Latest Odisha News

BREAKING NEWS

ଦଳିତ ଦୁଇ ଭଉଣୀଙ୍କୁ ହତ୍ୟା ଘଟଣାରେ କଠୋର ଦଣ୍ଡ ଦିଆଯିବ: ୟୁପି ଉପମୁଖ୍ୟମନ୍ତ୍ରୀ

ଲଖୀମପୁର: ଉତ୍ତରପ୍ରଦେଶରରେ ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ । ଏହା କହିଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ । ଲଖୀମପୁର ଖେରିରେ ଘଟିଥିବା ଏହି ହତ୍ୟା ଘଟଣାରେ 6 ଜଣଙ୍କୁ ଗିରଫ କରିଛି ପୋଲିସ ।  ସେ କହିଛନ୍ତି ଯେ ଆଇନ ଅନୁଯାୟୀ ସେମାନଙ୍କୁ ଏପରି ଦଣ୍ଡ ମିଳିବ ଯେ ଆଉ ସେପରି କେହି ଅପରାଧ କରିବାକୁ ଚାହିଁବେ ନାହିଁ  ।

ଦୁଷ୍କର୍ମ ଏବଂ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇଥିବା  ୬ ଯୁବକଙ୍କୁ ଗିରଫ କରାଯାଇ ପୋଲିସ ମାମଲାର ତଦନ୍ତ କରୁଛି  । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଛୋଟୁ, ଜୁନୈଦ, ସୁହେଲ୍, କରିମୁଦ୍ଦିନ, ଆରିଫ୍‌ ଏବଂ ହାଫିଜ୍‌ ଉର୍-ରେହମାନ । ଜୁନୈଦକୁ ପୋଲିସ ଏନକାଉଣ୍ଟର ପରେ ଧରିଥିଲା । ତା’ ଦେହରେ ଗୋଟିଏ ଗୁଳି ମଧ୍ୟ ବାଜିଥିଲା ।

ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ମୃତକ ଦୁଇ ଭଉଣୀଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ । କିନ୍ତୁ ଏଥିରେ ରାଜି ନହେବାରୁ ଅଭିଯୁକ୍ତ ଦୁଇ ଜଣ ତାଙ୍କର ୪ଜଣ ସାଙ୍ଗଙ୍କ ସହ ମିଶି ଏଭଳି କାଣ୍ଡ ଘଟାଇବାକୁ ଯୋଜନା କରିଥିଲେ । ପ୍ରଥମେ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟାକରି ମୃତଦେହକୁ ଗଛରେ ଟାଙ୍ଗିଦେଇଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ ହୋଇଥିବା ପ୍ରମାଣ ମିଳିଛି ।

ଘଟଣାକୁ ନେଇ ଲଖୀମପୁର ଏସପି ସଞ୍ଜୀବ ସୁମନ କହିଛନ୍ତି, ଗିରଫ ସମସ୍ତ ଅଭିଯୁକ୍ତ ଲାଲ୍‌ପୁର ଗାଁ ର । ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡରେ ସଂପୃକ୍ତ ଥିବାବେଳେ ସେମାନଙ୍କ ୨ ଜଣ ସାଙ୍ଗ ଅଭିଯୁକ୍ତଙ୍କୁ ସହଯୋଗ କରିଥିଲେ ।

ପୀଡିତାଙ୍କ ପରିବାର ଲୋକ ପ୍ରଥମରୁ ଅଭିଯୋଗ କରିଥିଲେ ଯେ ଦୁଇ ଝିଅଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା । ପୋଲିସ କହିବା ମୁତାବକ, ଦୁଇ ଭଉଣୀଙ୍କୁ ମିଛ କହି ସେମାନଙ୍କୁ ଆଖୁ କିଆରିକୁ ନେଇଥିଲେ ଅଭିଯୁକ୍ତ ।  ସେଠାରେ ଏଭଳି ଅପରାଧ ଘଟାଇବା ସହ ତାଙ୍କ ତଣ୍ଟିଚିପି ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ ଗଛରେ ଝୁଲାଇଦେଇଥିଲେ ।

Leave A Reply

Your email address will not be published.