Latest Odisha News

BREAKING NEWS

କେତେ ସତ କହୁଛନ୍ତି ଜୟ ନାରାୟଣ ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ଜୟ ନାରାୟଣ ସତ କହୁଛନ୍ତି କି ? ଯଦି ସତ କହୁଛନ୍ତି ତା ହେଲେ ସେ ସବୁର ଆଧାର କଣ ? କେଉଁ ଭିତ୍ତିରେ ସେ ଏ ସବୁ ଅଭିଯୋଗ ଆଣୁଛନ୍ତି। ତାଙ୍କ ପାଖରେ କଣ ଏ ସବୁକୁ ନେଇ କିଛି ପ୍ରମାଣ ଅଛି କି? ନା ତାଙ୍କର ଅଭିଯୋଗ ସବୁ କେବଳ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ। ଯଦି ଜୟ ନାରାୟଣଙ୍କ କଥାରେ କିଛି ସତ୍ୟତା ନାହିଁ ତାହେଲେ ବିଜେଡି କାହିଁକି ଏତେ ପ୍ରତିକ୍ରିୟାଶୀଳ ହେଉଛି। ନବ ଦାସ ହତ୍ୟା ଘଟଣାରେ ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି।

ନବ ଦାସ ହତ୍ୟା ଘଟଣାରେ ରାଜନୈତିକ ବିବାଦ ଓ ଚର୍ଚ୍ଚାର ଶୀର୍ଷରେ ଏବେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଥିବା ବେଳେ ମହିଳା ଥାନା ଅଧିକାରୀଙ୍କ ସହ ଧକମଧକ୍କା ଓ ତା ପରେ ପ୍ରତିଦିନ କିଛି ନା କିଛି କଥାକୁ ଜୟ ନାରାୟଣ ଚର୍ଚ୍ଚାରେ ରହୁଛନ୍ତି। ସରକାର ଓ ପୋଲିସ ଉପରୁ ଭରସା ତୁଟାଇ ପ୍ରଥମେ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଫେରାଇବା ହେଉ କିମ୍ବା ଶାସକ ଦଳ ସଦସ୍ୟମାନେ ତାଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଅଭିଯୋଗ। ଏଥିସହିତ ତାଙ୍କ ମ୍ୟାନେଜ୍ ଥିଓରୀ ମଧ୍ୟ ଚର୍ଚ୍ଚାର ଶୀର୍ଷରେ ରହିଛି।

ଅନ୍ୟମାନଙ୍କୁ ଯେଭଳି ଶାସକ ଦଳ ମ୍ୟାନେଜ କରୁଥିଲେ ତାଙ୍କୁ ମ୍ୟାନେଜ କରି ନ ପାରିବାରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇ ତାଙ୍କୁ ଭୟଭୀତ କରିବାକୁ ଉଦ୍ୟମ ହେଉଛି ବୋଲି ଅଭିଯୋଗ କରିଥିଲେ ଜୟ ନାରାୟଣ। ଏପରିକି ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ରୁ ହିଁ ଜୟ ନାରାୟଣ ଝଡ଼ ଦେଖିବାକୁ ମିଳିଛି। ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଜୟ ନାରାୟଣ।

ଏହି ଘଟଣାରେ 5ଟି ସଚିବଙ୍କ ସମେତ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ଉଭୟଙ୍କ ନାମରେ ସିଧାସଳଖ ଅଭିଯୋଗ ଆଣିଛନ୍ତି ଜୟନାରାୟଣ। ହତ୍ୟାର 4 ଦିନ ପୂର୍ବରୁ 5ଟି ସଚିବ ଓ ପ୍ରଣବ ପ୍ରକାଶ କ’ଣ କଥା ହୋଇଥିଲେ ଓ ଉଭୟଙ୍କ ମଧ୍ୟରେ ଟେଲିଫୋନରେ କଣ ଆଲୋଚନା ହୋଇଥିଲା ତାହା ଜାଣିବା ପାଇଁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ଜୟ ନାରାୟଣ। ଉଭୟଙ୍କର କଲ ରେକର୍ଡ ଯାଞ୍ଚ ହେଉ ବୋଲି ଦାବି କରିବା ପରେ ଘଟଣା ରୋଚକ ମୋଡ଼ ନେଇଛି।

ସେପଟେ ଜୟ ନାରାୟଣଙ୍କ ଲଗାତାର ବିବାଦୀୟ ମନ୍ତବ୍ୟକୁ ନେଇ ଶାସକ ଦଳ ଖପ୍ପା। ବିଜେଡିର ମୁଖପାତ୍ର ବିଧାୟକ ତଥା ସାଂସଦ ମାନେ ଜୟ ନାରାୟଣଙ୍କ ଉପରେ ବର୍ଷିଛନ୍ତି। ଜୟ ନାରାୟଣ ଙ୍କୁ ଜଣେ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ସହ ସେ ମାନସିକ ଭାରସାମ୍ୟ ହରାଇ ବସିଥିବା ଶାସକ ଦଳ ପକ୍ଷରୁ କୁହାଯାଉଛି। ଅନ୍ୟପକ୍ଷରେ ଏ ଘଟଣାରେ ଆଦୌ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ପାଗଲର ପ୍ରଳାପ ବୋଲି ଟ୍ୱିଟ ମାଧ୍ୟମରେ କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ।

ଏପରିକି ତାଙ୍କର ଚିକିତ୍ସାର ଆବଶ୍ୟକତା ଅଛି ବୋଲି କୁହାଯାଇଛି। କେତେବେଳେ ଖଣ୍ଡା ବୁଲାଇବା ପ୍ରସଙ୍ଗ ହେଉ କିମ୍ବା ଦଳୀୟ ନେତାଙ୍କୁ ଆକ୍ରମଣ ଅଭିଯୋଗ ଏମିତି କେତେ ବିବାଦରେ ଜୟ ନାରାୟଣଙ୍କ ନାଁ ଚର୍ଚ୍ଚା ରେ ରହିଥାଏ। ବର୍ତ୍ତମାନ କିନ୍ତୁ ଜୟ ନାରାୟଣଙ୍କୁ ନେଇ ବିବାଦ ଓ ଚର୍ଚ୍ଚା ଶିଖରରେ ପହଂଚିଛି।

Leave A Reply

Your email address will not be published.