Latest Odisha News

BREAKING NEWS

ଦୈନିକ ସଂକ୍ରମଣରେ ଆମେରିକାକୁ ଟପୁଛି ଭାରତ: ମୃତ୍ୟୁ ସଂଖ୍ୟା ଡେଇଁଲା ୫୦ ହଜାର

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭,୯୮୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୨୬,୪୭,୬୬୪ରେ ପହଞ୍ଚିଛିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆମେରିକା, ବ୍ରାଜିଲ୍‌ ପରେ ବିଶ୍ବରେ ସବୁଠୁ ଅଧିକ କୋଭିଡ ପ୍ରଭାବିତ ରାଷ୍ଟ୍ର ହେଉଛି ଭାରତ। ରିପୋର୍ଟ ଅନୁଯାୟୀ ଲଗାତାର ୧୨ ଦିନ ଧରି ଆମେରିକା ଏବଂ ବ୍ରାଜିଲ୍‌ ତୁଳନାରେ ଭାରତରେ ଦୈନିକ ସଂକ୍ରମଣ ମାମଲା ଅଧିକ ରହୁଛି। ଏନେଇ ଡବ୍ଲ୍ୟୁଏଚ୍ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ରିପୋର୍ଟ‌ ପ୍ରକାଶ କରିଛି।

ରିପୋର୍ଟ ଅନୁଯାୟୀ ଅଗଷ୍ଟ ୪ ତାରିଖ ପରଠାରୁ ଭାରତରେ ଦୈନିକ ସଂକ୍ରମଣ ମାମଲା ସବୁଠୁ ଅଧିକ ରହିଛି। ଆମେରିକାରେ ସଂକ୍ରମଣ ମାମଲା ୫୫ ଲକ୍ଷ ଟପିଥିବାବେଳେ ବ୍ରାଜିଲ୍‌ରେ ୩୩ ଲକ୍ଷ ଟପିଛି। ତେବେ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ସଂକ୍ରମଣ ମାମଲା ଅଧିକ ଥିଲେ ମଧ୍ୟ ଆରୋଗ୍ୟ ହାର ଅଧିକ ରହିଛି। ଦେଶରେ ଆରୋଗ୍ୟ ହାର ୭୧.୯୧ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି କରୋନା ପଜିଟିଭ୍‌ ହାର ୮.୫୦ ପ୍ରତିଶତ ରହିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା‌ ମଧ୍ୟରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୭,୯୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୧ ଜଣଙ୍କର ଜୀବନ ଯାଇଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ୬,୭୬,୯୦୦ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୯,୧୯,୮୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହାସହ ମୋଟ ୬୦,୯୨୧ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି।

ଭାରତରେ କୋଭିଡ୍‌ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌ ରହିଛି ଏବଂ ସମଗ୍ର ବିଶ୍ବରେ ଭାରତର କୋଭିଡ୍‌ ମୃତ୍ୟୁହାର ସବୁଠୁ କମ୍‌। ଆମେରିକାରେ କୋଭିଡ୍‌ ମୃତ୍ୟୁ ୫୦ ହଜାର ପହଞ୍ଚିବାପାଇଁ ୨୩ ଦିନ ଲାଗିଥିଲା। ବ୍ରାଜିଲ୍‌ରେ ୯୫ ଦିନ ଏବଂ ଭାରତରେ କୋଭିଡ୍‌ ମୃତ୍ୟୁ ୫୦ ହଜାର ପହଞ୍ଚିବାପାଇଁ ୧୫୬ ଦିନ ଲାଗିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.