Latest Odisha News

BREAKING NEWS

ଭକ୍ତି ଯୋଗରେ ଭଗବାନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ 

 

ପ୍ରଶ୍ନ ଉଠେ ଭକ୍ତପାଇଁ ଭଗବାନ ନା ଭଗବାନଙ୍କୁ ନେଇ ଭକ୍ତ , ଏଭଳି ପ୍ରଶ୍ନ ଦ୍ୱନ୍ଦ୍ୱମୂଳକ । ଭଗବାନଙ୍କ ବିଶ୍ଵରୂପ ଦର୍ଶନ କରିବା ପରେ ଅର୍ଜୁନ ସେଦିନ କେବଳ ହତଚକିତ ହୋଇପାରି ନଥିଲେ । ତାଙ୍କ ମନରେ ଅହେତୁକ ନାନା ପ୍ରଶ୍ନ ଉଙ୍କି ଆସିଥିଲା ପ୍ରକୃତ ଭକ୍ତ କିଏ ? କାରଣ ଜ୍ଞାନ , ଦାନ , ତପସ୍ୟା ବା ଯଜ୍ଞ ମାଧ୍ୟମରେ କେହି କେବେ ଉତ୍ତମ ଭକ୍ତ ପାଲଟି ଯାଏ ନାହିଁ କି ଭଗବାନଙ୍କ ଚତୁର୍ଭୁଜ ଦର୍ଶନ କରି ହୁଏ ନାହିଁ । ଭଗବାନଙ୍କ ଏହି ଚତୁର୍ଭୁଜ ରୂପ ଦର୍ଶନ କରିଥିବା ଦେବକୀ ଓ ବାସୁଦେବ କୈାଣସି ପ୍ରକାର ଯଜ୍ଞ , ଦାନ , ତପ ବା ଦାନ କରିନଥିଲେ । ନିଜର ପ୍ରଶ୍ନ ବା ସନ୍ଦେହ ଦୂରୀକରଣ ନିମନ୍ତେ ଅର୍ଜୁନ ଦୁଇ ପ୍ରକାର ଭକ୍ତ ଭାବନାରେ ପଡ଼ିଯାଇ ଶେଷ ସିଦ୍ଧାନ୍ତରେ ଉପନୀତ ହୋଇପାରୁ ନଥିଲେ । ଯେଉଁ ଭକ୍ତ ଭଗବାନଙ୍କ ସ୍ୱରୂପକୁ ଏକାନ୍ତ ଚିତ୍ତରେ ପୂଜା କରେ ସେ , ନା ଯେଉଁ ଭକ୍ତ ଅବ୍ୟକ୍ତ ବ୍ରହ୍ମଙ୍କୁ ଉପାସନା କରିଥାଏ ସେ ଶ୍ରେଷ୍ଠ ଭକ୍ତ । ନିଜର ପ୍ରଶ୍ନ ପାଖରେ ଉତ୍ତର ଖୋଜି ନୟାନ୍ତ ହେଉଥିବା ବେଳେ ଭକ୍ତ ବତ୍ସଳ ଭଗବାନ ସ୍ମିତହାସ୍ୟରେ ଉତ୍ତର ଦେଇ କହିଥିଲେ – ଯେଉଁ ଭକ୍ତ ଆମ୍ଭଠାରେ ମନ , ହୃଦୟ ନିବେଶ କରି ଶ୍ରଦ୍ଧା ଓ ନିଷ୍ଠାର ସହ ଆମର ସେବା ଉପାସନା କରିଚାଲନ୍ତି ସେହି ଭକ୍ତ ହେଉଛନ୍ତି ଶ୍ରେଷ୍ଠ ଯୋଗୀ ( ଗୀତା ୧୨/୨ ) ।

ପ୍ରକୃତରେ ଯେଉଁ ବ୍ୟକ୍ତି ମୂର୍ତ୍ତି ପୂଜା କରେ ଓ ଆଉ ଯିଏ ବ୍ରହ୍ମଙ୍କୁ ଉପାସନା କରେ ଭଗବାନ ସେମାନଙ୍କ ପୂଜା ବା ଉପାସନା ଉପରେ କୈାଣସି ଗୁରୁତ୍ୱ ଦିଅନ୍ତି ନାହିଁ । ଗୁରୁତ୍ଵ ଦେଇଥାନ୍ତି ସେମାନଙ୍କ ପବିତ୍ର ନିର୍ମଳ ମନ, ଶ୍ରଦ୍ଧା , ଦୃଢ ବିଶ୍ବାସ ସହିତ ଗଭୀର ନିଷ୍ଠାପରତା ଉପରେ । ମନ ଯଦି ପରିଷ୍କାର ନାହିଁ , ଶ୍ରଦ୍ଧା ଓ ନିଷ୍ଠାରେ ପବିତ୍ର ଗଭୀର ଭାବ ନାହିଁ କଦାପି ସେ ଭକ୍ତ ହୋଇପାରିବ ନାହିଁ । ଭଗବାନ କେବେ ଲୋକଦେଖାଣିଆ ଭକ୍ତର ପୂଜା ଗ୍ରହଣ କରିପାରନ୍ତି ନାହିଁ । ଭଗବାନ ପ୍ରାପ୍ତି ହୁଅନ୍ତି ସେହିମାନଙ୍କ ଠାରେ , ଯେଉଁ ମାନେ ସବୁ ବିଷୟରେ ସମବୁଦ୍ଧି ରଖି କାର୍ଯ୍ୟ କରନ୍ତି । ଅର୍ଥାତ୍ ସକଳ ପ୍ରାଣୀ ମାନଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରି ନିଜର ଇନ୍ଦ୍ରିୟ ମାନଙ୍କୁ ସଂଯତ କରି ନିରାକାର ବ୍ରହ୍ମଙ୍କୁ ଉପାସନା କଲେ ( ଗୀତା ୧୨/୨/୪ ) । ଯେଉଁ ବ୍ରହ୍ମ ଅଚିନ୍ତ୍ୟ , ପରିବ୍ୟାପ୍ତ , ଅଦୃଶ୍ୟ , ନିର୍ବିକାର , ଅଚଳ , ଧ୍ରୁବ , ଅକ୍ଷର ଓ ଅବ୍ୟକ୍ତ , ସେହି ବ୍ରହ୍ମଙ୍କୁ ଉପାସନା କଲେ ସକଳ ଶାନ୍ତି ମିଳେ ଓ ଭଗବାନଙ୍କ ପରମ ପାଦପଦ୍ମରେ ଆଶ୍ରୟ ମିଳେ । ଅନେକଙ୍କ ଧାରଣା ରହିଛି ‌ ବ୍ରହ୍ମ ଏକ , କିନ୍ତୁ ସାକାର ଓ ନିରାକାର କଣ ? ପ୍ରକୃତରେ ସାକାର ଓ ନିରାକାର ବ୍ରହ୍ମ ଭିତରେ ସେଭଳି କୈାଣସି ପାର୍ଥକ୍ୟ ନାହିଁ । କିନ୍ତୁ ସାକାର ବ୍ରହ୍ମଙ୍କୁ ଉପାସନା କରି ଈଶ୍ୱରଙ୍କୁ ପାଇବା ଯେତେ ସହଜ , ନିରାକାର ବ୍ରହ୍ମଙ୍କୁ ଉପାସନା କରି ମଧ୍ୟ ପାଇବା ଅଧିକ କଷ୍ଟକର ହୋଇଥାଏ । ଯେହେତୁ ନିରାକାର ବ୍ରହ୍ମ ଶୂନ୍ୟବାସୀ ଓ ତାଙ୍କର କୈାଣସି ନିର୍ଦ୍ଦିଷ୍ଟ ରୂପ ନଥିବାରୁ ସାଧାରଣ ମଣିଷ ତା’ର ଚଞ୍ଚଳ ମନରେ ତାଙ୍କୁ ବୁଝିବା କଷ୍ଟକର ହୋଇପଡେ । ନିଜର ମନକୁ ଆୟତ୍ତରେ ରଖି ଯେଉଁମାନେ ବ୍ରହ୍ମଙ୍କୁ ଉପାସନା କରିପାରନ୍ତି ସେମାନେ କେବଳ ତାଙ୍କୁ ପ୍ରାପ୍ତ ହୋଇଥାନ୍ତି ।

ଗୀତାରେ ଉଲ୍ଲେଖ ଅଛି – ଯେ ତୁ ସର୍ବାଣି କର୍ମାଣିମୟି ସଂନ୍ୟସ୍ୟ ମତ୍ ପରାଃ / ଅନନ୍ୟେନୈବ ଯୋଗେନ ମାଂ ଧ୍ୟାଯନ୍ତ ଉପାସତେ (୧୨/୬) । ଯେଉଁ ମାନେ ନିଜର ସକଳ କର୍ମକୁ ଅନାସକ୍ତ ଭାବରେ ଭଗବାନଙ୍କ ନିକଟରେ ସମର୍ପଣ କରି ଭକ୍ତି ଯୋଗରେ ଧ୍ୟାନ କରନ୍ତି ଭଗବାନ ସେମାନଙ୍କୁ ଉଦ୍ଧାର କରିଥାନ୍ତି । ଭଗବାନ ଭାବଗ୍ରାହୀ , ସକଳ ହୃଦୟରେ ସେ ବାସକରନ୍ତି । ଯିଏ ତାଙ୍କୁ ଯେତେ ଭଲପାଏ , ଭକ୍ତି କରେ , ନିଜକୁ ନିଃସର୍ତ୍ତରେ ସମର୍ପଣ କରିଦିଏ ଭଗବାନ ତାରି ହୁଅନ୍ତି । ତାର ନିଷ୍ଠା , ବିଶ୍ବାସ , ଶ୍ରଦ୍ଧାକୁ ଦେଖି ଭଗବାନ ଭକ୍ତର ମନବାଞ୍ଛା ପୂର୍ଣ୍ଣ କରନ୍ତି । ଜନ୍ମ ଥିଲେ ମୃତ୍ୟୁ ସୁନିଶ୍ଚିତ । ଯେଉଁ ମାନେ ମୃତ୍ୟୁ ସଂସାର ମଧ୍ୟରେ ରହି ମଧ୍ୟ ସତ୍ୟକୁ ଅସତ୍ୟ ଓ ଅସତ୍ୟକୁ ସତ୍ୟ ମନେକରି , ମରଣଶୀଳ ଜଗତର ସକଳ ସୁଖ ଲୋଟି ନେବାରେ ଚାହାନ୍ତି , ଭଗବାନ କେବେ ସେମାନଙ୍କର ଦାୟିତ୍ଵ ନିଅନ୍ତି ନାହିଁ । କେବଳ ଯେଉଁ ମାନେ ତାଙ୍କର ଶରଣ ନେଇ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରନ୍ତି ତାଙ୍କର ସକଳ ଦାୟିତ୍ଵ ନେଇଥାନ୍ତି (ଗୀତା ୧୨/୭) । ସଂସାରରେ ବାସକରି ପ୍ରତ୍ୟେକ ମଣିଷ କେବଳ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ବ୍ୟସ୍ତ ରହେ । ନିଜର କୂଟ କୈାଶଳ ପ୍ରୟୋଗ କରି ଅନ୍ୟାୟ ଅନୀତି ମାଧ୍ୟମରେ ଅର୍ଥ ଓ କ୍ଷମତା ପଛରେ ଦଉଡି ଥାଏ । ନିଜର ଘର , ପରିବାର , ଧନ ସଂପତ୍ତି ଓ ନିଜର ଶରୀରର ପ୍ରତି ଦୃଷ୍ଟି ଦେବାରେ ମର୍ଜି ରହେ । ଧନ ଉପାର୍ଜନ , ସଂପତ୍ତି ବୃଦ୍ଧି , ନିଜର ପିଲାମାନଙ୍କର ଭବିଷ୍ୟ ଚିନ୍ତାକରି ଭଗବାନଙ୍କ ନାମ ନେବାକୁ ସମୟ ପାଇପାରେ ନାହିଁ । ଭଗବାନ ସମସ୍ତଙ୍କୁ ବୁଦ୍ଧି ଦେଇଛନ୍ତି , କିନ୍ତୁ ମନ ଓ ବୁଦ୍ଧିକୁ ଅଧମ ମଣିଷ ଭଗବାନଙ୍କୁ ପାଇବା ନିମନ୍ତେ ନଲଗାଇ କେବଳ ନିଜ କ୍ଷମତା , ଧନ , ସୁନ୍ଦର ପତ୍ନୀ , ପୁତ୍ର କନ୍ୟା , ଘରଦ୍ୱାର ଆଦି ଭୈ।ତିକ ସୁଖ ଲାଳସାରେ ଲିପ୍ତ ରହେ । ସେତେବେଳେ ଭଗବାନ ତା’ପ୍ରତି ବିମୁଖ ହୁଅନ୍ତି ।

ଏଭଳି ଜଡବାଦୀ ପାର୍ଥିବ ସଂସାରରେ ଭଗବାନଙ୍କ ଠାରେ ମନଲଗାଇବା ମଣିଷ ନିକଟରେ ସହଜ ନୁହେଁ । ମନକୁ ସ୍ଥିର କରିବା କଷ୍ଟକର , ପୁନର୍ବାର ମନକୁ ସ୍ଥିର କରି ଭଗବାନଙ୍କ ଠାରେ ଲୟ କରିବା ଆହୁରି ସବୁଠାରୁ କଷ୍ଟକର । ଭଗବାନଙ୍କୁ ପାଇବା ପାଇଁ ଅନେକ ରାସ୍ତା ଅଛି । ଯୋଗ , ଭକ୍ତି ବା କର୍ମ ମାଧ୍ୟମରେ ତାଙ୍କୁ ପାଇଁ ହୁଏ । ଏଥିନିମନ୍ତେ ତାଙ୍କୁ ଧ୍ୟାନ କରିବା , ତାଙ୍କର ସେବା କରିବା , ପୂଜା , ଭଜନ , କୀର୍ତ୍ତନ କରିବା ଦ୍ୱାରା ସେ ସନ୍ତୁଷ୍ଟ ହୁଅନ୍ତି । ଏସବୁ କରିବା ପାଇଁ ବିଶେଷ ଭାବରେ ଭକ୍ତି , ନିଷ୍ଠା , ଆଗ୍ରହ , ଶ୍ରଦ୍ଧା , ଧୈର୍ଯ୍ୟ , ବିଶ୍ବାସ ଆବଶ୍ୟକ ହୋଇଥାଏ । ଅତ୍ୟନ୍ତ ପକ୍ଷରେ ଯେକୌଣସି କର୍ମ ଦ୍ଵାରା ଭଗବାନଙ୍କୁ ସନ୍ତୁଷ୍ଟ କରିପାରିଲେ ସେ ପ୍ରାପ୍ତ ହୁଅନ୍ତି । ମନର ଅଶାନ୍ତି ଭଗବାନଙ୍କୁ ପାଇବାରେ ପ୍ରତିବନ୍ଧକ ସୃଷ୍ଟି କରେ । ଏସବୁ ଅଶାନ୍ତିକୁ ଦୂରେଇ ଦେବାପାଇଁ ଭଗବାନ ସବୁବେଳେ ସହାୟକ ହୋଇଥାନ୍ତି । କେବଳ ମଣିଷ ନିଜର ସକଳ କର୍ମ ଓ ଫଳକୁ ଭଗବାନଙ୍କ ଉପରେ ସମର୍ପଣ କରିବାକୁ ପଡେ । ମଣିଷ ପ୍ରଥମେ ବୁଝିବା ଦରକାର ଅଶାନ୍ତି ମଣିଷର ଶରୀରକୁ ଓ ମନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ । ଏପରିକି ଅଶାନ୍ତି ମଣିଷର ଭଗବାନଙ୍କ ପ୍ରତି ଥିବା ବିଶ୍ଵାସ ମଧ୍ୟ ତୁଟାଇ ଦିଏ । ତେଣୁ ଅଶାନ୍ତିରୁ ମୁକ୍ତି ପାଇବାକୁ ହେଲେ ସବୁ ବେଳେ ମଣିଷ ନିଜର ସକଳ କର୍ମକୁ ଭଗବାନଙ୍କ ଉପରେ ଛାଡି ଦେବା ଉଚିତ । ସତ୍ୟ ପଥରେ କର୍ତ୍ତବ୍ୟ କରି ଆଗକୁ ଆଗେଇ ଚାଲିଲେ ମନ ଭିତରେ ଅହେତୁକ ଶାନ୍ତି ଆସେ । ଅନ୍ୟ ଅର୍ଥରେ ଶାନ୍ତିରେ ଯେଉଁମାନେ ବଞ୍ଚି ପାରନ୍ତି ଭଗବାନ ସେମାନଙ୍କର ପ୍ରିୟ ହୋଇଥାନ୍ତି । ଗୀତାରେ ଦର୍ଶାଇ ଦିଆଯାଇଛି – ଶ୍ରେୟୋ ହିଜ୍ଞାନମଭ୍ୟାସାତ୍ ଜ୍ଞାନାଦ୍ଧ୍ୟାନଂ ବିଶିଷ୍ୟତେ / ଧ୍ୟାନାତ୍ କର୍ମ ଫଳ ତ୍ୟାଗସ୍ତ୍ଯାଗାଚ୍ଛାନ୍ତିରନନ୍ତରମ୍ (୧୨/୧୨) । ଅର୍ଥାତ୍ ଅଭ୍ୟାସ ଠାରୁ ଶାସ୍ତ୍ରଜ୍ଞାନ ଶ୍ରେଷ୍ଠ । ସେଭଳି ଶାସ୍ତ୍ରଜ୍ଞାନ ଠାରୁ ଧ୍ୟାନ ଶ୍ରେଷ୍ଠ ଓ ଧ୍ୟାନ ଠାରୁ କର୍ମ ଫଳ ଇଚ୍ଛା ତ୍ୟାଗ ଶ୍ରେଷ୍ଠ ଅଟେ । କୁହାଯାଇପାରେ ଅଭ୍ୟାସ ପାଇଁ ଧୈର୍ଯ୍ୟ , ଶାସ୍ତ୍ରଜ୍ଞାନ ପାଇଁ ଶ୍ରଦ୍ଧା , ଧ୍ୟାନ ପାଇଁ ସ୍ଥିରମନ ଓ କର୍ମ ଫଳ ତ୍ୟାଗ ପାଇଁ ବିଶେଷ ବୁଦ୍ଧି ଆବଶ୍ୟକ ହୋଇଥାଏ ।

ସାଧାରଣ ମଣିଷ ଜାଣିବା ଆବଶ୍ୟକ ଯେ ପ୍ରତ୍ୟେକ କର୍ମର ଫଳ ମିଳିବା ସମ୍ଭବ ନୁହେଁ । କାରଣ କର୍ମ ନେପଥ୍ୟରେ ନାନା ଦୈବୀ ଦୁର୍ବିପାକ , ପ୍ରାକୃତିକ ବିପର୍ଯ୍ୟୟ , ଅଘଟଣ , ବାଧାବିଘ୍ନ , ନୀତି ନିୟମରେ ତ୍ରୁଟି ଦେଖାଯାଏ , ଯାହା କେବେ ମଣିଷର ଆୟତ୍ତରେ ନଥାଏ କି ତାକୁ ମଣିଷ ସୁଧାରି ପାରିବା ସହଜ ନୁହେଁ । ସ୍ୱତଃ ମଣିଷ ମନରେ ଅଶାନ୍ତି ଦେଖାଦିଏ । ଏହି ଅଶାନ୍ତିରୁ ନିସ୍ତାର ପାଇବା ପାଇଁ ଭଗବାନଙ୍କ ପାଖରେ ନିଜର ସକଳ କର୍ମ ଛାଡ଼ିଦେବା ଉଚିତ । ମନରେ ଶାନ୍ତି ଆଣିବା ପାଇଁ ଗୀତାରେ କୁହାଯାଇଛି – ଅଦ୍ଵୈଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବଚ / ନିର୍ମମୋ ନିରହଂକାରଃ ସମଦୁଃଖସୁଖଃ କ୍ଷମୀ (୧୨/୧୩) । ଅର୍ଥାତ୍ ଯେଉଁମାନଙ୍କ ନିକଟରେ ଦ୍ୱେଷ ଶୂନ୍ୟ ଅଟେ , ସେଭଳି ମଣିଷ ସମସ୍ତଙ୍କୁ ହିତୈଷୀ , ଦୟାଳୁ , ମମତା ପୂର୍ଣ୍ଣ , ଅହଂକାର ବର୍ଜିତ ତଥା ଦୁଃଖ ଓ ସୁଖକୁ ସମାନ ଜ୍ଞାନରେ ଦେଖେ , ସମସ୍ତଙ୍କ ପ୍ରତି କ୍ଷମାଶୀଳ ହୋଇଥାଏ , ଭଗବାନ ତାହାର ପ୍ରିୟ ହୋଇଥାନ୍ତି । ଏହିସବୁ ଗୁଣ ପାଇଁ ମଣିଷ କାହାଉପରେ କେବେ ଶତ୍ରୁତା ଭାବ ପୋଷଣ କରିବା ଅନୁଚିତ । କାହାର କ୍ଷତି ନକରି ସମସ୍ତଙ୍କ କଲ୍ୟାଣ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଆବଶ୍ୟକ । ସମସ୍ତଙ୍କ ଉପରେ ଦୟା , କରୁଣା ଭାବ ରଖି ମମତାର ଡୋରରେ ବାନ୍ଧି ନେଇ ନିଜ ମନ ଭିତରେ ଥିବା ସମସ୍ତ ଗର୍ବ , ଅହଂକାର ଦୂରେଇ ଦେବା ଉଚିତ୍ । ବ୍ୟକ୍ତି ସୁଖରେ ବିଭୋର ବା ଦୁଃଖରେ ଅଧିର ହେବା ଉଚିତ ନୁହେଁ । ଭଗବାନଙ୍କ ସେହି ବ୍ୟକ୍ତି କେବଳ ପରମ ଭକ୍ତ ପାଲଟେ , ଯିଏ ଉପଯୁକ୍ତ ନ୍ୟାୟ ବିଚାର ଦିଏ । ଯାହାର ମନ ସ୍ୱାଧୀନଚେତା ଓ ଭଗବାନଙ୍କ ସେବା ନିମଗ୍ନ ରହେ । ଯିଏ ସ୍ୱାର୍ଥ ଓ ଅଭିମାନ ଶୂନ୍ୟ ହୋଇଥାଏ , ଦୁଃଖ ବର୍ଜିତ ବ୍ୟକ୍ତି ଭଗବାନଙ୍କ ପ୍ରିୟ ପାଲଟିଯାଏ ।

ପ୍ରତ୍ୟେକ ମଣିଷ ମଧ୍ୟରେ ଚାରୋଟି ବିକାର ଭାବ ଦେଖାଯାଏ । ସେଗୁଡିକ ମଧ୍ୟରେ ରାଗ , ଦ୍ୱେଷ , ହର୍ଷ ଓ ଶୋକ । ଏହି ଚାରୋଟି ବିକାର ମଣିଷ ମନକୁ ଅପବିତ୍ର , ଅସ୍ୱଚ୍ଛ କରିଦିଏ । ଫଳରେ ତାର ବିକାରଗ୍ରସ୍ତ ମନ ବିଚଳିତ ହୋଇ ବିଭିନ୍ନ କୁକର୍ମ କରି ବସେ । ଶତ୍ରୁ ଓ ମିତ୍ର ଠାରେ କେବେ ସମ ବ୍ୟବହାର ଦେଖାଇପାରେ ନାହିଁ । ସାଂସାରିକ କ୍ଷେତ୍ରରେ ଶତ୍ରୁ , ମିତ୍ର , ମାନ , ଅଭିମାନ ହେଉଛି ସ୍ୱାଭିମାନର ପ୍ରତୀକ । ଯେଉଁମାନେ ଭଲ , ମନ୍ଦ , ଦୁଃଖ , ସୁଖ , ମାନ , ଅଭିମାନକୁ ଶୀତ , ଗ୍ରୀଷ୍ମ ଓ ବର୍ଷା ଭଳି ନିଜସ୍ୱ ବିଚାର ଧାରା ଓ ବୁଦ୍ଧି-ଜ୍ଞାନ ଦ୍ଵାରା ସମାନ ମନେ କରନ୍ତି ସେତେବେଳେ ସେ ଭଗବାନଙ୍କ ପରମ ଭକ୍ତ ହୋଇପାରନ୍ତି । ଗୀତାରେ କୁହାଯାଇଛି – ତୁଲ୍ୟ ନିନ୍ଦା ସ୍ତୁତି ମୈାନୀ ସନ୍ତୂଷ୍ଟୋ ଯେନ କେନଚିତ୍ / ଅନିକେତଃ ସ୍ଥିରମତିର୍ଭକ୍ତିମାନ୍ମେ ପ୍ରିୟୋ ନରଃ (୧୨/୧୯ ) । ଅର୍ଥାତ୍ ନିନ୍ଦା , ପ୍ରଶଂସାକୁ ସମାନ ଭାବରେ ଗ୍ରହଣ କରୁଥିବା ବ୍ୟକ୍ତି ଭଗବାନଙ୍କ ପ୍ରିୟ ଭକ୍ତ ପାଲଟି ଯାଆନ୍ତି । ସେହି ବ୍ୟକ୍ତି ଅଧିକ ଶାନ୍ତି ଲାଭକରେ , ଯେତେବେଳେ ସେ ଅଳ୍ପ / ବହୁତରେ ସମାନ ଖୁସି ହୋଇପାରେ ତାକୁ କେବେ ଦୁଃଖ ସ୍ପର୍ଶ କରିନଥାଏ ।

ବିଚାର କଲେ ମଣିଷର ଜୀବନ କେବେ ଲଗାମଛଡା ଫୁଲା ଫାଙ୍କିଆ ନୁହେଁ । ଜୀବନ ଏକ ସାଧନାର ମାର୍ଗ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲମ୍ବା ଜୀବନ କର୍ମ ସାଧଳାର କ୍ଷେତ୍ର । କର୍ମ କ୍ଷେତ୍ରରେ ସଂଯମ ରଖି ପାରିଲେ କର୍ମ ସୁଖପ୍ରଦ ହୋଇଥାଏ । ସଂଯମ କହିଲେ କର୍ମରେ ସଂଯମ , ଚରିତ୍ରରେ ସଂଯମ , ମନ , ଭାଷା , ବ୍ୟବହାର ଆଦିରେ ସଂଯମ ରକ୍ଷା କରି ପାରିଲେ ଭଗବାନଙ୍କର ସେ ପ୍ରିୟ ଭକ୍ତ ପାଲଟିଯାଏ…!!!

 ଅଧ୍ୟକ୍ଷ , ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ-୪
ଦୂରଭାଷ : ୯୪୩୭୭ ୪୦୨୮୦
Email : Laxmansahoo9040@gmail.com

Leave A Reply

Your email address will not be published.