । ଏତିକି ବେଳେ ସେମାନଙ୍କୁ ଗାଁ ମଝିରେ ହିଁ ଅଟକାଇ ଦେଇଥିଲା ବୈକୁଣ୍ଠପୁର ଗାଁର ସେତେବେଳର ନାଁକରା ପହିଲିମାନ ନିରଞ୍ଜନ ଦଳପତି । ଗାଁ ମଝିରେ ପଡ଼ିଥିବା ଗୋଲ୍ ମୁଗୁନି ପଥରଟାକୁ ପଟୁଆର ସାମ୍ନାକୁ ଗଡ଼ାଇ ଦେଇ କହିଲା, ଏ ପଥରକୁ କେହି ଟେକିପାରିବ? ସତେ ଯେମିତି ସେ ଆହ୍ୱାନ ଦେଉଥିଲା ସମସ୍ତଙ୍କୁ । ତା କଥାକୁ ବାହାରୁ ଆସିଥିବା ଭେଣ୍ଡାମାନେ ବି ବଡ଼ ଗୁରୁତ୍ୱର ସହ ନେଲେ । ସମସ୍ତଙ୍କୁ ଲାଗିଲା ସତେ ଯେମିତି ସେମାନଙ୍କ ପୌରୁଷକୁ ଏହା ଏକ ଆହ୍ୱାନ । ତେଣୁ କିଏ ସାର୍ଟ ଖୋଲି, ତ ଆଉ କିଏ କଛାଟାକୁ ଆଣ୍ଟକରି ବାନ୍ଧି, ଗାମୁଛାକୁ ଅଣ୍ଟାରେ ଭିଡ଼ି ସେ ପଥର ଟେକିବାରେ ଲାଗିପଡ଼ିଲେ ।

ଜଣକ ପରେ ଜଣେ, ଏମିତି ସମସ୍ତେ ନିଜର ଭାଗ୍ୟ ପରୀକ୍ଷା କରିବାରେ ମାତି ଯାଇଥିଲେ । ଲାଗୁଥିଲା ଯେମିତି, କାଣ୍ଡବିନ୍ଧି ନପାରି ସ୍ୱୟଂବର ସଭାରେ ଏମାନେ ଦ୍ରୌପଦୀକୁ ହରାଇବାକୁ ଯାଉଛନ୍ତି । ୩୫ ବର୍ଷୀୟ ନିରଞ୍ଜନ ଦଳପତିର ଏ ଆହ୍ୱାନ ସେତେବେଳେ ସରପଞ୍ଚଙ୍କୁ ଟିକିଏ ଅଡୁଆ ଲାଗୁଥିଲା । କାରଣ ଗାଁ ମଝିରେ ଅଟକି ରହିଥିଲା ବର ପଟୁଆର । ଆଉ ଜଣକ ପରେ ଜଣେ ଭେଣ୍ଡିଆ ଲାଗିପଡ଼ିଥିଲେ ପରୀକ୍ଷା ଦେବାରେ, ପଥର ଟେକିବାରେ । ଏତିକି ବେଳେ ଲୋକଗହଳି ଭିତରୁ ଶୁଭିଲା କରୁଣାକର ରଣସିଂହଙ୍କ କଣ୍ଠସ୍ୱର । ପଞ୍ଚାବନ ବର୍ଷୀୟ ରଣସିଂହେ କହୁଥିଲେ, ତମେ ସବୁ କେହି ଢିଙ୍କିକୁଟା ଚାଉଳର ଭାତ ଖାଇନ । ଭେଣ୍ଡା ହେଲେ କଣ ହେଲା, ଦେହରେ ବଳଥିଲେ ତ ପଥର ଟେକିବ? ଏତକ କହି ନିଜ ଅଣ୍ଟାରେ ଗାମୁଛାଟା ଭିଡ଼ିଦେଇ ଗୋଟିଏ ଝଟକାରେ ସେ ପଥରଟାକୁ କାନ୍ଧ ଉପରକୁ ଟେକିଦେଇ ପିଠି ପଟେ ତଳକୁ ପକାଇଦେଲେ କରୁଣାକର । ବାସ୍ .. ପିଲାରୁ ବୁଢ଼ା ସମସ୍ତଙ୍କ ତାଳି ମାଡ଼ର ଶବ୍ଦରେ କ୍ଷୀଣ ହୋଇଯାଉଥିଲା ଢୋଲ, ତେଲିଙ୍ଗି ବାଇଦ ଓ କାହାଳୀର ଶବ୍ଦ ।

ସେତେବେଳକୁ ନଛୋଡ଼ବନ୍ଦା ନିରଞ୍ଜନ ସେହି ସ୍ଥାନକୁ ଗଡ଼ାଇ ଆଣିଥିଲା ଦୁଇଟି ଶଗଡ଼ ଚକ । ଗୋଟିଏ ଗୋଟିଏ ଚକ ମଣିଷ ଉଚ୍ଚତାର । ସର୍ତ୍ତ ଥିଲା ସେହି ଶଗଡ଼ ଚକର ଯେକୌଣସି ଦୁଇଟି ଅର ଭିତରେ ବେକ ପୂରାଇ ପୂରା ଚକକୁ ନିଜ ବେକରେ ଧରି ଘୂରାଇବାକୁ ହେବ । ଅନେକ ପୁଣି ଲାଗିପଡ଼ିଲେ ସେହି ଚେଷ୍ଟାରେ । ଶଗଡ଼ ଚକକୁ ସିନା ଠିଆ କରାଇ ସିଧା କରିଦେଇ ପାରୁଥିଲେ, ହେଲେ କେହି ବି ତାକୁ ବେକରେ ଧରି ଘୂରାଇ ପାରୁନଥିଲେ । ଏତିକି ବେଳେ କରୁଣାକର ରଣସିଂହ କହିଲେ, ଆରେ ଏ ଚକକୁ ବେକରେ ଉଠାଇବା କଥା କଣ କହୁଛୁ, ପୂରା ଶଗଡ଼ଟାକୁ ଏକୁଟିଆ ନିଜେ ନିଜେ ଭାଙ୍ଗି ଗଡ଼ ଗଡ଼ କରି, ବିନା କାହାରି ସହାୟତାରେ ପୁଣି ଥରେ ଯୋଡ଼ିଦେଇ ପାରିବି । ଏତକ କହି, ସେ ନିଜ ବେକରେ ଶଗଡ଼ ଚକଟାକୁ ଧରି ଘୂରାଇବାରେ ଲାଗିଲେ । ଦୃଶ୍ୟମାନ ହେଉଥିଲା ସତେ ଯେମିତି ସପ୍ତରଥୀଙ୍କ ଗହଣରେ ଅଭିମନ୍ୟୁ ରଥଚକକୁ ଘୂରାଇ ବୁଲୁଛି । ଏତିକି ବେଳେ ଅନ୍ୟ ଚକଟିକୁ ନିରଞ୍ଜନ ଦଳପତି ନିଜ ବେକରେ ଉଠାଇ ଅନୁରୂପ ଭାବରେ ଘୂରାଇବାରେ ଲାଗିଲା । ଉଭୟଙ୍କ ବଳ ଓ କୌଶଳକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଥାନ୍ତି । ତେଣେ ସରପଞ୍ଚ କହିଲେ, ହଉ ହଉ, ୟାକୁ ଏଇଠି ବନ୍ଦ କର । ଆଗକୁ ଯିବା । ତା ପରେ ବର ପଟୁଆର ଆଗକୁ ବଢ଼ିଥିଲା । ମୋଟାମୋଟି କହିଲେ, ଉଭୟ ନିରଞ୍ଜନ ଦଳପତି ଓ କରୁଣାକର ରଣସିଂହ ଥିଲେ ମହାବଳର ଅଧିକାରୀ । ଏହାରି ଭିତରେ ପ୍ରାୟ ଚାଳିଶ ବର୍ଷ ବିତିଗଲାଣି । ଏବେ ବାହାଘର ହେଉଛି ସତ, ହେଲେ ଗାଁରେ ଡିଜେ ବାଜୁଛି । କାହାଳୀ, ତେଲିଙ୍ଗି ବାଇଦ କଣ, ତାହା ଆଜିକାଲିର ଗାଁ ପିଲାଙ୍କୁ ବି ଜଣାନାହିଁ । ଚାରିଅଣାର ଓଷୋ (ମଦ) ପକେଇଦେଇ ଚାରି ଟଙ୍କାର ନାଟ କରନ୍ତି ଏମାନେ । ତା ଛଡ଼ା ଆଉ କିଛି ନାହିଁ ।

କରୁଣାକର ଓ ନିରଞ୍ଜନ କିନ୍ତୁ ନିଜ ନିଜ ସ୍ତ୍ରୀକୁ ଖୁବ୍ ଭଲ ପାଉଥିଲେ । ନିରଞ୍ଜନ ଦଳପତି ତ ପ୍ରେମ ବିବାହ କରିଥିଲା ବୋଲି, ତାର ରକ୍ଷଣଶୀଳ ସମାଜ ତାକୁ ବାସନ୍ଦ କରିଦେଇଥିଲା । ବାପାର ଅମାପ ସମ୍ପତ୍ତି ଥିବା ସତ୍ୱେ ତାର ଦୁଇଭାଇ ତାକୁ ନିଜଠୁ ଦୂରେଇ ଦେଇଥିଲେ । ନିରଞ୍ଜନ ଦଳପତି ରହୁଥିଲା ଏକ କୁଡ଼ିଆ ଘରେ । ବଞ୍ଚୁଥିଲା ଏକ ଉପେକ୍ଷିତ ଜୀବନ । ତଥାପି କେବେ ହାର ମାନିନଥିଲା ସେ । ବରଂ ଜୀବନକୁ ମନଭରି ଉପଭୋଗ କରୁଥିଲା । ନିଜ ପିଲାମାନଙ୍କ ମୁହଁକୁ ଚାହିଁ ସମୟ କଟିଯାଉଥିଲା ତାର ।

        ଏଣେ କରୁଣାକର ରଣସିଂହ ଥିଲା ସମ୍ପୂର୍ଣ୍ଣ ସ୍ୱାଧୀନଚେତା । ସେ ବି ଥିଲା ମଝିଆ ପୁଅ । କିନ୍ତୁ ତାଭଳି ତାର ବଡ଼ଭାଇ କିମ୍ବା ସାନଭାଇ, କେହି ବି ବଳବାନ୍ ନଥିଲେ । ଏମିତି କି ତା ପରିବାରର ପିଲାମାନେ ବି ତା କଷ ଧରୁନଥିଲେ । ଏସବୁ ସ୍ଥଳେ କରୁଣାକର ସବୁ ବ୍ୟସ୍ତତା ଭିତରେ ବି ନିଜ ସ୍ତ୍ରୀକୁ ଭଲପାଇବାରେ ତାର କୌଣସି  କୁଣ୍ଠା ନଥିଲା । ଏବେ ବୟସର ସାୟାହ୍ନରେ ଉଭୟ ଦମ୍ପତି । ତେଣୁ ବୁଢ଼ୀ ପାଇଁ ଖାଇବା ପିଇବା ଯୋଗାଡ଼ କରିବା ସହିତ ଗାଧୋଇବା ପାଇଁ କୂଅରୁ ପାଣି ଆଣି ବି ପହଞ୍ଚାଉଥିଲା କରୁଣାକର । କିନ୍ତୁ ଥକି ପଡ଼ିନଥିଲା ସେ ।

ହେଲେ ନିରଞ୍ଜନ ଦଳପତି ଲାଗି କିନ୍ତୁ ଗୋଟିଏ ଗୋଟିଏ ଦିନ ଗୋଟିଏ ଗୋଟିଏ ବର୍ଷ ଭଳି ଅନୁଭୂତ ହେଉଥିଲା । ବୟସ ବଢ଼ିବା ସହିତ ମୁଣ୍ଡ ଉପରେ ବୋଝକୁ ବୋହି ନେଉଥିଲା ସେ । ହେଲେ ଦି ଦିନ ଜର ହେବା ପରେ ଅବଶ ହୋଇ ଯାଉଥିଲା ତା ଶରୀର । ଥକି ପଡୁଥିଲା ସେ । ସେଦିନ ସନ୍ଧ୍ୟାରେ ସ୍ତ୍ରୀ କଣ ଦିଟା ଖାଇବାକୁ ବାଢ଼ିଥିଲା ନିରଞ୍ଜନ ଦଳପତି ପାଇଁ । ବାସ୍, ଖାଇଦେଇ ଥାଳି ପାଖରେ ଠାକୁରଙ୍କୁ ମୁଣ୍ଡିଆ ମାରିଲା ବେଳେ ଟଳି ପଡ଼ିଲା ନିରଞ୍ଜନ ଦଳପତି । ମାତ୍ର କେଇ ମୁହୂର୍ତ୍ତରେ ଶୀତଳ ହୋଇଯାଇଥିଲା ତା ଲୁହା ଭଳି ଶକ୍ତ ଶରୀର । ଜୀବନ ତମାମ ଅନ୍ୟକୁ ଆହ୍ୱାନ ଦେଉଥିବା ନିରଞ୍ଜନ ଦଳପତି, ସାମାନ୍ୟ ଜରଟିକିଏ ଆଗରେ ହାରିଯାଇଥିଲା ।

ନିରଞ୍ଜନ ଯିବାର ସପ୍ତାହେ ଯାଇଛି କି ନାହିଁ, ବୈକୁଣ୍ଠପୁର ଗାଁର ଅନ୍ୟମାନେ ବି ଜରରେ ପଡ଼ିଲେ । ଏହାରି ଭିତରେ କରୁଣାକର ରଣସିଂହର ସ୍ତ୍ରୀକୁ ଜର । ଏତକ କଥା ଜାଣିଲା ପରେ କାନ୍ଧରେ ପଥର ଟେକି, ଶଗଡ଼ ଚକକୁ ଅଭିମନ୍ୟୁ ଭଳି ଘୂରାଇ, ଭୂମିକୁ ଦୋହଲାଇ ଦେଉଥିବା  ରଣସିଂହ ସତେ ଯେମିତି ହଠାତ୍ ଶକ୍ତିଶୂନ୍ୟ ହୋଇଗଲା ।  ଦିନକ ପରେ ବୃଦ୍ଧ କରୁଣାକରକୁ ଜର । ମାତ୍ର ଦୁଇଦିନ ଭିତରେକରୁଣାକରର ଜୀବନ ଯାତ୍ରାରେ ପଡ଼ିଯାଇଥିଲା ଯବନିକା । ବୈକୁଣ୍ଠପୁର ଗାଁ ସ୍ତବ୍ଧ । କାହାରି ମୁହଁରେ ଭାଷା ନଥିଲା । ଘର ଦୁଆରବନ୍ଧ ପର୍ଯ୍ୟନ୍ତ ବାହୁନି ହୋଇ କାନ୍ଦି କାନ୍ଦି ଆସିଥିବା ଉଭୟଙ୍କ ସ୍ତ୍ରୀଙ୍କ ପାଦ ଅଟକି ଯାଇଥିଲା ସେଇଠି । ଯେଉଁଠାରୁ ସେମାନେ ଆଉ ଦେଖିପାରୁନଥିବା ଦୃଶ୍ୟକୁ ଆବଦ୍ଧ କରିବାକୁ ପ୍ରୟାସ କରୁଥିଲେ । ସେତେବେଳକୁ ଗାଁ ଦାଣ୍ଡ ମଝିରେ ପଡ଼ିଥିବା ସେ ଗୋଲ୍ କଳାମୁଗୁନି ପଥରଟା ଯେମିତି ସମସ୍ତଙ୍କୁ ପଚାରୁଥିଲା, ମୋତେ କାନ୍ଧକୁ ଟେକି ପୁଣି ଚୁଟକିରେ ଫିଙ୍ଗି ଦେଇ ପାରୁଥିବା, ସେ ବଳବାନ୍ ମଝିଆ ପୁଅ ଦି ଜଣକୁ କେହି ଦେଖିଛ?”

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪

 

Leave A Reply

Your email address will not be published.