ନୂଆଦିଲ୍ଲୀ:ପାନର ଆଇଚି-ନାଗୋୟାଠାରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଦଳ (ପୁରୁଷ ଓ ମହିଳା) ପୁଣି ଥରେ ନିଜର ପାରମ୍ପରିକ ନୀଳ ଜର୍ସି ପିନ୍ଧି ଖେଳିବ । ନିକଟରେ ନେଦରଲ୍ୟାଣ୍ଡସ ଓ ବେଲଜିୟମରେ ଅନୁଷ୍ଠିତ ବିଶ୍ୱକପ୍ରେ ଭାରତୀୟ ଦଳ କମଳା ରଙ୍ଗର ଜର୍ସି ପିନ୍ଧିଥିଲା, ଯାହାକୁ ନେଇ ବେଶ୍ ବିବାଦ ଦେଖାଦେଇଥିଲା । ଜୁଲାଇ ୨୭ରେ ହକି ଇଣ୍ଡିଆ ସ୍ପଷ୍ଟୀକରଣ ଦେଇଥିଲା ଯେ, ନୀଳ ରଙ୍ଗର ଟର୍ଫ ହେତୁ ଖେଳାଳିମାନଙ୍କୁ ସାଥୀ ଖେଳାଳିଙ୍କୁ ଚିହ୍ନିବାରେ ଅସୁବିଧା ହେଉଥିବାରୁ କମଳା ଜର୍ସି ଆପଣାଯାଇଥିଲା । ଧନରାଜ ପିଲ୍ଲେ, ବୀରେନ ରାସ୍କିନ୍ହା, ପରଗଟ୍ ସିଂହ, ଅଜିତ ପାଲ୍ ସିଂହ ଏବଂ ବାସୁଦେବନ୍ ଭାସ୍କରନ୍ଙ୍କ ଭଳି ପୂର୍ବତନ ଅଧିନାୟକମାନେ ଏହିବଦଳକୁ ବିରୋଧ କରିଥିଲେ ।
ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଥିଲେ ଯେ ଏହି ନିଷ୍ପତ୍ତି ତାଙ୍କ ଅଜାଣତରେ ନିଆଯାଇଥିଲା, ଯାହାକୁ ନେଇ ପ୍ରଶାସନ ମଧ୍ୟରେ ଟାଣଓଟରା ଦେଖାଦେଇଥିଲା । ଭାରତୀୟ ଅଲିମ୍ପିକ୍ ଆସୋସିଏସନ ସହ ଆଲୋଚନା ପରେ ହକି ଇଣ୍ଡିଆ ନୀଳ ରଙ୍ଗକୁ ପ୍ରଥମ ପସନ୍ଦ ଏବଂ କମଳା ରଙ୍ଗକୁ ଦ୍ୱିତୀୟ ପସନ୍ଦ ଭାବେ ଚୟନ କରିଛି । ଏସୀୟ କ୍ରୀଡ଼ାର ପୁରୁଷ ହକି ବିଭାଗରେ ମୋଟ ୧୨ଟି ଦଳକୁ ୨ଟି ପୁଲ୍ରେ ବିଭକ୍ତ କରାଯାଇଛି । ପୁଲ୍-ଏରେ ଭାରତ ସହ ଆୟୋଜକ ଜାପାନ, ଦକ୍ଷିଣ କୋରିଆ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆ ରହିଛନ୍ତି । ଏହି ମ୍ୟାଚ୍ଗୁଡ଼ିକ ଗିଫୁ ପ୍ରିଫେକ୍ଚରଲ୍ ଗ୍ରୀନ୍ ଷ୍ଟାଡିୟମ୍ (କାକାମିଗାହାରା)ଠାରେ ଖେଳାଯିବ ।

