Latest Odisha News

BREAKING NEWS

ସମସ୍ତ ଫର୍ମାଟ୍ କ୍ରିକେଟରୁ ସନ୍ୟାସ ନେଲେ ଭାରତୀୟ ମହିଳା କ୍ରିକେଟର୍ ଭି.ଆର୍ ଭନିତା

ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଭାରତୀୟ ମହିଳା ଦଳର ଓପନର୍ ଭେଲ୍ଲାସ୍ୱାମୀ ରାମୁ ଭନିତା । ୨୦୧୪, ଜାନୁଆରୀ ମାସରେ ଶ୍ରୀଲଙ୍କା ବିରୋଧରେ ବିଶାଖପାଟଣାରେ ଭନିତା ଉଭୟ ଦିନିକିଆ ଓ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ୬ଟି ଦିନିକିଆ ମ୍ୟାଚ୍ ଖେଳିଥିଲାବେଳେ ୧୬ଟି ଟି-୨୦ ମ୍ୟାଚରେ ପଦାର୍ପଣ କରି ସର୍ବମୋଟ୍ ୩୦୧ ରନ୍ କରିଥିଲେ ।

ଘରୋଇ ସର୍କିଟରେ ଭନିତା କର୍ଣ୍ଣାଟକ ତରଫରୁ ପ୍ରଥମ ଶ୍ରେଣୀ ଓ ଟି-୨୦ ମ୍ୟାଚ୍ ଖେଳି ୧୪୧୦ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ । କ୍ରିକେଟ୍‌କୁ ଅଲବିଦା କହିବା ନେଇ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ନିଜ ପରିବାରବର୍ଗ, ବନ୍ଧୁବାନ୍ଧବ ଓ କୋଚ୍ ଇର୍ଫାନ୍‌ଙ୍କ ସମେତ ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏପରିକି ଖେଳ ପଡିଆରେ ତାଙ୍କୁ ସମର୍ଥନ କରିଥିବାରୁ ସେ ମିଥାଲି ରାଜ୍ ଓ ଝୁଲନ୍ ଗୋସ୍ୱାମୀଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

କ୍ରିକେଟ୍‌କୁ ଅଲବିଦା କହିବା ପରେ ଏବେ ଭିନିତା ଯୁବବର୍ଗଙ୍କୁ ତାଲିମ ଦେବାକୁ ମନସ୍ଥ କରିଛନ୍ତି । ନିଜ ଜୀବନର ପ୍ରଥମ ଇନିଂସରେ ସେ ଭାରତ ପାଇଁ କ୍ରିକେଟ୍ ଖେଳିଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି । ତେବେ ଜୀବନର ଦ୍ୱିତୀୟ ଇନିଂସ ସେ କ୍ରିକେଟ୍ କୋଚିଂରୁ ଆରମ୍ଭ କରିବାକୁ ସଜବାଜ ହେଉଥିବା ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.