Latest Odisha News

ଦୁର୍ବୁତ୍ତଙ୍କ କବଜାରେ ବୈତରଣୀ ନଦୀ ପଠା; ଦୈନିକ ଶହ ଶହ ଟ୍ରିପ ମାଟି ଖୋଳି ନେଉଥିବା ଅଭିଯୋଗ

ଯାଜପୁର:ବାଲି ପରେ ଏବେ ଦୁର୍ବୃତଙ୍କ ଟାର୍ଗେଟରେ ନଦୀ ପଠାର ମାଟି । ଖୋଳି ନେଉଛନ୍ତି ଶହଶହ ଟ୍ରିପ୍ ମାଟି । ଫଳରେ କ୍ଷୟ ହେବାକୁ ବସିଲାଣି ନଦୀ ପଠା । ଏମିତି ଏକ ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲା କୋରାଇ ବ୍ଳକ ମୁଳାପାଳ ପଂଚାୟତ ଅଂଚଳରେ । ଏହି ପଂଚାୟତ ଦେଇ ବହି ଯାଇଥିବା ବୈତରଣୀ ନଦୀର ପଠାରୁ ବେଧଡକ ମାଟି ଚୋରି କରୁଛନ୍ତି ଦୁର୍ବୃତ । ଫଳରେ ନଦୀ ଗର୍ଭରେ ମିଶିବାକୁ ବସିଲାଣି ନଦୀ ପଠା ।

ବର୍ତମାନ ବର୍ଷା ଋତୁ ଆରମ୍ଭ ହେଉଥିବା ବେଳେ ଆଉ କିଛିଦିନ ପରେ ନଦୀରେ ବନ୍ୟା ଆସିବ । ତେବେ ନଦୀ ପଠା କ୍ଷୟ ହେଉଥିବାରୁ ନଦୀରେ ବନ୍ୟା ଆସିଲେ ସିଧାସଳଖ ନଦୀ ବନ୍ଧ କ୍ଷତିଗ୍ରସ୍ତ ହେବା ସହ ବନ୍ଧ ଭାଙ୍ଗିବା ଆଶଙ୍କା ମଧ୍ୟ ରହିଛି । ଯାହାକୁ ନେଇ ଏବେ ଆତଙ୍କିତ ସ୍ଥାନୀୟ ଲୋକେ । ଏଥିସହ ନଦୀ ପଠା କ୍ଷୟ ହେଉଥିବା ଯୋଗୁଁ ଗୋରୁ ଛେଳି ଆଦି ଗୃହପାଳିତ ପଷୁଙ୍କ ଚରିବା ଲାଗି ସ୍ଥାନ ରହୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ସ୍ଥାନୀୟ ଗ୍ରାମବାସୀ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ତୁରନ୍ତ ନଦୀ ପଠାରୁ ମାଟି ଚୋରି ରୋକାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି ଗ୍ରାମବାସୀ ।

ଏହି ଅଂଚଳରେ ରହିଛି ଶତାଧିକ ଇଟା ଭାଟି । ଆଉ ଏହି ଇଟା ତିଆରି ପାଇଁ ଦୈନିକ ଆବଶ୍ୟକ ପଡେ ବହୁ ପରିମାଣର ମାଟି । ତେବେ ନଦୀ ପଠାରେ ଥିବା ଉର୍ବର ମାଟି ଇଟା ତିଆରି ପାଇଁ ଉପଯୁକ୍ତ ହୋଇଥାଏ । ତେଣୁ ନଦୀ ପଠାରୁ ପ୍ରତିଦିନ ବେଆଇନ ଭାବେ ଶହଶହ ଟ୍ରିପ ମାଟି ନିଆଯାଉଛି । ଫଳରେ ଏଥିପାଇଁ ସିଧାସଳକ ପ୍ରଭାବି ହେଉଛନ୍ତି ନିକଟରେ ଥିବା ସରସଦା ଓ ସାଳବା ଆଦି ଗାଁର ଲୋକେ । ନଦୀ ପଠା କ୍ଷୟ ହେବା ଦ୍ୱାରା ନଦୀ ଗାଁ ନିକଟକୁ ମାଡିମାଡି ଆସୁଛି । ଏଥିସହ ନଦୀ ପଠାରେ ଥିବା ଶ୍ମଶାନ କୁ ମଧ୍ୟ ଦୁର୍ବୃତ ଖୋଳିକି ନେଇଯାଇଛନ୍ତି ।

Leave A Reply

Your email address will not be published.