ଢାକା: ଭାରତ ସରକାର ବାଂଲାଦେଶୀ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ପୁନଃସ୍ଥାପିତ କରିଛନ୍ତି। ବାଂଲାଦେଶରେ ଭାରତର ନୂଆ ହାଇକମିଶନର ଦିନେଶ ତ୍ରିବେଦୀ ଏହି ଘୋଷଣା କରିଛନ୍ତି।
ଶେଖ୍ ହସିନା ସରକାରଙ୍କ ପତନ ପରେ ଗତ ଦୁଇ ବର୍ଷ ଧରି ଏହି ଭିସା ସ୍ଥଗିତ ରଖାଯାଇଥିଲା। ତଥାପି ବାଂଲାଦେଶୀ ନାଗରିକମାନେ ଚିକିତ୍ସା ଭିସାରେ ଭାରତ ଯାତ୍ରା କରୁଥିଲେ। ଏହାକୁ ଭାରତ-ବାଂଲାଦେଶ ସମ୍ପର୍କରେ ଉନ୍ନତି ଭାବରେ ଦେଖାଯାଉଛି।
ଢାକାରେ ଭାରତର ନୂଆ ହାଇକମିଶନର ଦିନେଶ ତ୍ରିବେଦୀ ଗୁରୁବାର ଦିନ ଜମୁନା ଫ୍ୟୁଚର ପାର୍କରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ରରେ କହିଛନ୍ତି, “ମୁଁ ସାଧାରଣ ପର୍ଯ୍ୟଟନ ଭିସା ପୁନଃଆରମ୍ଭ ଘୋଷଣା କରି ଖୁସି। ଜୁନ୍ ୨୮ ତାରିଖରୁ ଭିସା ଆବେଦନ ଗ୍ରହଣ କରାଯିବ। ମାନବିକତା ଆଧାରରେ ଆବଶ୍ୟକୀୟ ଡାକ୍ତରୀ ଭିସା ପୂର୍ବ ପରି ପ୍ରଦାନ କରାଯିବ।
ସେ ଆହୁରି କହିଛନ୍ତି ଯେ ଦେଶର ପାଞ୍ଚଟି କେନ୍ଦ୍ର – ଢାକା, ରାଜଶାହୀ, ଚିଟାଗଙ୍ଗ, ସିଲହଟ ଏବଂ ଖୁଲନାରୁ ଭିସା ପ୍ରଦାନ କରାଯିବ ଏବଂ ଭବିଷ୍ୟତରେ ଏହି ସେବାଗୁଡ଼ିକୁ ଆହୁରି ବୃଦ୍ଧି କରାଯିବ।
ଦିନେଶ ତ୍ରିବେଦୀ ସମ୍ପ୍ରତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ନିକଟରେ ହାଇକମିଶନର ଭାବରେ ତାଙ୍କର ପରିଚୟପତ୍ର ପ୍ରଦାନ କରିଛନ୍ତି। ସେ ଆନୁଷ୍ଠାନିକ ଭାବରେ ବାଂଲାଦେଶରେ ଭାରତର ହାଇକମିଶନର ଅଛନ୍ତି। ପୂର୍ବରୁ ଏହି ଦାୟିତ୍ୱ ପ୍ରଣୟ ବର୍ମାଙ୍କ ତୁଲାଇ ଥିଲା। ସେ ବର୍ତ୍ତମାନ ବେଲଜିୟମ ଏବଂ ୟୁରୋପୀୟ ସଂଘ (EU) ରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଛନ୍ତି।
