Latest Odisha News

BREAKING NEWS

ବିଜେପିର ହେଭିୱେଟ ନେତାଙ୍କୁ ଘାରିଲାଣି ନିର୍ବାଚନ ଜିତିବା ଚିନ୍ତା !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆସନ୍ନ ଥିବାବେଳେ ରାଜ୍ୟ ବିଜେପିର ପ୍ରମୁଖ ଚେହେରା ଏବେଠୁ କ୍ଷେତ୍ର ପ୍ରସ୍ତୁତି ଜୋରଦାର କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜ୍ୟ ବିଜେପିର ତିନି ପ୍ରମୁଖ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କ ସହ ସାମିଲ ହେଉଥିବା ଦେଖିବାକୁ ମିଳୁଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ଅନୁଗୁଳ ଜିଲ୍ଲାର ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ ଦିନ ମା ହିଙ୍ଗୁଳାଙ୍କୁ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା ହିଙ୍ଗୁଳାଙ୍କର ସିତୁଳା ଯାତ୍ରାରେ ସାମିଲ ହୋଇଛନ୍ତି ଧର୍ମେନ୍ଦ୍ର। ସେହିଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଧର୍ମେନ୍ଦ୍ରଙ୍କ ସହ ତାଙ୍କ ଧର୍ମପତ୍ନୀ ମୃଦୁଳା ଠାକୁରଙ୍କୁ ଦେଖିବାକୁ ମିଳୁଛି।

ସେହିପରି ପୂର୍ବ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇ ଅଳ୍ପ ଭୋଟରେ ହାରିଥିବା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଝାମୁ ଯାତ୍ରାରେ ନିଆଁ ଉପରେ ଚାଲିଥିବା ଦେଖିବାକୁ ମିଳିଛି। ପୁରୀ ସଦର ବ୍ଳକ ସମଙ୍ଗ ପଞ୍ଚାୟତର ଦୁଲଣ ଦେବୀ ପୀଠରେ ଚାଲିଥିବା ଝାମୁ ଯାତ୍ରାରେ ସମ୍ବିତ ପାତ୍ର ନିଆଁରେ ଚାଲିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବନ୍ଧୁମିଳନ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ବିଜେପିର ତିନି ପ୍ରମୁଖ ଚେହେରାଙ୍କୁ ନିର୍ବାଚନ ପୂର୍ବରୁ ଆକ୍ଟିଭ ହେବା ରାଜନୈତିକ ଚର୍ଚ୍ଚାକୁ ବଢ଼ାଇଦେଇଛି।

ନିର୍ବାଚନ ବେଶ ପୂର୍ବରୁ ନିଜ ନିଜ କ୍ଷେତ୍ରରେ ଲୋକଙ୍କ ନିକଟତର ହେବା ପାଇଁ ଏହା ପ୍ରୟାସ ବୋଲି ଆଲୋଚନା ହେଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ କିମ୍ବା ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଲଗାତର ଯୋଗଦାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ସେପଟେ ପୁରୀ ସଂସଦୀୟ କ୍ଷେତ୍ରରୁ ଆଉଥରେ ସମ୍ବିତ ପାତ୍ର ଲଢ଼ିବା ନେଇ ଧୀରେ ଧୀରେ ସ୍ପଷ୍ଟ ହେଉଥିବା କୁହାଯାଉଥିବା ବେଳେ ଭୁବନେଶ୍ୱରରୁ ଅପରାଜିତା ପୁଣିଥରେ ସାଂସଦ ଭାବେ ଲଢ଼ିବେ ବୋଲି ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.