ଘନହୋଇଯାଏ ଅନ୍ଧାର

ଘନହୋଇଯାଏ ଅନ୍ଧାର

ଦାଶ ବେନହୁର

ସେଦିନ ବନ୍ଧୁମାନଙ୍କର ପ୍ରସ୍ତାବଟି ହଠାତ ମତେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ଭଳି ମନେହେଲା । କେତେବେଳେ ହେଲେ ଖୋଲି ନ ଥିବା ଅଜଣା ଗୋଟିଏ ପୃଷ୍ଠା ସେମାନେ ଖୋଲିଦେଲେ ମୋ ପାଇଁ । କେମିତି ଗୋଟାଏ ସ୍ପନ୍ଦନ ମୋ ଭିତରେ ଖୋଲିଗଲା ସେତେବେଳେ ।

ହଁ ହଁ ଉଚିତ ପ୍ରସ୍ତାବଟିଏ ଆପଣମାନେ ଦେଇଛନ୍ତି । ଆମେ ନ କଲେ ଆଉ କିଏ କରିବ? ଏ ତ ଆମର ପରମ କର୍ତ୍ତବ୍ୟ! ପରସ୍ପର ସାହାଯ୍ୟ ସହାନୁଭୂତି ସମାଜର ମୂଳପିଣ୍ଡ । ପୁଣି ଏ ଦୁର୍ଦିନରେ ଆମ ନିକଟରେ ଯାହାକିଛି ସମ୍ଭବ, ଆମଭଳି ଶିକ୍ଷିତ ଲୋକେ ସେତକ କରିବାପାଇଁ ଯଦି ଆଗଭର ନ ହେବେ, ତେବେ ଆଉ କିଏ ହବ?

ଗୋପବନ୍ଧୁଙ୍କ ଭଳି ଲୋକେ ତ ପୁଣି ନିଜ ପରିବାର, ନିଜ ପିଲାଛୁଆଙ୍କୁ ପଛରେ ପକାଇଦେଇ ଡେଇଁପଡ଼ିଥିଲେ ଅନ୍ୟକୁ ସାହାଯ୍ୟ କରିବାପାଇଁ? କିଏ କିଏ ମଧ୍ୟ ଜୀବନବ୍ୟାପି ଉତ୍ସର୍ଗ କରିଦେଇଛନ୍ତି ନିଜକୁ ଅନ୍ୟମାନଙ୍କର ଉପକାରପାଇଁ!!

ଆମେ ଏଇ ସାମାନ୍ୟ କାମ ଟିକିଏ କରିପାରିବା ନାହିଁ? ଗୋଟିଏ ମାତ୍ର ଦିନ ସେମାନଙ୍କ ପାଖକୁ ଯାଇ କିଛି ସାହାଯ୍ୟ କରିପାରିଲେ ଆମେ ନିଜକୁ ଧନ୍ୟ ମନେକରିବା ।

ପ୍ରସ୍ତାବଟି ଗ୍ରହଣ କଲାପରେ, ମୁଁ ଫେଣ୍ଟିହୋଇଗଲି ନିଜ ଭାବନାରେ । ଠିକ କଲି ଯିବି । ନିଶ୍ଚୟ ଯିବି । ଥରେହେଲେ ଦେଖେଇଦେବି ଯେ, ମୋର ବି ସେମିତି ଦରଦୀ ମନ ଅଛି ।

ଘରେ, ସମସ୍ତଙ୍କୁ ଏ ବିଷୟରେ ମୁଁ କହିଦେଲି । କହିଲି: ଶୁଣୁଚ! କାଲି ଆମେ ଚୁଡ଼ା ଚାଉଳ ବାଣ୍ଟିବାପାଇଁ ଧୋଇଆ ଅଞ୍ଚଳକୁ ଯିବୁ । ଏଇ ସାଙ୍ଗମାନେ ସମସ୍ତେ ଠିକ କରିଚୁ । ଜୟନ୍ତ ଯିବ, ପମୁଭାଇ ଯିବ, ଆଉ ଭବାନୀବାବୁ ଯିବେ । କାଲି ସକାଳୁ ବାହାରି ପଡ଼ିବୁ ସମସ୍ତେ ।

ପତ୍ନୀ ପଚାରିଲେ, ‘କେତେବେଳକୁ ଫେରିବ’? ମୁଁ ଉତ୍ତର କରିଥିଲି! କ’ଣ ଠିକ ଠିକଣା ଅଛି! ରାତିରେ ନ ଫେରି ବି ପାରୁ । ଏସବୁ କାମରେ କେତେବେଳେ ଫେରିବୁ, କ’ଣ କିଛି ନିର୍ଦିଷ୍ଟ କରି କହିହବ?

ତା’ ପରେ ସେଦିନ ମୋ ଛୋଟ ପରିବାରଟିରେ ନଦୀବଢ଼ିର ପ୍ରକୋପ ବିଷୟରେ ଖୁବ ଆଲୋଚନା ହୋଇଥିଲା । ଅଗଣାରେ ଆମେ ସମସ୍ତେ ଏକାଠି ବସିଥିଲାବେଳେ ସେଇକଥା, ଖାଇବସିଲାବେଳେ ସେଇକଥା ଏବଂ ଶୋଇବାକୁ ଗଲାବେଳେ ମଧ୍ୟ ସେଇ ଏକା କଥା । ମୁଁ ଖବରକାଗଜରେ ବାହାରୁଥିବା ବିଭିନ୍ନ ଭୟଙ୍କର ସମ୍ବାଦ ବିଷୟରେ କହିଲି । ସ୍ତ୍ରୀ ପଡ଼ିଶାଘରୁ ଶୁଣିଥିବା କଥା ଓ ରେଡ଼ିଓରୁ ରଖିଥିବା ଖବର ବିଷୟରେ ଗପ ଯୋଡ଼ିଲେ ।

ସବୁ ଶୁଣି ଶୁଣି ଶେଷକୁ ମୋର ସାତ ବରଷର ପୁଅ କହିଲା : “ବାପା, ମୁଁ ତୁମ ସାଙ୍ଗରେ କାଲି ନଈବଢ଼ି ଦେଖିବାକୁ ଯିବି । ମତେ ସାଙ୍ଗରେ ନିଅ ।”

ପୁଅକୁ ନିବର୍ତ୍ତାଇବାପାଇଁ ମୁଁ ନଦୀବଢ଼ିର ଭୟଙ୍କର ରୂପ କଥା ଆଖି ଢିମା ଢିମା କରି ବର୍ଣ୍ଣନା କଲି । ନଦୀବଢ଼ି ଯେ ଅନ୍ଧାର ବା ବୁଢ଼ୀ ଅସୁରୁଣୀଠାରୁ ଅଧିକ ଭୟାନକ, ସେକଥା ତାକୁ ମୁଁ ବୁଝେଇଦେଲି ।

ସେ ଆପାତତଃ ଚୁପ ରହିଲା ।

ସନ୍ଧ୍ୟା ପାଞ୍ଚଟାବେଳେ ଦାଣ୍ଡପଟକୁ ଆସି ଦେଖିଲି, କଲୋନିର ପିଲାମାନେ ସବୁ ଆସି ଆମ ବାରଣ୍ଡାରେ ଖେଳୁଛନ୍ତି । ସେମାନଙ୍କ ସଙ୍ଗରେ ମୋ ପୁଅ ମଧ୍ୟ । ଖେଳବେଳେ ପରସ୍ପର କଥାଭାଷା ଭିତରେ ପୁଅ ମୋର ହଠାତ ଘୋଷଣା କଲାଭଳି ପିଲାମାନଙ୍କୁ କହିଲା : “ଜାଣିଚନା, ମୋ ବାପା କାଲି ନଈବଢ଼ି ଗାଆଁମାନଙ୍କୁ ଯିବେ ଚୁଡ଼ାଚାଉଳ ବାଣ୍ଟିବା ପାଇଁ । ବହିରେ ଆମର ଯେଉଁ ଗୋପବନ୍ଧୁଙ୍କ କଥା ପଢ଼ାହଉଚି; ସେ ଯେମିତି ଯାଇ ନ ଥିଲେ, ସେଇମିତି ।”

ମୁଁ ଆମୋଦ ଅନୁଭବ କଲି ତା’ର ଏକଥା ଶୁଣି ।

ସନ୍ଧ୍ୟାବେଳକୁ କୋଳରେ ବସି ପଣିକିଆ ଘୋଷିଲାବେଳେ ପୁଅ ଖାଲି ନଦୀବଢ଼ି କଥା ପଚାରିଲା । ବଢ଼ିପାଣିରେ କେମିତି ଜୀବଜନ୍ତୁ ଭାସିଯାଆନ୍ତି; ସେତେବେଳେ ନଈରେ କେତେ ପାଣି ଆସେ; ପାଣି କେମିତି ଆସେ; ଆସିଲେ ଲୋକେ କ’ଣ କରନ୍ତି; ଗଛରେ ରହିଲେ ଲୋକ କ’ଣ ଖାଆନ୍ତି; ଲୋକମାନେ ଦଉଡ଼ି ପଳାନ୍ତିନି କାହିଁକି? ଏଇଭଳି ଭୟ ଜୁଡୁବୁଡୁ ପ୍ରଶ୍ନଗୁଡ଼ିଏ ପଚାରି, ପାଠପଢ଼ାରେ ମନ ନ ଦେଇ ସେ କେବଳ ବସିରହିଲା ।

ଯଥାସାଧ୍ୟ ମୁଁ ତା’ର ସବୁ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟାକଲି ।

ଶେଷକୁ ସେ ପଚାରିଲା, “ବାପା! କାଲି ତମେ ଗଲାଯାଏଁ କ’ଣ ସେମାନେ କିଛି ଖାଇ ନ ଥିବେ?”

ମୁଁ ଉତ୍ତର କରିଥିଲି : “ହଁ, ହେଲିକେପଟରରୁ ପକାଯାଉଥିବା ପୁଡ଼ିଆ ଯଦି ସେମାନେ କିଛି ପାଇଥିବେ, ନ ହେଲେ ନାଇଁ ।

ଏଇଭଳି ଅନେକ ସମୟ କଥାବାର୍ତ୍ତା କରିବାପରେ ହାଲିଆ ହୋଇ, ସେ ଖାଇପିଇ ଶୋଇପଡ଼ିଲା । ମତେ ଜଣାପଡୁଥିଲା, ସେ କେମିତି ଟିକିଏ ବେଖାପ ଏବଂ ଅଧିକ ପ୍ରଗଳଭ ହୋଇପଡ଼ିଚି ।

ସକାଳୁ ସକାଳୁ ମୁଁ ଲୁଗାପଟା ପିନ୍ଧି ବାହାରିବାପାଇଁ ବ୍ୟସ୍ତ ହେଉଚି, ଏଇ ସମୟରେ ସ୍ତ୍ରୀ ଦଉଡ଼ିଆସି କହିଲେ, “ହଇଏ ତମେ କ’ଣ ସିଆଡେ଼ ବାହାରିଲଣି, ଏଆଡେ଼ ପୁଅ ପରା ସକାଳୁ ଉଠି ଚାରିଥର ଝାଡ଼ା ଗଲାଣି । ହେଇଟି ଏଇଲେ ତା’ର ବାନ୍ତି ହେଲାଣି କି କ’ଣ! ଓକାଳି ହେଇ ଅ’ ଅ’ ହଉଚି । ତୁମକୁ ଶୁଭୁନି? ମୁଁ କ’ଣ କରିବି ଲୋ ମା… ।”

ମୁଁ ଦଉଡ଼ିଯାଇ ଦେଖିଲି ପିଲାଟି ବାନ୍ଦିକରି ଓକାଳି ଓକାଳି ହାଲିଆ ହେଇପଡ଼ିଲାଣି । ତଥାପି ଓଟାରି ହଉଚି । ସେ ଖଣ୍ଡମଣ୍ଡଳ ଖାଲି ଆଇଁଷିଣିଆ ଗନ୍ଧ ।

ଭୟ ମୋ ବେକ ଉପରେ ବସିପଡ଼ିଲା । କଲେରା ନୁହେଁ ତ? ଆଉ କ’ଣ ବାସିଲାରି ଡିସେଣ୍ଟ୍ରି ଧରିଦେଲା କି? ନା ବଦହଜମି ଡାଇରିଆ! ମୁଁ ବ୍ୟାଗପତ୍ର ଥୋଇ ଧାଇଁଲି ଡାକ୍ତରଙ୍କ ପାଖକୁ ।

ଦୁଆରମୁହଁକୁ ହାବୁଡ଼ିଯାଇ ଦେଖେ ତ ବନ୍ଧୁମାନେ ଆସିଗଲେଣି । ଜିପରେ ଜିନିଷପତ୍ର ଲଦାହେଇଚି । ସବୁ ପ୍ରସ୍ତୁତ ।

କ’ଣ କରିବି ବୋଲି ଠିକ କରି ପାରିଲିନି ମୁଁ । ଶେଷକୁ ଏଭଳି ଅସୁବିଧା କଥା କହି କ୍ଷମା ମାଗିଲା ଭଙ୍ଗୀରେ ମୁଁ ଯାଇ ନ ପାରିବାର ଅସହାୟତା ପ୍ରକାଶ କଲି । ସେମାନେ ମୋ ଦୁଃଖ ବୁଝିଲେ ଏବଂ ଚାଲିଗଲେ । ମୁଁ ଧାଇଁଲି ଡାକ୍ତରଙ୍କ ପାଖକୁ ।

ଦ୍ୱିପ୍ରହର ବେଳକୁ ପୁଅର ଝାଡ଼ା ଅନେକ ପରିମାଣରେ କମିଆସିଥିଲା । ଆଖି କୋରଡ଼ରେ ପଶିଯାଇଥିଲେ ମଧ୍ୟ ସେ ଟିକିଏ ସୁସ୍ଥ ଦେଖାଯାଉଥିଲା । ତା’ ପାଖରେ ବସି ମୁଣ୍ଡ ଆଉଁଶିବାବେଳେ ସେ କ’ଣ ଭାବି ଭାବି ମତେ ପଚାରିଲା, “ବାପା! ତମେ କ’ଣ ତା’ ହେଲେ ନଦୀବଢ଼ି ଜାଗାକୁ ଗଲନି?”

ମୁଁ କହିଲି, “ନା । ଇଚ୍ଛା ହେଲାନି ।”

ସନ୍ଧ୍ୟାବେଳକୁ ପଡ଼ିଶାଘର ଇଞ୍ଜିନିୟରବାବୁ ତାଙ୍କ ପିଲାମାନଙ୍କୁ ଗାଡ଼ିରେ ବସେଇ ରସୁଲଗଡ଼ ପାଖରେ ପାଣି ମାଡ଼ିଆସିଥିବା ନଦୀବଢ଼ି ଜାଗା ଦେଖି ଯିବାପାଇଁ ବାହାରିଲେ । ଆମମାନଙ୍କୁ ମଧ୍ୟ ଡାକିଲେ । ମୁଁ ଯିବାକୁ ପସନ୍ଦ କଲି ନାହିଁ । ପୁଅର ଝାଡ଼ା ସେତେବେଳକୁ ପ୍ରାୟ ଭଲ ହୋଇଯାଇଥିଲା । ସେ ଯିବାପାଇଁ କନକନ ହେଲା । ସ୍ତ୍ରୀ ମଧ୍ୟ ଯିବାପାଇଁ ଇଚ୍ଛା ପ୍ରକାଶ କଲେ । ମୁଁ ଭାବିଲି, ଗାଡ଼ିରେ ବସି ଯିବେ ତ ଯାଆନ୍ତୁ ।

ଗଲାବେଳେ ଏତିକି କେବଳ କହିଲି, “ଦେଖ! ପୁଅ କାଳେ ବେଶି ପାଣି ପାଖକୁ ପଳେଇବ ନଜର ରଖିଥିବ । ମାଇପି ଲୋକ ତ, ନ ହେଲେ ଗପସପରେ ମାତିଥିବ ।”

ସେମାନେ ସମସ୍ତେ ସନ୍ଧ୍ୟା ପୂର୍ବରୁ ନଦୀବଢ଼ି ଦେଖି ଫେରିଲେ । ପାଣିର ଅକଳନ ବିସ୍ତାର କଥା ସମସ୍ତଙ୍କ ମୁହଁରେ । କିଏ କେତେ ପ୍ରକାର କରି କହୁଥାଆନ୍ତି: ମାତ୍ର ମୁଁ ଲକ୍ଷ୍ୟକଲି, ପୁଅ ମୋର କେମିତି ଡରିଯାଇଥିବା ପରି ଜଣାପଡୁଥିଲା, ସେ ଦୃଶ୍ୟ ଦେଖି ଆସିବା ପରେ ।

ଅନ୍ୟଦିନ ଅପେକ୍ଷା ଆଜି ସେ ବେଳାବେଳି ଶୋଇପଡ଼ିଲା । ଆମେ ସ୍ୱାମୀ- ସ୍ତ୍ରୀ ଦୁହେଁ ମଧ୍ୟ ସବୁଦିନ ପରି ଶୋଇବାକୁ ଗଲୁ । ସମସ୍ତେ ଶୋଇଥାଉ । ଦୁଇକଡେ଼ ଆମେ ଦୁହେଁ, ମଝିରେ ପୁଅ । ହଠାତ ଅଧରାତି ବେଳକୁ ପୁଅ ମୋର ଏକ ବିରାଟ ଚିକ୍ରାର କରି କାନ୍ଦିବାକୁ ଲାଗିଲା । ମୁଁ ଉଠିପଡ଼ି ଦେଖେ ତ ସେ ଗୋଟାପଣେ ଥରୁଚି । ତାକୁ ଧରିବାପାଇଁ ମୁଁ ଯେତେବେଳେ ହାତ ବଢେ଼ଇଲି ସେ ଅଧିକ ଚିକ୍ରାର କରି ମୋ ହାତକୁ ଛିଞ୍ଚାଡ଼ି ପକେଇଲା ଏବଂ ତା’ ମାଆକୁ ଜାବୁଡ଼ି ଧରିଲା । ତା’ର ମା’ ତାକୁ ବାହାରକୁ ନେଇ ଅନେକ ଥାପୁଡ଼ା ଥାପୁଡ଼ି ବୋଧ ଶୋଧ କରିବା ପରେ, ସେ ସ୍ଥିର ହେଲା । ତଥାପି ତା’ର କୋହ ଉଠୁଥାଏ ।

କିଛି ସମୟ ଗତ ହେବାପରେ, କାହିଁକି ଏତେ ଡରିଯାଇ କାନ୍ଦିଲୁ ବୋଲି ଅନେକଥର ପଚାରିବାରୁ ସେ ତା’ର ମାଆକୁ, ଏକ ଭୟଙ୍କର ସ୍ୱପ୍ନ ଦେଖି ଡରିଯାଇଥିବା କଥା କହିଲା ।

ସ୍ୱପ୍ନରେ ସେ ଦେଖିଲା, ଆମେ ସମସ୍ତେ ଶୋଇଥିବାବେଳେ ଆମ ଘର ଭିତରକୁ ନଈପାଣି ଘୁ ଘୁ ଗର୍ଜନ କରି ମାଡ଼ିଆସି ସବୁ ଘରେ ପଶିଗଲା । ଗୋଟେପଟ କାନ୍ଥ ଭାଙ୍ଗିଗଲା । ସବୁ ଜିନିଷପତ୍ର ବଢ଼ିପାଣିରେ ଭାସିଗଲା । ଶେଷରେ ସେ ନିଜେ ଓ ତା’ ମାଆ ମଧ୍ୟ ।

ସେ ସ୍ୱପ୍ନରେ ଦେଖିଥିବା କଥା ବର୍ଣ୍ଣନା କଲାବେଳେ, କଇଁ କଇଁ ହୋଇ କାନ୍ଦି ଅନୁଯୋଗ କଲାଭଳି କହିଲା: “ ମାଆ ମ, ମାଆ… ଆମେ ସମସ୍ତେ ଭାସିଗଲାବେଳେ ବାପା ସେଇ ବାରଣ୍ଡା ପାଖରେ ଗୋଟେ ଉଚ୍ଚ ଜାଗାରେ ଠିଆହୋଇଥିଲେ ଆମେ ଦିହେଁ ତାଙ୍କ ପାଖ ଦେଇ ଭାସିଗଲାବେଳେ, ମୁଁ ବାପାଙ୍କୁ ଦେଖି ବାପା ବାପା ବୋଲି କେତେ କାନ୍ଦି କାନ୍ଦି ଡାକିଲି, ହେଲେ ସେ ମତେ ଧରିବାକୁ ହାତ ବଢେ଼ଇଲେନି କି ଶୁଣିଲେନି । ସେଇମିତି ଠିଆହୋଇ ରହିଲେ ।”

ଏତକ ଶୁଣିଲା ବେଳକୁ ମୁଁ ଝାଳରେ ବୁଡ଼ିଯାଇଥାଏ । ଏକ ନିର୍ଜନ ମରୁଭୂମିରେ ଗୋଟିଏ ଅମାବାସ୍ୟା । ଅଧରାତିର ଆକାଶକୁ ଚାହିଁ ଏକଲା ଅନୁଭବ କଲାପରି ମୁଁ ହଠାତ ଚିନ୍ତାଗ୍ରସ୍ତ ହୋଇପଡ଼ିଲି ।

ସ୍ୱପ୍ନ ଦେଖି କାନ୍ଦିଉଠିବାର ଦୁଇତିନି ଘଣ୍ଟା ଗଡ଼ିଯାଇଥିଲେ ମଧ୍ୟ, ଅନୁଭବ କରୁଥିଲି, ଯେତେ ଡାକିଲେ ମଧ୍ୟ ପୁଅ ମୋର ମୋ ମୁହଁକୁ ଚାହିଁବାକୁ ନାରାଜ ।