Latest Odisha News

BREAKING NEWS

ମୁକୁଟଠୁ ମୁଣ୍ଡ ମୂଲ୍ୟବାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଏହି ଭାରତର ସନ୍ଥସଂସ୍କୃତି ମଧ୍ୟ ଏକ ସମୁନ୍ନତ ନିର୍ଭୀକ ମାନବସମାଜର ନବଜାଗରଣ ପାଇଁ ମନ୍ତ୍ରପାଠ କରିଆସିଛି କାଳେକାଳେ । ଗୁରୁ ଗୋବିନ୍ଦ ସିଂ ଆହ୍ୱାନ ଦେଇଥିଲେ – ‘ଯୁବକମାନେ ଦେଶ ପାଇଁ, ଜାତି ପାଇଁ ମରିବାକୁ ପ୍ରସ୍ତୁତ ହୁଅ ।’ ଏହି ନିର୍ଭୀକ ଗୁରୁଙ୍କ ନେତୃତ୍ୱରେ ଶାନ୍ତସହିଷ୍ଣୁ ଶିଖ୍‌ଜାତି ନିଜ ସାମାଜିକ ଇଜ୍ଜତ ରକ୍ଷା କରିବାର ଶପଥ ନେଇ ଅସ୍ତ୍ରଧାରଣ ପୂର୍ବକ ଏକ ସାହସିକ ସାମରିକ ଜାତିରେ ପରିଣତ ହୋଇପାରିଥିଲା । ଆପଣମାନଙ୍କର ମନେ ରଖିବା ଦରକାର “କୋଟିଏ ମୁକୁଟ ଠୁଁ କାହିଁ କେତେଗୁଣରେ ମୂଲ୍ୟବାନ ଗୋଟିଏ ମୁଣ୍ଡ … ସେ ମୁଣ୍ଡ ମଣିଷର ମୁଣ୍ଡ…”, ସେ ମୁଣ୍ଡଥିବା ମଣିଷମାନେ ପୁଣି ହେବା ଦରକାର ଚିରଉନ୍ନତ ଶିର ।

ସମଗ୍ର ବିଶ୍ୱରେ ଦେଶେ ଦେଶେ ବହୁ ମହାମନୀଷୀ ନିଜନିଜ ସମୟର ତଳିତଳାନ୍ତ ମାନବସମାଜ ପାଇଁ କାର୍ଯ୍ୟ କରିଯାଇଛନ୍ତି । ବିବ୍ରତ ନହୋଇ ସେ ପ୍ରତ୍ୟେକ ହୋଇଉଠିଛନ୍ତି ଏକ ମହାନ୍ ଜୀବନର ଜାଗରଣ ଉଦ୍ଦେଶ୍ୟରେ ଜଣେ ଜଣେ ଯଥାର୍ଥ ବ୍ରତମନସ୍କ ପଥଚାରୀ । କେହି ଜୀବନକୁ ବାଜି ଲଗାଇଦେଇ ମରଣ ସହିତ ମୁକାବିଲା କରିଛନ୍ତି, କେହି ହସିହସି ବିଷର ପିଆଲା ତୋଳିନେଇଛନ୍ତି ମୁହଁ ପାଖକୁ ଏବଂ ଆଉ କେହି କେହି ଫାଶୀ ଦଉଡ଼ିରେ ଗଳାଇଦେଇଛନ୍ତି ବେକ । ଶୂଳୀରୁ ଆରମ୍ଭକରି ଗୁଳି – ବନ୍ଧୁକରୁ ଆରମ୍ଭ କରି ବୋମା – କେବେହେଲେ କାହାର ଧମକଚମକ ଧରାଶାୟୀ କରିପାରିନି ସେମାନଙ୍କ ମହାନ୍ ଲକ୍ଷ୍ୟ ଓ ଉତୁଙ୍ଗ ଆଦର୍ଶବାଦକୁ । ସେ ସମସ୍ତଙ୍କର ମହାର୍ଘ ମନ୍ତ୍ର-ଉଚ୍ଚାରଣ ହେଉଛି ସାରା ମଣିଷଜାତିର ଦୁନିଆରୁ ଦୁଃଖ ଦୂରୀକରଣ । ମାତ୍ର ସେ ଦୁଃଖ କ’ଣ ଏଯାଏଁ ସରିଛି? ଏବେ ବି ମଣିଷ ମନରେ ଦୁଃଖ ଭରି ରହିଛି । ଆନନ୍ଦକୁ ଖୋଜି ଖୋଜି ମରୀଚିକା ପଛେପଛେ ଗୋଡେଇଗୋଡେଇ ମରଣଭୟର ମରୁବାଲିରେ, ହତାଶାପଙ୍କରେ ଘାଂଟି ହେଉଛୁ ଆମେ ସମସ୍ତେ ।

ଅର୍ଥାଭାବରୁ ଯେତିକି ଦୁଃଖଦୁର୍ଦ୍ଦଶାର ଘଟଣା ଘଟେ, ତା’ଠାରୁ ଅଧିକ ଘଟେ ଭଲ ପାଇବା ଅଭାବରୁ । ବ୍ୟକ୍ତିଗତ ଓ ସାମାଜିକ ସଂପର୍କ ମଣିଷ ନିକଟରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ – ତା’ର ବ୍ୟାଙ୍କ୍‌ରେ କେତେ ଅର୍ଥ ଅଛି – ସେଟା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି କିମିଆ କରି କେହି ସଂଗେସଂଗେ ବିଶ୍ୱର ଦାରଦ୍ର‌୍ୟ କମେଇଦିଏ, ତା’ହେଲେ ମଣିଷର ଦୁଃଖ ମାତ୍ର ଶତକଡ଼ା ୫ଭାଗ କମିବ ଏବଂ ଆଉ ଯଦି କେହି ବିଷାଦ, ଉଦ୍‌ବେଗରୁ ମଣିଷକୁ ବିଚ୍ଛିନ୍ନ କରିଦିଏ, ତା’ହେଲେ ଦୁଃଖ କମିବ ମାତ୍ର ଶତକଡ଼ା ୨୦ଭାଗ ।

ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର ଏକ ସମୀକ୍ଷାରୁ ଜଣାପଡ଼ିଛି – ମଣିଷର ଆଶାଆକାଂକ୍ଷା ତାଲିକାରେ ଅଗ୍ରାଧିକାର କ’ଣ କ’ଣ ପାଇବ । ସେଇ ଅନ୍ଦାଜ ଆମ ଅଧିକାଂଶଙ୍କର ଭୁଲ ଏବଂ ସରକାରଙ୍କର କାର୍ଯ୍ୟସୂଚୀରେ ଦାରିଦ୍ର‌୍ୟ ଦୂରୀକରଣ, କର୍ମସଂସ୍ଥାନ, ଶିକ୍ଷାପ୍ରସାର ଓ ସ୍ୱାସ୍ଥ୍ୟପ୍ରସାର ଆଭିମୁଖ୍ୟ ଯେଉଁ ପରିମାଣରେ ଗୁରୁତ୍ୱ ପାଉଛି, ତା’ଠାରୁ ଅଧିକ ଗୁରୁତ୍ୱ ପାଇବା ଉଚିତ୍ – ସହ୍ୟ ଶକ୍ତି, ଗୃହନିଗ୍ରହ, ଯୁବସମାଜ ମଧ୍ୟରେ ବିଚ୍ଛିନ୍ନତା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରୀକ୍ଷାଭୟ । କାରଣ ଏ ସବୁର ପ୍ରଭାବରେ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ କ୍ଷେତ୍ରରେ ଦୁଶ୍ଚିନ୍ତା ଏତେ ବୃଦ୍ଧି ପାଉଛି ଯେ ମାନସିକ ସ୍ଥିତି ତଳକୁ ତଳକୁ ଯାଉଛି । ମଣିଷ ଅସୁଖୀ ହୋଇପଡ଼ୁଛି, ଯଦି ପରିବାର ମଧ୍ୟରେ ସ୍ନେହ, ପ୍ରୀତି ପାରସ୍ପରିକ ଶ୍ରଦ୍ଧା ଥାଏ, ସମାଜ ଜୀବନରେ ଥାନ୍ତି, ସମଝ୍‌ଦାର ବନ୍ଧୁ ଓ ଶୁଭେଚ୍ଛାସଂପନ୍ନ ଆତ୍ମୀୟବର୍ଗ – ତା’ହେଲେ ଦାରିଦ୍ର‌୍ୟଗ୍ରସ୍ତ ମଣିଷ ମଧ୍ୟ ମହାସୁଖରେ ଖୁସିମନରେ ନିଦରେ ଶୋଇପାରେ, ତାହାର ସଂପଦ ହେବ ତାହାର ଅନୁଦ୍‌ବିଗ୍ନ ହୃଦୟ । ଏ କଥାଟି ନୂଆ ନୁହେଁ । ବହୁ ମହାପୁରୁଷ ବାରମ୍ବାର କହିଛନ୍ତି । ଅର୍ଥ ଅପେକ୍ଷା ପରମାର୍ଥ ବହୁଗୁଣରେ ମୂଲ୍ୟବାନ । ମଣିଷ ତାହା ଶୁଣିଛନ୍ତି ଏବଂ ଭକ୍ତି ସହକାରେ ପ୍ରଣାମି ଦେଇଛନ୍ତି ।

ଯେଉଁ ମଣିଷଟି ପ୍ରେମ ନ ପାଇ ଜୀବନ ହରାଇ ଦିଏ କିମ୍ବା ପ୍ରେମ ପାଇବା ପାଇଁ ସଂପତି ହରାଉଛି, ତାକୁ ଦେଖି ଲୋକେ ଭାବନ୍ତି – ଆବେଗର ଆତିଶଯ୍ୟ ଏହାର କ୍ଷତି କଲା ବା ଟଙ୍କାର ଅଭାବରେ କ୍ଷୁଧାର ଜ୍ୱାଳାରେ ମୃତ ମଣିଷର ଦୁଃଖଠାରୁ ଏହି ପ୍ରେମଦଗ୍ଧ ମଣିଷର ଦୁଃଖ ଅଜସ୍ରଗୁଣ ତୀବ୍ରତର ହୋଇସାରିଛି । ସମୀକ୍ଷା କିନ୍ତୁ କହୁଛି – ବାସ୍ତବରେ ସଂପର୍କ ସ୍ପୃହାହିଁ ଅଧିକ ଜୀବନ ନିୟନ୍ତ୍ରକ । ସମୀକ୍ଷା ଏହା ମଧ୍ୟ ଜଣାଇଛି ଯେ ଶିକ୍ଷା ଆୟତ୍ତ କରିବା ଅପେକ୍ଷା ଚମତ୍କାର ଜୀବନସଂଗୀ ସନ୍ଧାନରେ ମଣିଷର ନିକଟତର ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବର୍ତମାନ ଯୁବଛାତ୍ରସମାଜ ମଧ୍ୟରେ ଦ୍ରୁତଗତିରେ ଅପସଂସ୍କୃତି ପ୍ରବେଶ କରି ଭବିଷ୍ୟତ ଜୀବନକୁ ଅନ୍ଧକାରର ଏକ ଅନ୍ଧକୂପ ଆଡ଼େ ଆଗେଇ ନେଉଛି । ବହୁସଂଖ୍ୟାରେ ଦେଖିବାକୁ ମିଳୁଛି ଏପରି ଉଚ୍ଛୁଙ୍ଖଳ ଯୁବକଯୁବତୀମାନଙ୍କୁ ଯେଉଁମାନେ ପରବର୍ତୀ କାଳରେ ଅନୁତାପ କରନ୍ତି ନାହିଁ ଯେ ସେତେବେଳେ ମନଦେଇ ପଢ଼ିଥିଲେ ଆଜି ସଂପନ୍ନ ଗୃହସ୍ଥ ହୋଇଥାନ୍ତୁ – ଶୀଘ୍ର ଶୀଘ୍ର ବାହାହୋଇ ସଂସାର କରି ଏଭଳି ଅନଟନରେ ପଡ଼ିନଥାନ୍ତୁ ।

ଆଜିର ଯୁବଛାତ୍ରସମାଜ ମଧ୍ୟରେ ନୈତିକତା, ଆଦର୍ଶ, ସତ୍ୟତାର ଚିହ୍ନବର୍ଣ୍ଣ ଦୁର୍ଲଭ । ୟାଙ୍କି ସଂସ୍କୃତି, ଅପସଂସ୍କୃତିରେ କଣ୍ଠାଗ୍ରତ, ଏବକାର ଅଧିକାଂଶ ଯୁବଛାତ୍ରସମାଜ ଟିଭି ସିନେମା ଦେଖି ହିରୋ-ହିରୋଇନ୍‌-ଭିଲାନମାନଙ୍କୁ ଅନୁକରଣ କରି ସେଇଭଳି ଅର୍ଦ୍ଧନଗ୍ନ ପୋଷାକ, ଚୁଟି କଟାକୁ ଅନୁକରଣ କରୁଛନ୍ତି । ବିଦେଶୀ ଖାଦ୍ୟ, ଜଙ୍କ ଫୁଡ଼କୁ ପ୍ରସାଦ ମନେ କରି ପାଣିଭଳି ପିଇଯାଉଛନ୍ତି । ପିଲାଠାରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ଟିଭିରେ ସିନେମା, ସିରିଅଲ୍ ଉପରୁ ଆଖିପତା ଫେରଉ ନାହାନ୍ତି । ମୋବାଇଲ୍ ତ ସବୁବେଳେ କାନରେ; ଆଙ୍ଗୁଠିଯାଇ ସ୍କ୍ରିନ୍ ଟଚ୍‌ରେ । ଏହା ଫଳରେ ଏକେତ ଅଖାଦ୍ୟ ଖାଇ ରୋଗରେ ପଡ଼ୁଛନ୍ତି ଏଣେ ଆଖି ଖରାପ ହେଉଛି – ତେଣେ ପକେଟ୍‌କୁ କଣା କରି ଟଙ୍କା ପଇସା ପବନରେ ଉଡ଼ିଯାଉଛି – ପୁଣି ରୋଜଗାର ନ ଥିବାରୁ ବାପମା’ଙ୍କୁ ଧମକେଇ ଚମକେଇ ଅର୍ଥ ନେଇଯାଉଛନ୍ତି । ଆଉ କେତେକେ ନିଜନିଜର ପ୍ରେମିକ-ପ୍ରେମିକାଙ୍କ ପର୍ସ ଖାଲିକରି ଦେଉଛନ୍ତି । ଏସବୁ ଧନଲୋଭୀ ଶିଳ୍ପପତି, କ୍ଷମତାଲୋଭୀ ଶାସକ-ପ୍ରଶାସକଙ୍କ କାରସାଦି । ଯୁବ-ଛାତ୍ରସମାଜ ମୁଣ୍ଡକୁ ଖରାପ ନ କଲେ ତାଙ୍କ ଶାସନ ଚାଲିପାରିବ ନାହିଁ । ସଂପତି ସୁରକ୍ଷିତ ରହିବ ନାହିଁ । ଯେଉଁ ଦେଶରେ ଯୁବଛାତ୍ର ସମାଜ ଅନ୍ୟାୟ ଅତ୍ୟାଚାର, ଶୋଷଣ, କଷଣ, ହତ୍ୟା, ରାହାଜାନି, ଅପସଂସ୍କୃତି ବିରୋଧରେ ଖଡ଼୍‌ଗହସ୍ତ ହୁଏନା, ସେ ଦେଶର ଅଦୃଷ୍ଟରେ ଦୁର୍ଭାଗ୍ୟ ହିଁ ପ୍ରଥମ ଓ ଶେଷ ଲେଖା । ସେ ଦେଶ ଅଭାଗା । ଆମର ସବୁ ଥାଇ ଆମେ ହାହୁତାଶରେ ପ୍ରତିଦିନ ବଂଚି ବି ମରୁଛେ । ଯିଏ ଯେତେବଡ଼ ଧନୀ ହୁଅନ୍ତୁ ପଛେ ମନରେ ସରସ ଭାବ ନାହିଁ । କୋଉ କୋଣରେ ନା କୋଉ କୋଣରେ ଦୁଃଖ, ହତାଶା, ଭୟ ମାଡ଼ି ବସୁଛି ।

ମଣିଷ-ମଣିଷର ସଂପର୍କ ଆର୍ଥିକ ସାମର୍ଥ୍ୟ ପାଇଁ ନିର୍ଦ୍ଧାରିତ ହୁଏ କି ? ଗୋଟିଏ ଅତି ଆନନ୍ଦମୟ ଦାମ୍ପତ୍ୟ ସଂପର୍କ ଅର୍ଥାଭାବରୁ ଦୂଷିତ ହୋଇଯାଏନା ? ସନ୍ତାନମାନେ କ’ଣ ପିତାମାତାଙ୍କ ଦରିଦ୍ରତା ପାଇଁ ଶତ୍ରୁମନୋଭାବାପନ୍ନ ହୋଇ ପଡ଼ନ୍ତି କି ? ଗୋଟିଏ ସଂପର୍କର ପ୍ରକୃତ ଶ୍ରଦ୍ଧା ପ୍ରୀତି ପାଇଁ ଯେଉଁ ପରିମଣ୍ଡଳ ପ୍ରୟୋଜନ – ଅର୍ଥାଭାବରୁ ତାହା ନଷ୍ଟ ହୋଇ ଯାଉଛି କି ?

ଏବେ ବିଭିନ୍ନ ଖବରରୁ ଜଣାପଡ଼ିଛି ପ୍ରେମ ପାଉ ନାହିଁ ବୋଲି ପ୍ରାଚୁର୍ଯ୍ୟ ଶିଖରରେ ପହଂଚି ମଧ୍ୟ ମଣିଷ ଆତ୍ମହତ୍ୟା କରୁଛି । ଧନୀଲୋକମାନେ ବରାବର ସଂପତିର ପାହାଡ଼ ଉପରେ ବସି ପୁଣି ଧନ ପାଇଁ ବିକଳ ହୁଅନ୍ତି – ନାନା ଉପାୟ, କଳକୌଶଳ, ଷଡ଼ଯନ୍ତ୍ର, ଅନ୍ୟାୟ ଅତ୍ୟାଚାର, କଷଣ ଶୋଷଣ କରି ତାଙ୍କ ଧନସଂପତିର ପାହାଡ଼କୁ ସ୍ୱର୍ଗ ପର୍ଯ୍ୟନ୍ତ ଲମ୍ବାଇ ଦେବାକୁ ଇଚ୍ଛା କରି ଶେଷରେ ରୋଗ, ନିରାଶା, ହତାଶାର ହାହୁତାଶନରେ ସ୍ୱର୍ଗଧାମକୁ ଯାତ୍ରା କରନ୍ତି । ସେହି ସଂପତି ତାଙ୍କ ବଂଶ ପରିଜନମାନଙ୍କୁ ଖାଇ ଗୋଡ଼ାଏ । ସଂପର୍କ ଭାଙ୍ଗି ଛିନ୍‌ଛତ୍ର ହୋଇଯାଏ । ଧନଲୋଭ ମଣିଷକୁ ରସାତଳକୁ ଟାଣିନିଏ । ଟଲଷ୍ଟୟଙ୍କ ସେଇ ସ୍ମରଣୀୟ ଗଳ୍ପ ‘ମଣିଷ ପାଇଁ କେତେ ଜମି ଲୋଡ଼ା’କୁ ଟିକେ ହେଜନ୍ତୁ । ତେଣୁ ସଂପର୍କ ହିଁ ଏକମାତ୍ର ଅସଲ ସଂପତି ।

ସଂପର୍କର ସଂକଳ୍ପଟିଏ ଆଜିର ମଣିଷ ପାଇଁ ବିଶ୍ୱଶାନ୍ତିର ବିକଳ୍ପ । ବୃତିର ଦାୟ, କୃଷିଭିତିକ ସଂସ୍କୃତିର କ୍ରମବିଦାୟ, ଶିଳ୍ପକୈନ୍ଦ୍ରିକ ସଭ୍ୟତାର ଦ୍ରୁତସଂଚାର କେବଳ ଏକାନ୍ନବର୍ତୀ ପରିବାରର ପରମ୍ପରାକୁ ମୂଳପୋଛ କରିନାହିଁ, ମଣିଷକୁ ତା’ ନିଜଠାରୁ ମଧ୍ୟ ଦୂରେଇ ଆଣିଛି ପୂରାପୂରି । ଆମେ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତି ଦେଖୁଛୁ, ନାଗରିକ ସମାଜ ସହିତ ରାସ୍ତାର ବାଁ ପଟେ ପ୍ରାତଃଭ୍ରମଣ ଓ ସାନ୍ଧ୍ୟଭ୍ରମଣ କରୁଛୁ – ମାତ୍ର ଭଦ୍ରବ୍ୟକ୍ତିମାନଙ୍କ ମଧ୍ୟରେ ମଣିଷଟିଏ ଭେଟିପାରୁନୁ, ଯେମିତି ଭଦ୍ରମହଳାମାନଙ୍କ ଭିତରେ ଅସଲ ନାରୀର ବ୍ୟକ୍ତିତ୍ୱ ।

ରାଜପଥରେ ପେଟ ପାଇଁ ପଟୁଆର । ଜନପଥରେ ଜନସମୁଦ୍ରର ଜୁଆର । ମାତ୍ର ଜୀବନପଥ ନିର୍ଜନ । ମଣିଷ ସହିତ ମଣିଷ ସଂପର୍କଶୂନ୍ୟ । ନିଜ ପାଇଁ ଭଲ ଚାହିବାଟା ଯେତେ ବଡ଼ୁଛି, ଅନ୍ୟ ଅନେକଙ୍କୁ ଭଲପାଇବାଟି ସେତେ ଛିଡ଼ୁଛି । ଆମେ ଅର୍ଥରେ ସମର୍ଥ, ମାତ୍ର ଅନୁରାଗରେ ଅନନ୍ୟୋପାୟ ଅସହାୟ । ଧନକୁବେରମାନଙ୍କ ଅର୍ଥନୀତିରେ ମନର ମଙ୍ଗଳ ନାହିଁ । ମନ ଯାଇ ବନବାସ କରୁଛି ଅଗମ୍ୟ ଅଂଚଳରେ, ହୃଦୟ ଅଛି ଅଜ୍ଞାତବାସରେ । ଖୋଜିଲା ମନ ପାଇଁ ଧ୍ୟାନ ଦିଆଯାଉ, ହଜିଲା ହୃଦୟ ପାଇଁ ହୁଲିଆ ଜାରି ହେଉ – ଏହା ହିଁ ଆଜିର ମଣିଷ ପ୍ରତି ସଂପର୍କର ଆହ୍ୱାନ । ସଂପର୍କର ସଂସାର ହିଁ ସାର – ମନଲାଖି ମଣିଷସମାଜ ପାଇଁ ଶୁଖିଲା ସଭ୍ୟତାକୁ ଲୁହଭିଜା ସଂସ୍କୃତିର ଏଇ ପ୍ରକୃତରେ ଶୁଭସମାଚାର ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.