ଭାରତୀୟ ନିର୍ବାଚନ – ଜଘନ୍ୟ କ୍ଷମତା ଯୁଦ୍ଧ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ନିର୍ବାଚନ-ଧର୍ମଯୁଦ୍ଧ ନୁହେଁ – ଜଘନ୍ୟ କ୍ଷମତା ଯୁଦ୍ଧ । ସଂକଟର ସନ୍ଧିକ୍ଷଣରେ ଆଜି ଭୂଆଁବୁଲୁଛି ସମଗ୍ର ଭାରତବର୍ଷ । ଗଣତନ୍ତ୍ର ଆଜି ରକ୍ତାକ୍ତ । ସାଂପ୍ରଦାୟିକ ଦଙ୍ଗା, ଦୁର୍ନିତୀ ପରେ ଦୁର୍ନୀତି, ଶୋଷଣ, କଷଣ, ଅନ୍ୟାୟ ଅତ୍ୟାଚାର ଧର୍ଷଣ ଗଣହତ୍ୟା ଓ ବିକୃତିର ବର୍ବରତାରେ ଅତିଷ୍ଠ ଦେଶବାସୀଙ୍କ ଦୃଷ୍ଟିକୁ ଅନ୍ୟଆଡକୁ ନେଇଯିବା ପାଇଁ ଉନ୍ମାଦନା, ଉତେଜନା ସୃଷ୍ଟିକରିବା ସଂଗେ ସଂଗେ ଜନଗଣଙ୍କ ଅଧିକାରକୁ ପଣ୍ୟକରିବା ପାଇଁ କଦର୍ଯ୍ୟ କୁତ୍ସିତ ଚରିତ୍ର ସଂହାର ବାକ୍‌ଚାତୁରୀ ଉଦଣ୍ଡ ନାଚ ଗଣମାଧ୍ୟମରେ ନକଲି ଚେହେରା ପ୍ରଦର୍ଶନ ଓ ମିଥ୍ୟା ପ୍ରଚାର କରି କୋଟି କୋଟି ଜନଗଣଙ୍କ ମଧ୍ୟରେ ବିଭ୍ରାନ୍ତି ବିଦ୍ୱେଷ ସୃଷ୍ଟି କରାଯାଉଛି ।

୫୦୦୦ ବର୍ଷର ପୁରୁଣା ଧର୍ମଯୁଦ୍ଧରେ କିଛି ନିୟମ କାନୁନ୍ ଥିଲା – ଏବେ ନିର୍ବାଚନ କ୍ଷମତା ଯୁଦ୍ଧରେ ସ୍ୱାର୍ଥପାଇଁ ଯିଏ ଯାହା କଲା – ସେଇଟା ନୀତି ବୋଲି ଜବରଦସ୍ତ ଢୋଲ ବଜାଇବାରେ ଲାଗିଛନ୍ତି । ଫମ୍ପା ଓ ମିଛ ପ୍ରଚାର ପାଇଁ ଜନଗଣଙ୍କ ଝାଳବୁହାଧନ କାହିଁକି ଖର୍ଚ୍ଚ ହେବ ! ଏ ପ୍ରଶ୍ନ ପଚାରିବା କାହାକୁ ।

ଜର୍ମାନୀର ହିଟ୍‌ଲର – ଆର୍ଯ୍ୟଜାତି ଶ୍ରେଷ୍ଠ ଜାତି, ସମାଜବାଦର ଧ୍ୱନୀଦେଇ ପୁଞ୍ଜିବାଦ ସାମ୍ରାଜ୍ୟବାଦର ଶେଷ ଅସ୍ତ୍ର ଫାସିବାଦ ଆଣିଥିଲେ । ଇତିହାସ ତାଙ୍କୁ କ୍ଷମାଦେଲାନି – ସେ ଆତ୍ମହତ୍ୟା କଲେ । ଆଜି ଫାସିବାଦ ଏକ ନୂଆରୂପ, ନୂଆଢାଂଚା, ନୂଆ କୌଶଳରେ ପ୍ରବେଶ କରିସାରିଛି । ଧର୍ମ ଜାତି ସଂପ୍ରଦାୟ ନାଁରେ ଶାନ୍ତି-ପ୍ରଗତି-ବିକାଶ ନାଁରେ ସାଂପ୍ରଦାୟିକ ଫାସିବାଦର ବିଷାକ୍ତ ବିଷମଞ୍ଜି ବୁଣାଯାଇ ଛୋଟଛୋଟ ଗଛ ଉଠିଲାଣି । ଧର୍ମ ନାଁରେ ଦଙ୍ଗା-ଯୁଦ୍ଧ-ଅଧର୍ମ ବଢି ଚାଲିଛି – ଦେଶ ତମାମ୍ ଜାଲିଆତିର ଜାଲ ବିଛାଯାଇଛି । ଜନଗଣ ଜଳକା ହୋଇ ଅନେଇଛନ୍ତି । କ୍ଷମତା ଓ ଅର୍ଥ ନେତାମାନଙ୍କୁ ପାଗଳ କରିଦେଇଛି । ଶେଷକୁ ଇଶ୍ୱର-ଆଲ୍ଲା-ଯୀଶୁ-ବୁଦ୍ଧକୁ ମଧ୍ୟ ବ୍ୟବହାର କରି ସାରିଲେଣି । ଛଦ୍ମବେଶୀର ମୁଖା ସବୁଠୁ ଭୟଙ୍କର ।

ଭାରତବର୍ଷ – ସମ୍ବିଧାନରେ ଯାହାର ପରିଚୟ ‘ଭାରତ ଦ୍ୟାଟ୍ ଇଜ୍ ଇଣ୍ଡିଆ’ ଏକ ବିଭକ୍ତ ବ୍ୟକ୍ତିତ୍ୱର ଅଭିବ୍ୟକ୍ତି । ଏକ ଆତ୍ମବିଭକ୍ତ ରାଷ୍ଟ୍ର – ରାଜନୈତିକ, ଆର୍ଥନୈତିକ, ସାମାଜିକ, ସାଂସ୍କୃତିକ ଧର୍ମୀୟ ଏପରିକି ମାନସିକ – ସବୁ ଦୃଷ୍ଟିରୁ । ଯାହା ମନେହୁଏ, ଭାରତବର୍ଷକୁ ବୁଝି ବୁଝାଇବା ପାରି ରାଜନୈତିକ ଦୃଷ୍ଟିଭଙ୍ଗୀଟିଏ ଏପର୍ଯ୍ୟନ୍ତ କୌଣସି ରାଜନୀତିକ ଦଳ ଆଶାନୁରୂପ ଭାବେ ହାସଲ କରିପାରି ନାହାଁନ୍ତି । ସେଥିପାଇଁ ନିର୍ବାଚନ ପରେ ନିର୍ବାଚନ, ଭାଷଣପରେ ଭାଷଣ, ଶାସନପରେ ଶାସନ, ଯୋଜନା ପରେ ଯୋଜନା, ସବୁ କେବଳ ପ୍ରବଂଚନା ପରେ ପ୍ରବଂଚନା ଏବଂ ଏ କ୍ରମାଗତ କରାଳ ପ୍ରବଂଚନାର ଦୟନୀୟ ଶିକାର ହୋଇଆସୁଛି ଦୁର୍ଗତ ଭାରତୀୟ ମହାଜାତି ।

ସ୍ୱାଧୀନତା – ଯାହାକୁ ବହୁ ବର୍ଷର ସଂଗ୍ରାମଲବ୍ଧ ମହାର୍ଘ ମୁକ୍ତିରୂପେ ବିଜ୍ଞପ୍ତି କରାଯାଇ ଆସୁଛି, ତାର କୌଣସି ପ୍ରକୃଷ୍ଟ ପ୍ରଭାବ ଜନଜୀବନରେ ରେଖାପାତ କରିଥିବାଭଳି ମନେହେଉନାହିଁ । ଦେଶରେ ମୁକ୍ତି – ଅଥଚ ଜାତୀୟ ଜୀବନରେ ଚରମ ଅଧୋଗତି ! ଏହା କ’ଣ ସ୍ୱାଧୀନତାର ସ୍ୱାଦ ? ବରଂ ଗୋଟେ ବିଡମ୍ବନାମୟ ବିଭାଜନର ନିର୍ଲଜ୍ଜ ନାମାନ୍ତର ଏ ସ୍ୱାଧୀନତା । ସ୍ୱାଧୀନତା ଆସିଛି କେବଳ ପାଠ୍ୟପୁସ୍ତକରେ, ପୋଷ୍ଟରରେ, ପତାକାରେ – ସାଧାରଣ ସ୍ତରରେ ସଂଘର୍ଷରତ ଜନଜୀବନରେ ନୁହେଁ, ବରଂ ଭାରତବର୍ଷର ଭଙ୍ଗା ଭୂଗୋଳ ଭଳି ଭାରତୀୟ ଜନଜୀବନ ମଧ୍ୟ ବିଭାଜିତ । ଜାତି ଧର୍ମ ବର୍ଷ୍ଣ ଠାରୁ ଆରମ୍ଭ କରି ସାଂପ୍ରଦାୟିକ ସଂକୀର୍ଣ୍ଣତାର ଛୋଟ ଛୋଟ ହିଡରେ ଏ ଭାରତବର୍ଷ ଗୋଟାଏ ବନ୍ଦୀ ଚକବନ୍ଦୀର ଚକଡା… ବିଭିନ୍ନ ମୁଖାପିନ୍ଧା ମତଲବର ବିଚିତ୍ର ଆଖଡା !

ଭାରତବର୍ଷର ରାଜନୀତି ରୁଗ୍‌ଣ, ଅର୍ଥନୀତି ଋଣୀ, ଧର୍ମର ରଙ୍ଗ ଧୂସୁର । ଏହି ଅବସ୍ଥା ଏକ ଅରାଜକତା ଓ ଅସୁସ୍ଥ ଅବ୍ୟବସ୍ଥା ଛଡା ଆଉ କ’ଣ ? ଏହି ଅବାଂଛନୀୟ ଅବସ୍ଥାରୁ ହିଁ ଜନ୍ମ ନିଏ ଆତଙ୍କବାଦ, ଅବିଶ୍ୱାସ, ଅନ୍ଧାକାନୁନର ବିଷାକ୍ତ ବାତାବରଣ । ବିଷମଞ୍ଜି ଆଜି ବିଶାଳ ବିଷବୃକ୍ଷ । ସେ ବୃକ୍ଷର ଫଳାହାର ଏକ ପ୍ରାତ୍ୟହିକ ପ୍ରାତଃରାଶରେ ପରିଣତ ହୋଇଛି ଆମ ସମସ୍ତଙ୍କ ପକ୍ଷରେ ।

ଭାରତବର୍ଷର ପ୍ରତ୍ୟେକ ପ୍ରଦେଶ – ଗୋଟିଏ ଭାତହାଣ୍ଡିର ଚାଉଳ । ସବୁଠି ସେଇ ସ୍ଥାଣୁତ୍ୱ ସ୍ଥବିରତା ଓ ଶୀତଳ ଶୂନ୍ୟତା । ଏହା ନିଶ୍ଚିତ ପକ୍ଷରେ ଯେ କୌଣସି ରାଜନୈତିକ ଦଳ ଯିଏ ଶାସନ ଓ କ୍ଷମତା ବଂଟାବଂଟି ଖେଳରେ ଜର୍ସି ପିନ୍ଧିବାକୁ ଆଗେଇ ଆସୁଛି – ତା ପାଇଁ ମସ୍ତବଡ ଚ୍ୟାଲେଞ୍ଜ । ମାତ୍ର ଏ ଚାଲେଞ୍ଜକୁ ସାମ୍ନା କରିବାର ଯୋଗ୍ୟତା ଆଜି କେତୋଟି ଦଳ ନିକଟରେ ରହିଛି ?

ବର୍ତମାନର ପରିପ୍ରେକ୍ଷୀରେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ କ୍ଷମତାର ଗୋଟି ଚଳାଇବାକୁ ଛାଡି ଦେଇ ଦେଶବାସୀ ଚୁପ୍‌ଚାପ ବସିରହିବା ଆଦୌ ନିରାପଦ ନୁହେଁ । ପ୍ରତ୍ୟେକ ରାଜନୈତିକ ଦଳରୁ ପରିଚ୍ଛନ୍ନ ଭାବମୂର୍ତୀ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କୁ ଚିହ୍ନଟ କରାଯାଇ ଦେଶ ଓ ଜନଗଣଙ୍କ ଉଜ୍ୱଳ ଭବିଷ୍ୟତ ଦୃଷ୍ଟିରୁ ଯଦି ଏକ ସଂକଳ୍ପବଦ୍ଧ ସମ୍ମିଳିତ ରାଜନୈତିକ ମହାଶକ୍ତି ଠିଆ ହୋଇ ପାରନ୍ତା, ତା’ହେଲେ ଭାରତବର୍ଷ ପାଇଁ ପ୍ରସ୍ତୁତ ହୋଇପାରନ୍ତା ପ୍ରକୃତ ମୁକ୍ତିମାର୍ଗ ।

ଜନଗଣଙ୍କୁ ପରାଧୀନ ରଖି, ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ପଦାନତ କରି, କୌଣସି ରାଜନୀତିକ ଦଳକୁ ଗଣତନ୍ତ୍ର ନାଁରେ ଗାଦିରେ ଠାକୁର କରି ବସାଇ ଦେଉଥିବା ଯାଏଁ ଆମେ କେବଳ ଏକ ସୁବିଧାବାଦିର ସଡକର ମୋରମ୍ ବିଛାଇ ଚାଲୁଥିବୁ । ରାଜନୈତିକ ଦଳମାନେ ଦଳୀୟ ସ୍ୱାର୍ଥ ନୁହେଁ, ଜାତୀୟ ସ୍ୱାର୍ଥ ଓ ରାଷ୍ଟ୍ରୀୟ ସୁରକ୍ଷାର ଗୁରୁଦାୟିତ୍ୱ ବହନ କରିବାର ଚିନ୍ତନ ଓ କାର୍ଯ୍ୟ ଆରମ୍ଭ କରନ୍ତି ଲୋକମାନଙ୍କ ଭିତରେ ପୁଣି ଫେରାଇ ଆଣନ୍ତା ଏକ ସକରାତ୍ମକ ନେତୃତ୍ୱର ବର୍ତମାନ ନକରାତ୍ମକ ନେତୃତ୍ୱ ଅଧିକାଂଶ ରାଜନୈତିକ ଦଳର ସାଧାରଣ ବ୍ୟାଧି – ଏବଂ ଏ ବ୍ୟାଧି ଉତ୍କଟ ଭାବରେ ସଂକ୍ରାମକ ହୋଇ ପୁରା ଦେଶଟାକୁ ଦଳର ଜଳଖିଆ ଥାଳିରେ ପରଷି ଦେବାପାଇଁ ସୁଦ୍ଧା ତୟାର – ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଘଟଣା ଆଉ କ’ଣ ଥାଇପାରେ । ଏବେ ଗାଁ ଗାଁରେ ଗରଳ – ସହର ସାରା ଅନଳ – ରାଜନୀତିଆଙ୍କ ଆଖିରେ ପରଳ । ବାରବାଟୀ ଚଷେ ଗାଲୁଆ – ବାଉଆରେ ହେବ ହାଲୁଆ – ବରଷ ବରଷ କଥାନୁହେଁ ଶେଷ । ଲୋକେ ଶୁଣି ଶୁଣି ହେଲେଣି ହାଲିଆ ।

ସାଂପ୍ରଦାୟିକତାବାଦୀ ସଂକୀର୍ଣ୍ଣ ରାଜନୀତିର ଅତଳ ଅନ୍ଧକୂପ ମଧ୍ୟକୁ ଦେଶ ଓ ଜାତିକୁ ଟାଣି ଦେଇଥିବା କ୍ଷମତା ସର୍ବସ୍ୱ ରାଜନୈତିକ ତସ୍କରମାନଙ୍କ କବଳରୁ ଏବେ ପ୍ରାଣମୁର୍ଚ୍ଛା ସଂଗ୍ରାମ କରିବାର ପ୍ରକୃତ ପର୍ଯ୍ୟାୟ ଆସି ପହଂଚି ଯାଇଛି । ଏହା ହେଉଛି ଶେଷ ଯୁଦ୍ଧର ବିଶେଷ ପର୍ଯ୍ୟାୟ । ଏଠି ବିଷାଦ ଯୋଗରେ ବସିରହି ବୈରାଗ୍ୟର ବର୍ଣ୍ଣମାଳା ଉଚ୍ଚାରଣ କରି ଚାଲିଲେ ଏବଂ ଜନଦରବାରରେ ନିଜକୁ ଧର୍ମନିରପେକ୍ଷ ବାମ ଗଣତାନ୍ତ୍ରିକ ଓ ଜନସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବରେ ଯେତେ ନିଜର ଡିଣ୍ଡିମ ପିଟି ଚାଲିଲେ କିଛି ଲାଭନାହିଁ । ଯଦି ପ୍ରକୃତରେ ଜନଗଣଙ୍କ ପାଇଁ ମରଣପଣ ସଂଗ୍ରାମର ସଂକଳ୍ପ ନେଇ ଆମେ ମୈଦାନ ଉପରକୁ ଉତୁରୀ ନ ଆସିଛେ । ଆଉ ଶସ୍ତା ସୁନ୍ଦର ସ୍ଲୋଗାନ୍ ଦେଇ ପ୍ରବଂଚନାର ପଦ୍ମତୋଳା ଶୁଣାଇ ରାଜନୀତିକୁ ଆତ୍ମସ୍ୱାର୍ଥର ଆୟୁଧ କଲେ ଭବିଷ୍ୟତ କ୍ଷମା ଦେବନାହିଁ ।

ଯେତେବେଳେ ଏହାହିଁ ଅବସ୍ଥା, ସେତେବେଳେ ନିର୍ବାଚନ ମଂଚରେ ବ୍ୟବସ୍ଥାକୁ ବଦଳାଇବାର ଘଷରା ଘୋଷଣା କେବଳ ତୁମ୍ବିତୋଫାନ । ଦେଶର ସମସ୍ତ ରାଜନୈତିକଦଳ ନେତୃତ୍ୱ ଓ ବ୍ୟକ୍ତିତ୍ୱ ବର୍ତମାନ ସଠିକ୍ ବିଚାରଣା ଓ ବିଶ୍ଲେଷଣର ପର୍ଯ୍ୟାୟ ଆରମ୍ଭ କରନ୍ତି – ପରସ୍ପରକୁ ବିରୋଧ କରିବାରେ ସମୟ ନଷ୍ଟ ନକରି ସେଇ ସମୟ ସୀମା ମଧ୍ୟରେ ବରଂ ନିଜ ନିଜର ସ୍ୱବିରୋଧ, ଦ୍ୱନ୍ଦ ଓ ଆତ୍ମବିଭକ୍ତ ମାନସିକତାରୁ ମୁ୍‌କ୍ତି ପାଇବାର ବାଟ ଖୋଜନ୍ତି । ଏହାହିଁ ଆଜିର ଆତ୍ମିକ ଆହ୍ୱାନ ।

(ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩)