ଗ୍ଲାସଗୋ: ଗ୍ଲାସଗୋଠାରେ ଚାଲିଥିବା କମନୱେଲଥ୍ ଗେମ୍ସ ୨୦୨୬ର ୧୦ମ ଦିନ ଶନିବାର ଭାରତ ପାଇଁ ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି । ଭାରତୀୟ ଆଥଲେଟ୍ମାନେ ଚମତ୍କାର ପ୍ରଦର୍ଶନ କରି ଗୋଟିଏ ଦିନରେ ମୋଟ ୮ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିମଧ୍ୟରୁ ୭ଟି ସ୍ୱର୍ଣ୍ଣ ବକ୍ସିଂରୁ ଆସିଥିବା ବେଳେ ୧ଟି ପାରା ଶଟପୁଟ୍ରୁ ମିଳିଛି । କମନୱେଲଥ୍ ଗେମ୍ସର କୌଣସି ଗୋଟିଏ ସଂସ୍କରଣରେ ବକ୍ସିଂରେ ୭ଟି ସ୍ୱର୍ଣ୍ଣ ଜିତିବା ଭାରତ ପାଇଁ ପ୍ରଥମ ଐତିହାସିକ ସଫଳତା । ଭାରତୀୟ ବକ୍ସରମାନେ ରିଂରେ ଦମଦାର ପ୍ରଦର୍ଶନ କରିନ୍ତି । ମହିଳା ବର୍ଗରେ ପ୍ରୀତି ପାୱାର (୫୪ କିଗ୍ରା) କାନାଡାର ସ୍କାର୍ଲେଟ୍ ଡେଲଗାଡୋଙ୍କୁ ୫-୦ରେ, ଜ୍ୟାସମିନ୍ ଲାମ୍ବୋରିଆ (୫୭ କିଗ୍ରା) ଆୟରଲ୍ୟାଣ୍ଡର ମିଶେଲା ୱାଲ୍ସଙ୍କୁ ୫-୦ରେ, ସାକ୍ଷୀ ଚୌଧୁରୀ (୫୧ କିଗ୍ରା) ଇଂଲଣ୍ଡର ଖେଳାଳିଙ୍କୁ ୫-୦ରେ, ପ୍ରିୟା ସିଂଘାସ (୬୦ କିଗ୍ରା)ରେ, ଅରୁନ୍ଧତୀ ଚୌଧୁରୀ (୭୦ କିଗ୍ରା) ଇଂଲଣ୍ଡର କାନ୍ଥଲେ ରୀଡ୍ଙ୍କୁ ୫-୦ରେ ମାତ୍ ଦେଇଛନ୍ତି ।
ପୁରୁଷ ବର୍ଗରେ ଅଙ୍କୁଶ ପଂଘାଲ ଇଂଲଣ୍ଡର ଡିମେଜୀ ଶିଟ୍ଟୁଙ୍କୁ, ସଚିନ ସିୱାଚ ନାମିବିୟାର ମୋର୍ନିଂ ନଡେଭେଲୋଙ୍କୁ ୩-୨ରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛନ୍ତି । ଲଭଲିନା ବୋରଗୋହେନ୍ (୭୦ କିଗ୍ରା), ଜଦୁମଣି ଏବଂ ନରେନ୍ଦ୍ର ବେରୱାଲ (+୯୦ କିଗ୍ରା) ଫାଇନାଲରେ ପରାଜିତ ହୋଇ ରୌପ୍ୟ ପଦକ ଜିତିଛନ୍ତି । ପାରା ଶଟପୁଟରେ ସୋମନ ରାଣା ସ୍ୱର୍ଣ୍ଣ, ଶୁଭମ ଜୁୟାଲ ରୌପ୍ୟ ପଦକ ଜିତିଛନ୍ତି । ପୁରୁଷ ୫୦୦୦ ମିଟର ଦୌଡ଼ରେ ଗୁଲବୀର ସିଂହ ୧୩ ମିନିଟ୍ ୨୪.୯୫ ସେକେଣ୍ଡ ସମୟ ନେଇ କାଂସ୍ୟ ପଦକ ଜିତିଛନ୍ତି । ସେ କମନୱେଲଥ୍ ଗେମ୍ସର ଗୋଟିଏ ସଂସ୍କରଣରେ ୫୦୦୦ ମିଟର ଏବଂ ୧୦୦୦୦ ମିଟର (ଉଭୟ) ଟ୍ରାକ୍ ଇଭେଣ୍ଟରେ ପଦକ ଜିତିବାରେ ପ୍ରଥମ ଭାରତୀୟ ଆଥଲେଟ୍ ହୋଇଛନ୍ତି ।