Latest Odisha News

BREAKING NEWS

କରୋନାକୁ ନେଇ କେତେ ଚିନ୍ତିତ କେନ୍ଦ୍ର ? ଏପ୍ରିଲରୁ ଆଉ ବସିନି କୋଭିଡ୍ ନ୍ୟାସନାଲ୍ ଟାସ୍କ ଫୋର୍ସ ବୈଠକ

ନୂଆଦିଲ୍ଲୀ: ଚୀନରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଭାରତକୁ ଘାରୁଛି ଭୟ । ଦେଶରେ କୋଭିଡର ଚୀନ ଭାରିଆଣ୍ଟ BF.7 ଆକ୍ରାନ୍ତ ଚିହ୍ନଟ ପରେ କରୋନାକୁ ନେଇ ସମସ୍ତେ ଆତଙ୍କିତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜରୁରୀ ବୈଠକ ଡାକିବା ସହ ଜିନୋମ ସିକ୍ୱେନ୍ସଂ ଉପରେ ଗୁରୁତ୍ୱ ଦେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି ।

ବିମାନବନ୍ଦର ଗୁଡ଼ିକରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ ପୁଣି ଆରମ୍ଭ ହୋଇଛି । ଚୀନରେ କରୋନାର କରାଳ ରୂପ ଦେଖିବା ପରେ ବ୍ୟତିବ୍ୟସ୍ତ ଭାରତ । ହେଲେ ଆଶ୍ଚର୍ଯ୍ୟର କଥା ଏପ୍ରିଲ୍ ମାସରୁ ଏବେ ଯାଏ ଥରୁଟିଏ କୋଭିଡ୍ ଟାସ୍କ ଫୋର୍ସ ବୈଠକ ବସି ନଥିବା ବେଳେ ଅନେକ ସଦସ୍ୟ ଅବସର ନେଇ ଗଲେଣି ।

କରୋନା ଆରମ୍ଭ ବେଳେ ୨୦୨୦ ମସିହାରେ ୧୦୮ ଥର କୋଭିଡ୍ ଟାସ୍କ ଫୋର୍ସ ବୈଠକ ବସିଥିଲା । ୨୦୨୧ରେ ୪୪ ଥର ଏବଂ ୨୦୨୨ରେ ପ୍ରାୟ ୭ ଥର ବସିଛି କୋଭିଡ୍ ଟାସ୍କ ଫୋର୍ସ ବୈଠକ । ୨୦୨୦ ମାର୍ଚ୍ଚରେ କୋଭିଡ୍ ଟାସ୍କ ଫୋର୍ସର ଗଠନ ହୋଇଥିବା ବେଳେ ୭ ମାସ ହେଲା କୌଣସି ବୈଠକ ବସିନି ।

୨୪ ସଦସ୍ୟଙ୍କୁ ନେଇ ଗଠିତ କୋଭିଡ୍ ଟାସ୍କ ଫୋର୍ସର ଏକ ଚତୁର୍ଥାଂଶ ସଦସ୍ୟ ଅବସର ନେଇ ଗଲେଣି । ଆଇସିଏମ୍ଆର ମୁଖ୍ୟ ବଲରାମ ଭାର୍ଗବ ପଦରେ ନଥିବା ବେଳେ ସମରିନ ପଣ୍ଡା ଅବସର ନେଇଛନ୍ତି । କୋଭିଡ୍ ଟାସ୍କ ଫୋର୍ସର ସଦସ୍ୟ ଦିଲ୍ଲୀ ଏମ୍ସ ଛାଡ଼ି ରଣଦୀପ ଗୁଲେରିଆ ଘରୋଇ ହସ୍ପିଟାଲରେ ଯୋଗ ଦେଇଛନ୍ତି ।

ଏବେ କରୋନା ଭୂତାଣୁ ସମସ୍ତଙ୍କ ଚୀନ୍ତା ବଢ଼ାଇଥିବା ବେଳେ ଚୀନରୁ ଆସୁଥିବା ଚିତ୍ର ଡରାଉଛି । ଏବେ ଚୀନରେ ହାହାକାର ସୃଷ୍ଟି କରିଥିବା BF.7 ଭାରିଆଣ୍ଟ ଭାରତରେ ବି ଚିହ୍ନଟ ହୋଇଛି । ଜୁଲାଇରେ BF.7 ଭାରିଆଣ୍ଟର ଗୋଟିଏ ମାମଲା ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବରରେ ୨ଟି ଓ ନଭେମ୍ବର ଗୋଟିଏ ମାମଲା ମିଳିଛି । ଚିହ୍ନଟ ସଂକ୍ରମିତ ଗୁଜରାଟ ଓ ଓଡ଼ିଶାର ହୋଇଥିବା ବେଳେ ହୋମ୍ ଆଇସୋଲେସନରେ ରହି ସୁସ୍ଥ ହୋଇଛନ୍ତି ।

ପଡ଼ୋଶୀ ଚୀନରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଆଜି ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିଛନ୍ତି । କିନ୍ତୁ ପ୍ରଶ୍ନ, କୋଭିଡକୁ ନେଇ ଗଠିତ ଟାସ୍କ ଫୋର୍ସ ବୈଠକ ଏପ୍ରିଲରୁ ଏବେ ଯାଏ କାହିଁକି ବସୁ ନାହିଁ ।

Leave A Reply

Your email address will not be published.