କଟକ: ଜଣେ ଝିଅ ବିବାହ କରି ସାରି ଥିବାରୁ ତାକୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରିବା ଉଚିତ ନୁହେଁ। ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକଦାର। ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ମାନ୍ୟବର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଢେଙ୍କାନାଳର ଗୋରୀ ଜେନା ନାମ୍ନୀ ଜଣେ ଆବେଦନକାରିଣୀଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରିଣୀଙ୍କ ବାପା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ କରିଥିଲେ। ଚାକିରିରେ ଥିବା ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କର ବିବାହିତା ଝିଅ ଗୋୖରୀ ଜେନା ଢେଙ୍କାନାଳ ସିଡ଼ିଏମଓଙ୍କୁ ଅନୁକମ୍ପାମୂଳକ ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଗୌରୀ ବିବାହିତା ଦର୍ଶାଇ ଢେଙ୍କାନାଳ ସିଡିଏମଓ ୨୦୧୬ ଜୁଲାଇ ୨୮ ତାରିଖରେ ଆବେଦନକୁ ଖାରଜ କରି ଦେଇଥିଲେ । କେବଳ ବିବାହ କରିଥିବାରୁ ନିଯୁକ୍ତିରୁ ବଞ୍ଚିତ କରାଯିବା ସମ୍ବିଧାନର ଧାରା ୧୪, ୧୫ ଓ ୧୬ର ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଆବେଦନ କାରିଣୀଙ୍କ ଦାବିକୁ ଗ୍ରହଣ କରି ଦୁଇ ମାସ ମଧ୍ୟରେ ନୂଆ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.