Latest Odisha News

BREAKING NEWS

ରାଜଧାନୀରେ ଛାତିଥରା ଦୁର୍ଘଟଣା: ଓଭରବ୍ରିଜ୍ ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଝରିଲା ରକ୍ତ। ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ ଟ୍ରକ୍ ଚାପିଦେବାରୁ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନୟାପଲ୍ଲୀରୁ ବରମୁଣ୍ଡା ଯାଇଥିବା ଓଭରବ୍ରିଜ୍ ଉପରେ ଏହି ଛାତିଥରା ଘଟଣା ଘଟିଛି। ଠିକ୍ ଫାୟାର ଷ୍ଟେସନ୍ ଓଭରବ୍ରିଜ୍ ଉପରେ ଲୋକେ ଯାଉଥିବା ବେଳେ ପଛପଟୁ କାଳ ସାଜି ଆସିଥିଲା ଟ୍ରକ୍। ନୟାପଲ୍ଲୀ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ନିୟନ୍ତ୍ରଣ ହରାଇ ଗୋଟିଏ ବାଇକ୍ ଓ ଦୁଇଟି ସ୍କୁଟିକୁ ପଛରୁ ଶକ୍ତ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଅଟକି ନଥିଲା ଟ୍ରକ୍। ସିଧାସଳଖ ତଳେ ପଡ଼ିଯାଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି।

ତେବେ ବର୍ତ୍ତମାନ ସୁଦ୍ଧା ତିନି ମୃତକଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ରାସ୍ତାରେ ପ୍ରବଳ ଭିଡ଼ ଜମିଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଓ ଟ୍ରାଫିକ୍ ପୋଲିସ ପହଞ୍ଚିଥିଲେ। ପରିସ୍ଥିତି ଏବଂ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ସ୍ୱତନ୍ତ୍ର ଭାବେ ଆଇଆରବି (IRB) ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଫେରାର ଥିବା ଟ୍ରକ୍ ଓ ଡ୍ରାଇଭରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.