Latest Odisha News

BREAKING NEWS

ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ : ପ୍ରଧାନମନ୍ତ୍ରୀ

ରଥଯାତ୍ରାରେ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ଯାତ୍ରା କରନ୍ତି ମହାପ୍ରଭୁ

ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଜଗନ୍ନାଥଙ୍କ କଥା ସ୍ମରଣ କରିଛନ୍ତି ।  କହିଛନ୍ତି କି ଭଗବାନ ଜଗନ୍ନାଥ ହେଉଛନ୍ତି ଜଗତର ସ୍ୱାମୀ । ଆମ ଦେଶରେ ସମୟ ସମୟରେ ଅଲଗା ଅଲଗା ଦେବଯାତ୍ରା ଦେଖିବାକୁ ମିଳିଥାଏ ।  ଦେବଯାତ୍ରା ଅର୍ଥାତ୍ ଯେଉଁଥିରେ କେବଳ ଭକ୍ତ ନୁହଁନ୍ତି, ଭଗବାନ ମଧ୍ୟ ଯାତ୍ରାରେ ବାହାରନ୍ତି । ଏବେ, ଆଉ କିଛିଦିନ ପରେ ହିଁ ୧ ଜୁଲାଇରେ ଭଗବାନ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ, ପୁରୀର ଏହି ଯାତ୍ରା ସହିତ ପ୍ରତ୍ୟେକ ଦେଶବାସୀ ପରିଚିତ । ଏହି ଅବସରରେ ପୁରୀ ଯିବାର ସୌଭାଗ୍ୟ ପାଇବା ପାଇଁ ପ୍ରତ୍ୟେକ ଲୋକ ଚେଷ୍ଟା କରିଥାନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ଖୁବ୍ ଧୁମଧାମରେ ହୋଇଥାଏ । ଭଗବାନ ଜଗନ୍ନାଥଙ୍କ ଯାତ୍ରା ଆଷାଢ଼ ମାସ ଦ୍ୱିତୀୟାରୁ ଆରମ୍ଭ ହୁଏ । ଆମର ଗ୍ରନ୍ଥରେ “ଆଷାଢ଼ସ୍ୟ ଦ୍ୱିତୀୟ ଦିବସେ… ରଥଯାତ୍ରା’, ସଂସ୍କୃତ ଶ୍ଳୋକରେ ଏହିପରି ବର୍ଣ୍ଣନା ମିଳେ । ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ପ୍ରତିବର୍ଷ ଆଷାଢ଼ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ମୁଁ ଗୁଜରାଟରେ ଥିଲି, ତ ମୋତେ ପ୍ରତିବର୍ଷ ଏହି ଯାତ୍ରାରେ ସେବା କରିବାର ସୌଭାଗ୍ୟ ମିଳୁଥିଲା । ଏଠାରେ ସୂଚନାଯୋଗ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି ପ୍ରଧାନମନ୍ତ୍ରୀ  । ଏପରିକି ପ୍ରଧାନମନ୍ତ୍ରୀ ନହେବା ପୂର୍ବରୁ 2014 ନିର୍ବାଚନ ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପ୍ରଥମେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ ପାଇଁ ମୋତେ ଆପଣ ଏହା ସହ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି   ମୁଁ ଆଜିର ପିଢ଼ିର ଯୁବକ-ଯୁବତୀ, ୨୪-୨୫ ବର୍ଷ ବୟସ୍କ ଯୁବବର୍ଗଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଏହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ମୋ ପ୍ରଶ୍ନ ଉପରେ ଆପଣମାନେ ନିଶ୍ଚୟ ଚିନ୍ତା କରିବେ । ଏ କଥା ଆପଣମାନେ ଜାଣିଛନ୍ତି କି, ଯେତେବେଳେ ଆପଣମାନଙ୍କ ବାପା-ମା’ ଆପଣଙ୍କ ବୟସର ଥିଲେ, ସେତେବେଳେ ତାଙ୍କଠାରୁ ବଂଚିବାର ଅଧିକାର ମଧ୍ୟ ଛଡ଼ାଇ ନିଆଯାଇଥିଲା! ଆପଣମାନେ ଭାବୁଥିବେ, ଏହା କ’ଣ କେବେ ସମ୍ଭବ? ଏହା ତ ଅସମ୍ଭବ । କିନ୍ତୁ ମୋର ଯୁବବନ୍ଧୁଗଣ, ଆମ ଦେଶରେ ଥରେ ଏଭଳି ହୋଇଥିଲା ।

ଏହା ଅନେକ ବର୍ଷ ତଳର, ୧୯୭୫ ମସିହା କଥା । ଜୁନ ମାସର ସମୟ ଥିଲା, ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ସେତେବେଳେ, ଦେଶର ନାଗରିକମାନଙ୍କ ସମସ୍ତ ଅଧିକାର ଛଡ଼ାଇ ନିଆଯାଇଥିଲା। ସମ୍ବିଧାନର ଏକବିଂଶ ଅନୁଚ୍ଛେଦ ଦ୍ୱାରା ପ୍ରଦତ୍ତ ଜୀବନ ଧାରଣ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ମଧ୍ୟ ସେଗୁଡ଼ିକ ମଧ୍ୟରୁ ଗୋଟିଏ ଅଧିକାର ଥିଲା । ସେତେବେଳେ ଭାରତୀୟ ଗଣତନ୍ତ୍ରକୁ ଦଳିଚକଟି ଦେବାର ପ୍ରଚେଷ୍ଟା କରାଯାଇଥିଲା । ଦେଶର ନ୍ୟାୟାଳୟ, ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥା, ପ୍ରେସ୍ ସବୁଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା । ସେନ୍ସରଶିପର ଏଭଳି ଅବସ୍ଥା ଥିଲା, ଯେ ବିନା ସ୍ୱୀକୃତିରେ କିଛି ଛାପିବା ମଧ୍ୟ ସମ୍ଭବ ନ ଥିଲା । ମୋର ମନେ ଅଛି, ସେତେବେଳେ ସୁବିଖ୍ୟାତ ଗାୟକ କିଶୋର କୁମାର ସରକାରଙ୍କ ଗୁଣଗାନ କରିବାକୁ ଅରାଜି ହେବାରୁ ତାଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ରେଡିଓରୁ ତାଙ୍କ ଏଂଟ୍ରିକୁ ହଟାଇ ଦିଆଯାଇଥିଲା ।

କିନ୍ତୁ ଅନେକ ଚେଷ୍ଟା, ହଜାର ହଜାର ଗିରଫଦାରୀ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଅତ୍ୟାଚାର ସତ୍ୱେ ଭାରତର ଲୋକଙ୍କର ଗଣତନ୍ତ୍ର ଉପରୁ ବିଶ୍ୱାସ ତୁଟିଲାନି, ତିଳେ ମାତ୍ର ତୁଟିଲାନି । ଆମ ଭାରତୀୟମାନଙ୍କ ମଧ୍ୟରେ ଶହ ଶହ ବର୍ଷ ଧରି ଗଣତନ୍ତ୍ରର ସଂସ୍କାର ରହିଆସିଛି, ଗଣତନ୍ତ୍ରର ଯେଉଁ ଭାବନା ଆମ ଶିରାପ୍ରଶିରାରେ ପ୍ରବାହିତ, ଶେଷରେ ତାହାରି ହିଁ ବିଜୟ ହେଲା । ଭାରତର ଲୋକେ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ହିଁ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ, ପୁଣିଥରେ ଗଣତନ୍ତ୍ରକୁ ପ୍ରତିଷ୍ଠିତ କଲେ । ଏକଛତ୍ରବାଦୀ ମନୋବୃତି, ଏକଛତ୍ରବାଦୀ ବୃତି-ପ୍ରବୃତିକୁ ଗଣତାନ୍ତ୍ରିକ ପ୍ରଣାଳୀରେ ପରାଜିତ କରିବାର ଏଭଳି ଉଦାହରଣ ସମଗ୍ର ବିଶ୍ୱରେ ମିଳିବା କଷ୍ଟସାଧ୍ୟ ।

ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶବାସୀଙ୍କ ସଂଘର୍ଷର, ସେ ପରିସ୍ଥିତିର ସାକ୍ଷୀ ହୋଇରହିବାର, ସେଥିରେ ଅଂଶଗ୍ରହଣକାରୀ ହେବାର ସୌଭାଗ୍ୟ ମୋତେ ମଧ୍ୟ ମିଳିଥିଲା – ଗଣତନ୍ତ୍ରର ଜଣେ ସୈନିକ ରୂପେ । ଆଜି ଦେଶ ଯେତେବେଳେ ଏହାର ସ୍ୱାଧୀନତାର ୭୫ ବର୍ଷର ଉତ୍ସବ ପାଳନ କରୁଛି, ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଜରୁରୀକାଳୀନ ପରିସ୍ଥିତିର ସେହି ଭୟାବହ ସମୟକୁ ଆମେ କେବେହେଲେ ଭୁଲିବା ଉଚିତ ନୁହେଁ । ଆଗାମୀ ପିଢ଼ି ବି ଏ ସମ୍ପର୍କରେ ଭୁଲିବା ଉଚିତ ନୁହେଁ । ଅମୃତ ମହୋତ୍ସବ କେବଳ ଶହ ଶହ ବର୍ଷର ପରାଧୀନତାରୁ ମୁକ୍ତିର ବିଜୟଗାଥା ନୁହେଁ, ବରଂ ସ୍ୱାଧୀନୋତ୍ତର ଭାରତର ୭୫ ବର୍ଷର ଯାତ୍ରାକୁ ମଧ୍ୟ ବହନ କରୁଛି । ଇତିହାସର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରୁ ଶିକ୍ଷାଲାଭ କରି ଆମେ ଆଗକୁ ବଢ଼ିଚାଲିଛୁ  ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମ ଭିତରେ ଏଭଳି ହୁଏତ କେହି ନ ଥିବେ, ଯିଏ ନିଜ ଜୀବନରେ ଆକାଶ ସହ ଜଡ଼ିତ କୌଣସି କଳ୍ପନା ନ କରିଥିବେ । ଯୁବବର୍ଗଙ୍କ ପାଇଁ ଆକାଶକୁ ଛୁଇଁବା, ଗୋଟିଏ ସ୍ୱପ୍ନକୁ ବାସ୍ତବ ରୂପ ପ୍ରଦାନ କରିବା ସଦୃଶ । ଆଜି ଆମ ଭାରତ ଯେତେବେଳେ ଏତେଗୁଡ଼ିଏ କ୍ଷେତ୍ରରେ ସଫଳତାର ଆକାଶକୁ ସ୍ପର୍ଶ କରୁଛି, ସେତେବେଳେ ମହାକାଶ ବା ଏଥିରୁ ବାଦ ପଡ଼ିବ କିପରି? ବିଗତ କିଛିବର୍ଷ ଧରି ଆମ ଦେଶରେ ସ୍ପେସ୍ ସେକ୍ଟର୍ ସହ ଜଡ଼ିତ ଅନେକ ବଡ଼ ବଡ଼ କାର୍ଯ୍ୟ ହୋଇଛି । ଦେଶର ଏହି ଉପଲବ୍ଧିଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା, ଇନ୍-ସ୍ପେସ୍ ନାମକ ଏଜେନ୍ସି ନିର୍ମାଣ। ଗୋଟିଏ ଏଭଳି ଏଜେନ୍ସି ଯାହା ମହାକାଶ କ୍ଷେତ୍ରରେ ଭାରତୀୟ ଘରୋଇ କ୍ଷେତ୍ର ପାଇଁ ନୂତନ ସୁଯୋଗକୁ ପ୍ରୋତ୍ସାହିତ କରୁଛି ।

ଏହି ଅୟମାରମ୍ଭ ଆମ ଦେଶର ଯୁବବର୍ଗଙ୍କୁ ବିଶେଷଭାବେ ଆକର୍ଷିତ କରିିଛି । ଯୁବବର୍ଗର ଅନେକଙ୍କ ଠାରୁ ମୋତେ ଏହାସହିତ ସଂଲଗ୍ନ ବାର୍ତା ମଧ୍ୟ ମିଳିଛି । କିଛିଦିନ ତଳେ, ଯେତେବେଳେ ମୁଁ ଇନ୍-ସ୍ପେସ ମୁଖ୍ୟ କାର୍ଯ୍ୟାଳୟର ଲୋକାର୍ପଣ ଉଦ୍ଦେଶ୍ୟରେ ଯାଇଥିଲି, ସେତେବେଳେ ମୁଁ ଅନେକ ଯୁବ ଷ୍ଟାର୍ଟ-ଅପଙ୍କର ନୂତନ ଚିନ୍ତାଧାରା ଓ ଉତ୍ସାହକୁ ଲକ୍ଷ୍ୟ କଲି । ମୁଁ ସେମାନଙ୍କ ସହିତ ଅନେକ ସମୟ ଧରି କଥାବାର୍ତା ମଧ୍ୟ କଲି । ଏମାନଙ୍କ ବିଷୟରେ ଜାଣିଲେ, ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେନି । ଏଇ ଯେମିତି, ସ୍ପେସ୍ ଷ୍ଟାର୍ଟ-ଅପ୍ସମାନଙ୍କର ସଂଖ୍ୟା ଓ ଦ୍ରୁତ ଗତି କଥା ଚିନ୍ତା କରନ୍ତୁ । ଆଜିକୁ କିଛିବର୍ଷ ପୂର୍ବ ଯାଏଁ ଆମ ଦେଶରେ ମହାକାଶ କ୍ଷେତ୍ରରେ ଷ୍ଟାର୍ଟ-ଅପ୍ କଥା କେହି ଚିନ୍ତା କରୁନଥିଲେ । ଆଜି ସେମାନଙ୍କ ସଂଖ୍ୟା ଶହେ ଠାରୁ ମଧ୍ୟ ଅଧିକ ହେଲାଣି ।

ଏହି ଷ୍ଟାର୍ଟ-ଅପ ଗୁଡ଼ିକ ଏଭଳି ନୂଆ ନୂଆ ଚିନ୍ତାଧାରାକୁ ନେଇ କାମ କରୁଛନ୍ତି, ଯାହା ଉପରେ ଆଗରୁ କିଛି ଚିନ୍ତା କରାଯାଉନଥିଲା, କିମ୍ବା ଘରୋଇ କ୍ଷେତ୍ର ପାଇଁ ଏଗୁଡ଼ିକୁ ଅସମ୍ଭବ ବୋଲି ମନେକରାଯାଉଥିଲା । ଉଦାହରଣ ସ୍ୱରୂପ, ଚେନ୍ନାଇ ଓ ହାଇଦ୍ରାବାଦର ଦୁଇଟି ଷ୍ଟାର୍ଟ-ଅପ୍ ହେଉଛନ୍ତି – ଅଗ୍ନିକୁଳ ଏବଂ ସ୍କାଇରୁଟ୍ । ଏହି ଷ୍ଟାର୍ଟ-ଅପ୍ ଏଭଳି ଲଂଚ୍ ଭେଇକିଲ୍ ବିକଶିତ କରୁଛନ୍ତି, ଯାହା ଛୋଟ ପେ-ଲୋଡ ଗୁଡ଼ିକୁ ମହାକାଶକୁ ପ୍ରେରଣ କରିବ । ଏହାଦ୍ୱାରା ସ୍ପେସ୍-ଲଚିଂ ବହୁତ ହ୍ରାସ ପାଇବାର ଅନୁମାନ କରାଯାଏ । ସେହିଭଳି ହାଇଦ୍ରାବାଦର ଆଉ ଗୋଟିଏ ଷ୍ଟାର୍ଟ-ଅପ୍ ଧୃବ ସ୍ପେସ୍, ଉପଗ୍ରହ ମୃତୟନ ଏବଂ ଉପଗ୍ରହଗୁଡ଼ିକ ପାଇଁ ଉଚ୍ଚ-ଗୁଣସମ୍ପନ୍ନ ସୋଲାର୍ ପ୍ୟାନେଲ ଉପରେ କାର୍ଯ୍ୟ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ଆଉ ଗୋଟିଏ ସ୍ପେସ୍ ଷ୍ଟାର୍ଟ-ଅପ୍ ଦିଗନ୍ତରାର ତନବୀର ଅହମଦଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥିଲି, ଯିଏ ମହାକାଶର ବର୍ଜ୍ୟବସ୍ତୁକୁ ମ୍ୟାପ କରିବାର ପ୍ରଚେଷ୍ଟା କରୁଛନ୍ତି । ସେ ଏଭଳି ଗୋଟିଏ ଟେକ୍ନୋଲୋଜି ଉପରେ ମଧ୍ୟ କାମ କରନ୍ତୁ, ଯାହାଦ୍ୱାରା ମହାକାଶର ବର୍ଜ୍ୟବସ୍ତୁଗୁଡ଼ିକର ସମାଧାନ ମଧ୍ୟ ମିଳିପାରିବ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଆହ୍ୱାନ କରିଛି । ଦିଗନ୍ତରା ଏବଂ ଧୃବ-ସ୍ପେସ୍ ଉଭୟେ ଜୁନ ୩୦ ତାରିଖ ଦିନ ଇସ୍ରୋର ଲଂଚ ଭେଇକିଲ୍ ମାଧ୍ୟମରେ ନିଜର ପ୍ରଥମ ଲଂଚ ସମ୍ପାଦନ କରିବାକୁ ଯାଉଛନ୍ତି । ସେହିଭଳି, ବେଙ୍ଗାଲୁରୁର ଗୋଟିଏ ସ୍ପେସ୍ ଷ୍ଟାର୍ଟ-ଅପ୍ ଆଷ୍ଟ୍ରୋମର ପ୍ରତିଷ୍ଠାତା ନେହା ମଧ୍ୟ ଗୋଟିଏ ରୋମାଂଚକର ଚିନ୍ତାଧାରା ଉପରେ କାର୍ଯ୍ୟ କରୁଛନ୍ତି । ଏହି ଷ୍ଟାର୍ଟ-ଅପ୍ ଏଭଳି ଫ୍ଲାଟ୍ ଆଂଟିନା ତିଆରି କରୁଛି, ଯାହା କେବଳ ଆକାରରେ ଛୋଟ ତାହା ନୁହେଁ, ବରଂ ଏହାର ମୂଲ୍ୟ ମଧ୍ୟ ବହୁତ କମ୍ । ଏହି ଟେକ୍ନୋଲୋଜିର ଚାହିଦା ସାରା ବିଶ୍ୱରେ ହୋଇପାରେ ।

ଇନ୍-ସ୍ପେସ୍ କାର୍ଯ୍ୟକ୍ରମରେ ମେହେସାଣାର ବିଦ୍ୟାଳୟ ଛାତ୍ରୀ ତନଭି ପଟେଲଙ୍କ ସହ ମଧ୍ୟ ମୋର ସାକ୍ଷାତ ହୋଇଥିଲା । ସେ ଗୋଟିଏ ବହୁତ ଛୋଟ ଉପଗ୍ରହ ଉପରେ କାର୍ଯ୍ୟ କରୁଛନ୍ତି, ଯାହା ଆଗାମୀ କିଛି ମାସ ମଧ୍ୟରେ ମହାକାଶରେ ପ୍ରେରିତ ହେବାକୁ ଯାଉଛି । ତନଭି ମୋତେ ଗୁଜରାଟିରେ ବହୁତ ସହଜ ଢଙ୍ଗରେ ନିଜ କାମ ବିଷୟରେ କହିଥିଲେ । ତନଭିଙ୍କ ଭଳି ଦେଶର ପ୍ରାୟ ୭୫୦ ଜଣ ବିଦ୍ୟାଳୟ ଛାତ୍ରଛାତ୍ରୀ ଅମୃତ ମହୋତ୍ସବରେ ଏହିଭଳି ୭୫ଟି ଉପଗ୍ରହ ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଖୁସିର କଥା ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଦେଶର ଛୋଟ ଛୋଟ ସହରର ବାସିନ୍ଦା ।

 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ  ବିଗତ ଦିନରେ ଆମ ଅଲିମ୍ପିକ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ସମ୍ବାଦର ଶୀର୍ଷରେ ଥିଲେ । ଅଲିମ୍ପିକ ପରେ ମଧ୍ୟ ସେ ଗୋଟିଏ ପରେ ଗୋଟିଏ ସଫଳତାର ନୂଆ ନୂଆ କିର୍ତୀମାନ ପ୍ରତିଷ୍ଠା କରିଚାଲିଛନ୍ତି । ଫିନଲାଣ୍ଡରେ ନୀରଜ ପାଭୋ ନର୍ମି ଗେମ୍ସରେ ରୌପ୍ୟପଦକ ହାସଲ କଲେ । କେବଳ ସେତିକି ନୁହେଁ, ସେ ନିଜ ଜ୍ୟାଭେଲିନ୍ ଥ୍ରୋ ରେକର୍ଡ଼କୁ ମଧ୍ୟ ଭଙ୍ଗ କଲେ । କୋର୍ଟେନ ଗେମ୍ସରେ ନୀରଜ ପୁଣିଥରେ ସ୍ୱର୍ଣ୍ଣପଦକ ଜିଣି ଦେଶର ଗୌରବ ବୃଦ୍ଧି କଲେ । ଏହି ସ୍ୱର୍ଣ୍ଣପଦକ ସେ ସେଭଳି ପରିସ୍ଥିତିରେ ଜିତିଲେ, ଯେତେବେଳେ ସେଠାକାର ପାଗ ମଧ୍ୟ ଖରାପ ଥିଲା । ଏହି ଉତ୍ସାହ ଆଜିର ଯୁବବର୍ଗଙ୍କ ପରିଚୟ । ଷ୍ଟାର୍ଟ-ଅପ ଠାରୁ ଆରମ୍ଭ କରି ସ୍ପୋର୍ଟସ-ୱାର୍ଲ୍ଡ ଯାଏଁ ଭାରତର ଯୁବବର୍ଗ ନୂଆ ନୂଆ ରେକର୍ଡ଼ ସୃଷ୍ଟି କରିଚାଲିଛନ୍ତି । ନିକଟ ଅତୀତରେ ଆୟୋଜିତ ହୋଇଥିବା ଖେଲୋ-ଇଣ୍ଡିଆ ୟୁଥ ଗେମ୍ସରେ ମଧ୍ୟ ଆମ ଖେଳାଳିମାନେ ଅନେକ ନୂତନ ରେକର୍ଡ଼ ସୃଷ୍ଟି କଲେ । ଆପଣ ଜାଣି ଖୁସି ହେବେ ଯେ, ଏହି ଖେଳରେ ମୋଟ ୧୨ଟି ରେକର୍ଡ଼ ଭଙ୍ଗ ହୋଇଛି । କେବଳ ସେତିକି ନୁହେଁ, ୧୧ଟି ନୂଆ ରେକର୍ଡ଼ ମହିଳା ଖେଳାଳିମାନେ ସୃଷ୍ଟି କରିଛନ୍ତି । ମଣିପୁରର ଏମ୍. ମାର୍ଟିନା ଦେବୀ ଭାରୋତଳନରେ ୮ଟି ନୂତନ ରେକର୍ଡ଼ ସୃଷ୍ଟି କରିଛନ୍ତି ।

୨୮ ଜୁଲାଇରୁ ଆରମ୍ଭ ହେଉଥିବା  ଏଥର ଚେସ୍ ଅଲିମ୍ପିଆଡ଼ରେ ୧୮୦ରୁ ଅଧିକ ଦେଶ ଅଂଶଗ୍ରହଣ କରୁଛନ୍ତି । ଖେଳ ଓ ଫିଟନେସ ସମ୍ପର୍କରେ ଆମର ଆଜିର ଆଲୋଚନା ଆଉ ଗୋଟିଏ ନାମ ବିନା ସଂପୂର୍ଣ୍ଣ ହେବନାହିଁ । ଏହି ନାମ ହେଉଛି ତେଲେଙ୍ଗାନାର ପର୍ବତାରୋହୀ ପୂର୍ଣ୍ଣା ମାଲାୱଥଙ୍କର । ପୂର୍ଣ୍ଣା “ସେଭେନ ସମିଟ୍ସ ଚ୍ୟାଲେଞ୍ଜ୍’କୁ ପୂର୍ଣ୍ଣ କରି ଆଉ ଏକ ସଫଳତାର ବାନା ଉଡ଼ାଇଛନ୍ତି । ସେଭେନ୍ ସମିଟ୍ସ ଚ୍ୟାଲେଞ୍ଜ୍ ଅର୍ଥାତ ପୃଥିବୀର ସବୁଠୁ କଠିନ ଓ ଉଚ୍ଚ ସାତଟି ପାହାଡ଼ ଚଢ଼ିବାର ଆହ୍ୱାନ । ପୂର୍ଣ୍ଣା ନିଜର ଅଦମ୍ୟ ସାହସ ସହିତ ନର୍ଥ ଆମେରିକାର ସବୁଠୁ ଉଚ୍ଚ ଶୃଙ୍ଗ ମାଉଂଟ ଦେନାଲି ଆରୋହଣ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି । ପୂର୍ଣ୍ଣା ଭାରତର ସେହି ଝିଅ ଯିଏ ମାତ୍ର ୧୩ ବର୍ଷ ବୟସରେ ଏଭରେଷ୍ଟ ଶୃଙ୍ଗ ଉପରେ ବିଜୟ ହାସଲ କରି ଅଦ୍ଭୁତ ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.