Latest Odisha News

BREAKING NEWS

ଇବ୍ ନଦୀରୁ ମିଳିଲା ୩ଜଣଙ୍କ ମୃତଦେହ, ଭୋଜି କରିବାକୁ ଯାଇ ଇବ୍ ନଦୀରେ ବୁଡି ଯାଇଥିଲେ

ସୁନ୍ଦରଗଡ: ଜନ୍ମଦିନ ଖୁସିରେ ଗତକାଲି ଭୋଜି କରିବା ପାଇଁ ଘରୁ ବାହାରିଥିଲେ ୨ଭାଇ ମହମ୍ମଦ ଫରହାନ ଏବଂ ମହମ୍ମଦ ରିଜୱାନ । ତାଙ୍କ ସହ ଯାଇଥିଲେ ତାଙ୍କ କାକା ମହମ୍ମଦ ସାଜିଦ । କିନ୍ତୁ କିଏ ବା ଜାଣିଥିଲା ନଦୀରେ ଛକିଥିଲା ମୃତ୍ୟୁ । ଫରହାନଙ୍କ ପାଇଁ ଜନ୍ମଦିନ ପାଲଟିଗଲା ମରଣଦିନ । ନିଜ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଡାକିନେଲେ । ହାତଧରାଧରି ହୋଇ ଚାଲିଗଲେ ଗୋଟେ ପରିବାରର ୩ଜଣ । ସୁନ୍ଦରଗଡ ସହରରେ ଗତକାଲି ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ଭୋ ଭୋ ହୋଇ କାନ୍ଦୁଛନ୍ତି ପରିବାର ଲୋକ ।

ସୂଚନା ଅନୁସାରେ, ଗତକାଲି ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳର ମହମ୍ମଦ ଫରହାନଙ୍କର ଜନ୍ମଦିନ ଥିଲା । ଜନ୍ମଦିନ ଖୁସିରେ ଫରହାନ, ତାଙ୍କ ଭାଇ ରିଜୱାନ ଏବଂ କାକା ସାଜିଦ ଭୋଜି କରିବା ପାଇଁ ଇବ୍ ନଦୀ କୁଳକୁ ଯାଇଥିଲେ । ସେଠାରେ କେକ୍ କାଟିବା ସହ ଭୋଜି କରି ଖାଇଥିଲେ । ଭୋଜି ଖାଇସାରିବା ପରେ ଦୁଇ ଭାଇ ନଦୀ ଭିତରକୁ ପସିଥିଲେ ଗାଧୋଇବା ପାଇଁ । କିନ୍ତୁ ପାଣିର ସୁଅରେ ଦୁଇ ଭାଇ ବୁଡି ଯାଇଥିଲେ । ବୁଡ଼ି ଯାଉଥିବା ବେଳେ ସେମାନେ ଚିତ୍କାର କରିଥିଲେ। ଦୁଇ ଭାଇଙ୍କ ଚିତ୍କାର ଶୁଣି ଉଭୟଙ୍କୁ ବଞ୍ଚେଇବାକୁ ନଦୀ ଭିତରକୁ ପଶିଥିଲେ କାକା ସାଜିଦ । କିନ୍ତୁ ଭାଗ୍ୟର ଖେଳ ଥିଲା କିଛି ଅଲଗା । ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇଥିବା କାକା ନିଜେ ପାଣିର ଗଭୀରରେ ବୁଡି ଯାଇଥିଲେ ।

ତିନି ଜଣ ଯାକ ବୁଡ଼ି ଯାଉଥିବା ଦେଖି ପରିବାରର ଅନ୍ୟ ସଦସ୍ୟମାନେ ପାଟି କରି ଗ୍ରାମବାସୀମାନଙ୍କୁ ଡାକିଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ସେମାନଙ୍କୁ ଖୋଜିଥିଲା। କିନ୍ତୁ କାହାରି ପତ୍ତା ମିଳି ନଥିଲା। ସେଥିପାଇଁ ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ଶେଷରେ ଦୁଇ ଭାଇ ମହମ୍ମଦ ଫରହାନ, ମହମ୍ମଦ ରିଜୱାନ ଏବଂ କକା ମହମ୍ମଦ ସାଜିଦଙ୍କ ମୃତଦେହ ମିଳିଛି ।

 

 

Leave A Reply

Your email address will not be published.