Latest Odisha News

BREAKING NEWS

ନକଲିକୁ ଛାଡି ଅସଲି ପଛରେ ପଡିଛି ପୋଲିସ: ଉଦ୍ଦେଶ୍ୟ ମୂଳକ ଭାବେ ଚଢ଼ାଉ ଅଭିଯୋଗ

ଯାଜପୁର: ନକଲିକୁ ଛାଡି ଅସଲି ଉପରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ହୋଇଥିବା ଅଭିଯୋଗ ହୋଇଛି ।

ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁହାଁ ଅଞ୍ଚଳରେ ସରକାରୀ ଟ୍ରେଡ୍ ଲାଇସେନ୍ସ ଏବଂ ଜିଲ୍ଲା ଶିଳ୍ପ ନିଗମ ଠାରୁ ଋଣ ସହାୟତା ନେଇ ସୂର୍ଯ୍ୟମାର୍କା ନାଁରେ ଦୀର୍ଘଦିନ ହେବ ଏକ ଗୁଣ୍ଡିକାରଖାନା ଚାଲିଆସିଥିଲା ।

ସରକାରୀ ସହାୟତା ଓ ସ୍ବୀକୃତି ନେଇ ଏଠାରେ ଚାଲିଆସିଥିବା ଏହି କାରଖାନାରେ ୩୦ରୁ ଉର୍ଦ୍ଧ ଶ୍ରମିକ ନିୟୋଜିତ ହୋଇ ପରିବାର ପ୍ରତିପୋଷଣ କରିଆସୁଥିଲେ । ପୋଲିସ୍ ଏହି କାରଖାନା ଉପରେ ଅତର୍କିତ ଚଢାଉ କରି କାରଖାନାକୁ ସିଲ୍ କରିବା ସହିତ କାରଖାନାର ମାଲିକଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା । ଜାମିନ୍ ମଞ୍ଜୁର ପରେ ଏବେ ସେମାନେ ଘରକୁ ଫେରିଛନ୍ତି । ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା କିଛି ନକଲି କାରଖାନାକୁ ପୋଲିସ୍ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଏହି ଅଭିଯୁକ୍ତ କାରଖାନାର ମାଲିକ।

ଏପରିକି ଜାଣିଶୁଣି ପୋଲିସ୍ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ଚ୍ୟାଲେଞ୍ଜ କରି ଏବେ ସମ୍ପୃକ୍ତ କାରଖାନାର ମାଲିକ ଅଦାଲତକୁ ଯାଇଛନ୍ତି । ପୋଲିସର ବେଆଇନ କାର୍ଯ୍ୟାନୁଷ୍ଠାନ ଓ ନକଲି କାରଖାନା ସହ ପୋଲିସର ସାଲିସ୍ ବିରୋଧରେ ଶୁଭିଶିଷ ସାହୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସେପଟେ କାରଖାନା ବନ୍ଦ ହେବା ଯୋଗୁଁ ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସେମାନଙ୍କର ଜୀବିକା ହରାଇଛନ୍ତି। କରୋନା କାଳରେ ରୋଜଗାର ବନ୍ଦ ହୋଇଯାଇଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଏମାନଙ୍କୁ।

ନକଲିକୁ ଛାଡି ଅସଲି ଉପରେ କାହିଁକି ପଡିଛି ପୋଲିସ । ଯିଏ ସରକାରୀ ଅନୁମତି ଓ ଟ୍ରେଡ୍ ଲାଇସେନ୍ସରେ କାରଖାନା କରୁଛି ତାର କାରଖାନା ସିଲ୍ ହେବା ସହ କାରଖାନା ମାଲିକ ଗିରଫ୍ ହେଉଛନ୍ତି । ମାତ୍ର ଯେଉଁମାନେ ଦିନ ଦ୍ବିପ୍ରହରରେ ବେଆଇନ ଭାବେ କାରଖାନା ଚଳାଇ କୋଟି କୋଟି ଟଙ୍କା କମାଉଛନ୍ତି ସେମାନଙ୍କୁ ପୋଲିସ୍ କାହିଁକି ଦେଖାଉଛି ଅନୁକମ୍ପା? ଏହା ପଛରେ କଣ ରହିଛି ରହସ୍ୟ?

ସ୍ଥିତିକୁ ଦେଖିବା ପରେ ଏଭଳି ଅନେକ ପ୍ରଶ୍ନ ଏଠାରେ ଉଙ୍କି ମାରୁଛି । ମାତ୍ର ବଡବିରୁହାଁ କାରଖାନାର ଟ୍ରେଡ୍ ମାର୍କ ବ୍ୟବହାର କରି ହରିପୁର ଏବଂ ଶଙ୍ଖଚିଲା ଅଞ୍ଚଳରେ ବିନା କାଗଜପତ୍ରରେ ୫ ଜଣ ବ୍ୟକ୍ତି ନକଲି କାରଖାନା ଚଳାଇଥିବା ଦର୍ଶାଇ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ବଡବିରୁହାଁ ଗୁଣ୍ଡି କାରଖାନା ମାଲିକ । ଅଭିଯୋଗକୁ ଆଧାର କରି ଅଦାଲତ ପକ୍ଷରୁ ସମ୍ପୃକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ସେପଟେ ବେଆଇନ୍ ଭାବେ ଗୁଣ୍ଡି ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଉତ୍ପାଦନ କରୁଥିବା ବ୍ୟକ୍ତି ଏବଂ କାରଖାନା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ । ଉଦ୍ଦେଶ୍ୟ ମୂଳକ ଭାବେ ସେପରି କିଛି କରାଯାଇନଥିବା କହିଛନ୍ତି ଏସଡିପିଓ ।

Leave A Reply

Your email address will not be published.