ସନ୍ତାନମାନଙ୍କ ଶରୀର ସୁରକ୍ଷା ପାଇଁ ଷଷ୍ଠୀ ଓଷା ବା ଷଠିଓଷା ପର୍ବ

(ଓଡିଶାର ପର୍ବପର୍ବାଣୀକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା)

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାରର ସ୍ଥାନୀୟ ବା ଆଞ୍ଚଳିକ ପର୍ବପର୍ବାଣି ପାଳନ କରାଯାଇଥାଏ । ଏମିତି ଏକ ପର୍ବ ହେଉଛି ଷଷ୍ଠୀ ଓଷା ବା ଷଠିଓଷା । ଅବିଭକ୍ତ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଏହା ଏକ ପ୍ରମୁଖ ପର୍ବ ।

ବାଲି ତୃତୀୟାରୁ ଆରମ୍ଭ ହୁଏ ଷଠିଓଷା ପାଇଁ ପ୍ରସ୍ତୁତି, ଯେତେବେଳେ ପୋଖରୀ କୂଳରୁ କଞ୍ଚା ମାଟି ଆଣି ଘରେ ରଖାଯାଏ। ଏହି ମାଟିରୁ ଗଣେଶ ଚତୁର୍ଥୀରେ ମା ତିଆରି କରନ୍ତି ଦୁଇଟି ମାଟି କଣ୍ଢେଇ, ଯୁଗଳ ମୂର୍ତ୍ତି। ଗୋଟିଏ ଥାଏ ସ୍ତ୍ରୀ କଣ୍ଢେଇ ଗ୍ରାମଦେବତୀ, ଆଉ ଗୋଟେ ପୁରୁଷ କଣ୍ଢେଇ ସ୍ଥାନ / ଥାନପତି । ସୁନ୍ଦର ଭାବରେ ତିଆରି ହୋଇଥିବା ଏହି କଣ୍ଢେଇରେ ସୋରିଷ ନହେଲେ ବିରିରେ ଆଖି ହୋଇଥାଏ । ପୁରୁଷ କଣ୍ଢେଇରେ ମାଟିରେ ପଇତା କରାଯାଉଥିବାବେଳେ ମହିଳା କଣ୍ଢେଇରେ ମାଟିର ମାଳି ସାଙ୍ଗକୁ ଉଭୟର ନାକ ପାଟି ବେଶ ନିଖୁଣ ଭାବରେ ତିଆରି ହୋଇ ଖରାରେ ଶୁଖିବା ପାଇଁ ଛାଡି ଦିଆଯାଏ ।

ଏହାପରେ ଷଠିଓଷା ଦିନ ସକାଳୁ ଷଠି ଠାକୁରାଣୀଙ୍କୁ ପିଢ଼ା ଉପରେ ହଳଦୀ କନା ପକେଇ ସ୍ଥାପିତ କରାଯାଏ । ଯୁଗଳ ମାଟି କଣ୍ଢେଇ ସହିତ ଅଁଳା ଓ ହଳଦୀ ବଟାରେ ତିଆରି ହୁଏ ଆଉ ସାତଟି ଛୋଟ ଛୋଟ କଣ୍ଢେଇ । ନଅଟି ଯାକ କଣ୍ଢେଇ ପିଢ଼ା ଉପରେ ଥିବା ହଳଦୀଲଗା କନା ଉପରେ ପୂଜା ହେବା ପାଇଁ ରଖି ଦିଆଯାଏ । ମାଟି କଣ୍ଢେଇ ଯୁଗଳଙ୍କୁ ନୂଆ କନା ପିନ୍ଧା ହୁଏ । ପୁରୁଷ କଣ୍ଢେଇକୁ ହଳଦିଆ ରଙ୍ଗର କନା ଧୋତି ଭଳି ପିନ୍ଧାଯାଏ ଆଉ ତା ସାଙ୍ଗକୁ ଥାଏ ନାଲି କିମ୍ବା ସବୁଜ ରଙ୍ଗର ଦୋସଡା । ସେହିଭଳି ସ୍ତ୍ରୀ କଣ୍ଢେଇକୁ ଲାଲ ଲୁଗା ସାଙ୍ଗକୁ ହଳଦୀ ରଙ୍ଗ କିମ୍ବା ସବୁଜ ରଙ୍ଗର ଓଢଣୀ ପରିଧାନ କରାଯାଏ ।

ଷଠିଓଷା ସକାଳୁ ଆମ୍ବ, ଓଲୁଅ, ବଣସାରୁ, ବଜ୍ରମୁଳି, ବରକୋଳି, ଅଁଳା ଓ ମଲ୍ଲୀ ଆଦି ସାତ ପ୍ରକାର ଡାଳକୁ ଏକାଠିକରି ହଳଦୀଲଗା କନାରେ ବିଡା କରି ବଂନ୍ଧାହୁଏ ଆଉ ବନ୍ଦାଣ ଥାଳିରେ ଦୁବ, ବରକୋଳିପତ୍ର, ଫୁଲ ଓ ହଳଦୀ ବୋଳା ଚାଉଳ ସାଙ୍ଗରେ ରଖା ହୋଇଥାଏ ।

ଷଠି ଠାକୁରାଣୀଙ୍କ ପାଖରେ ଦୀପ ଜଳୁଥାଏ ଆଉ ଗୋଟେ ଯାଗାରେ ବଢ଼ା ହୋଇଥାଏ ଅତୁଟେଇ ଭୋଗ ଭାବରେ ଚାଉଳ, ମକା, ସାରୁ, ଭେଣ୍ଡି କଷି, ଜନହିଁ କଷି, ନଡିଆ ଇତ୍ୟାଦି ଇତ୍ୟାଦି ।

ସକାଳୁ ଗାଧୋଇ ସାରି ସଫା ପ୍ୟାଣ୍ଟ ସାର୍ଟ ପିନ୍ଧି ସବୁ ପିଲାମାନେ ଜଣେ ପରେ ଜଣେ ବନ୍ଦାଣ ପାଇଁ ବସନ୍ତି। ହାତରେ ଧରେଇ ଦିଆଯାଏ ସରୁଚକୁଳି ପିଠା ଓ ଲଡୁ ଏବଂ ହୁଳହୁଳି ସାଙ୍ଗକୁ ମୁଣ୍ଡରେ ପଡେ ଦୁବ ବରକୋଳି ପତ୍ର ଆଉ ହଳଦୀ ବୋଳା ଚାଉଳ । ବନ୍ଦାଣ ପରେ ଡାଳ ବିଡାରେ ପିଠିରେ ବସେ ସାତଟି ପାହାର । ପ୍ରଥମ ଛଅଟି ଧୀରେ ଧୀରେ ପାହାର ହେଉଥିବାବେଳେ ବଜ୍ର ପାହାର କୁହାଯାଉଥିବା ସପ୍ତମଟି ଜୋରରେ ପଡିଥାଏ । ଏହାପରେ ଘରେ ପିଠା ଅଟକାଳି ଖାଇ ସମ୍ପର୍କୀୟ ଓ ଅନ୍ୟ କିଛି ଘରକୁ ପିଲାମାନେ ଯାଇ ବନ୍ଦାଣ ହୋଇଥାନ୍ତି ସେହି ସମାନ ଧାରାରେ । ଏହି ବନ୍ଦାଣ ପଛରେ ବିଶ୍ୱାସ ରହିଛି ଯେ ଷଠି ଠାକୁରାଣୀ ପିଲାମାନଙ୍କ ଶରୀରକୁ ବଜ୍ର ଭଳି ସୁରକ୍ଷା ଦେଇଥାନ୍ତି ।

ଷଠି ଓଷା ପରେ ବଡ ଦଶମୀ ଯାଏଁ ସେଇମିତି ରହିଥାଏ ଦେବୀଙ୍କ ଆସ୍ଥାନ । ବଡ଼ଦଶମୀ ଦିନ ବଢାଯାଇଥିବା ଅତୁଟେଇକୁ ନେଇ ଗୋଟେ ବଡ ପିଠା କରାଯାଏ । ଏହି ଅତୁଟେଇ ପିଠା ଘର ମଧ୍ୟରେ ହିଁ ଖାଇବା ବିଧି ରହିଛି ଯାହା ଇରୁଣ୍ଡି ଡେଇଁ ବାହାରକୁ ଯାଏ ନାହିଁ । ଯଦି ବଡ଼ଦଶମୀ ଶନିବାର ପଡେ ତେବେ ପରବର୍ତ୍ତୀ ଦିନ ଏହି ପିଠା ହୋଇଥାଏ । ଏଥିସହିତ କଣ୍ଢେଇ ସମେତ ସବୁଜିନିଷ ଏକାଠି ପାଣିରେ ବିସର୍ଜନ କରାଯାଇଥାଏ।

ପିଲାଦିନେ କଣ୍ଢେଇ ତିଆରି ହେବାବେଳେ ମାଟି ଚକଟି ଖେଳିବା, ଘରକୁ ଘର ବନ୍ଦାଣ ହୋଇ ପିଠା ଖାଇବା ଏବଂ ଶେଷରେ ଅତୁଟେଇ ପିଠା ଖିଆ ଓ ବିସର୍ଜନ ସବୁକିଛି ବେଶ ରୋମାଞ୍ଚକର ଅନୁଭୂତି ହେଉଥିଲା । ତେବେ ବର୍ତ୍ତମାନ ମଧ୍ୟ ସହରରେ ମାଟି କଣ୍ଢେଇ ସ୍ଥାନରେ ଅନେକ ହଳଦୀ ବଟାରେ ତିଆରି ଷଠି ଠାକୁରାଣୀଙ୍କୁ ପୂଜା କରି ବିଧି ରକ୍ଷା କରିଥାନ୍ତି ।