Latest Odisha News

BREAKING NEWS

ଦୀପାଳିଙ୍କ ଅନୁରୋଧ ପାରିବାରିକ ନା ରାଜନୈତିକ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଛନ୍ତି ଝିଅ ଦୀପାଳି। ମୁଖ୍ୟମନ୍ତ୍ରୀ ବାପା ଭଳି ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ଜୋର ଧରିଛି। ହତ୍ୟାକାଣ୍ଡର 24 ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି ସ୍ପଷ୍ଟ ଚିତ୍ର ଆସି ନାହିଁ।

ବିରୋଧୀ ଏ ପ୍ରସଙ୍ଗକୁ ନେଇ ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି। ଏଭଳି ସ୍ଥିତିରେ ନବଙ୍କ ଝିଅ ଦୀପାଳି ପଦାକୁ ଆସି ଘଟଣାକୁ ରାଜନୈତିକ ରୂପ ନ ଦେବାକୁ ନିବେଦନ କରିବା ସ୍ଥିତିକୁ ଭିନ୍ନ ରୂପ ଦେଇଛି। ନବ ଦାସଙ୍କ ଆକସ୍ମିକ ମୃତ୍ୟୁ ଯୋଗୁ ପରିବାର ଲୋକେ ଦୁଶ୍ଚିନ୍ତାରେ ରହିଛନ୍ତି। ଏପରିକି ଘଟଣାର ତଦନ୍ତ ଜଣେ ଭଲ ବିଚାରପତିଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ କରୁଛି।

ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ଆଶା ଓ ଭରସା ରହିଛି ବୋଲି ଦୀପାଳି କହିଛନ୍ତି। ପରିବାରକୁ ନ୍ୟାୟ ମିଳିବ ତେଣୁ ହତ୍ୟାକାଣ୍ଡକୁ ରାଜନୈତିକ ପ୍ରସଙ୍ଗ କରା ନ ଯାଉ ବୋଲି ଅନୁରୋଧ କରିଛନ୍ତି ଦୀପାଳି। ସେଥିପାଇଁ ପରିବାର ପକ୍ଷରୁ ସେ ହାତଯୋଡ଼ି ସମସ୍ତଙ୍କୁ ନିବେଦନ କରିଛନ୍ତି। ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବା ବେଳେ ପ୍ରତିଦିନ କିଛି କିଛି ନୂଆ ତଥ୍ୟକୁ ନେଇ ଚର୍ଚ୍ଚା ହେଉଛି।

ଏପରିକି ଘଟଣା ସନ୍ଦେହ ଘେରକୁ ଚାଲିଯାଉଛି। ଘଟଣାକୁ ନେଇ ବିଭିନ୍ନ ପ୍ରକାର କଥା ପଦାକୁ ଆସିବା ଓ କ୍ରାଇମବ୍ରାଞ୍ଚ ତରଫରୁ ଏ ଯାଏ କିଛି ସ୍ପଷ୍ଟ କରା ନ ଯିବା ଘଟଣାକୁ ପ୍ରହେଳିକା ମଧ୍ୟକୁ ଠେଲି ଦେଇଛି।

ଏଭଳି ସ୍ଥିତିରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବା ସହ ପ୍ରଥମ ଦିନରେ ହିଁ ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ହୋହାଲା ହୋଇଛି। ଏଭଳି ସ୍ଥିତିରେ ଠିକ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ଦିନ ନବଙ୍କ ଝିଅ ଗଣମାଧ୍ୟମରେ ମନ୍ତବ୍ୟ ଦେବାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.