ଶ୍ରୀହରିକୋଟା: ଉବର କିମ୍ବା ଓଲା ବୁକ୍ କରିବା ଭଳି ଯଦି ମହାକାଶକୁ ଉପଗ୍ରହ ପଠାଇବା ପାଇଁ ରକେଟ୍ ବୁକ୍ କରିହେବ? ତେବେ କିପରି ହୁଅନ୍ତା…ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହାକୁ ବାସ୍ତବରେ ପରିଣତ କରିଦେଖାଇଛି ଭାରତର ଘରୋଇ କମ୍ପାନି ସ୍କାଇରୁଟ୍ ଏରୋସ୍ପେସ୍। ଭାରତର ମହାକାଶ ସ୍ୱପ୍ନକୁ ନୂଆ ଉଡ଼ାଣ ଦେଇଛି ‘ବିକ୍ରମ-୧’ ।
ହାଇଦ୍ରାବାଦ ସ୍ଥିତ ଘରୋଇ ମହାକାଶ କମ୍ପାନି ସ୍କାଇରୁଟ୍ ଏରୋସ୍ପେସ୍ ଶନିବାର ଶ୍ରୀହରିକୋଟାରୁ ସଫଳତାର ସହ ‘ବିକ୍ରମ-୧’ ରକେଟ୍ ଉତ୍କ୍ଷେପଣ କରି ଇତିହାସ ସୃଷ୍ଟି କରିଛି। କେବଳ ଉତ୍କ୍ଷେପଣ ନୁହେଁ, ରକେଟ୍ଟି ନିର୍ଦ୍ଧାରିତ କକ୍ଷପଥରେ ଉପଗ୍ରହ ସ୍ଥାପନ କରିବାରେ ମଧ୍ୟ ସଫଳ ହୋଇଛି। ପ୍ରଥମ ପ୍ରୟାସରେ ରକେଟ୍ର ସମସ୍ତ ଚାରିଟି ପର୍ଯ୍ୟାୟ (Stages) ସଫଳତାର ସହ କାର୍ଯ୍ୟ କରିଥିବା ସ୍କାଇରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୭ ମହଲା ଉଚ୍ଚ ଏହି ରକେଟ୍ ୩୫୦ କିଲୋଗ୍ରାମ ପର୍ଯ୍ୟନ୍ତ ପେ-ଲୋଡ୍କୁ ୪୫୦ କିଲୋମିଟର ଉଚ୍ଚ ଲୋ-ଅର୍ଥ ଅର୍ବିଟ୍ରେ ମାତ୍ର ୧୬ ମିନିଟ୍ରେ ପହଞ୍ଚାଇପାରିବ। ବିକ୍ରମ-୧ର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର ‘ସ୍ପେସ୍ କ୍ୟାବ୍ ସର୍ଭିସ୍’। ଅର୍ଥାତ୍, ଆଗକୁ ଛୋଟ ଉପଗ୍ରହ ପଠାଇବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସ୍କାଇରୁଟ୍ କହୁଛି, ଠିକ୍ ମୋବାଇଲରେ କ୍ୟାବ୍ ବୁକ୍ କରିବା ଭଳି ନିଜ ଆବଶ୍ୟକତା ଅନୁଯାୟୀ ରକେଟ୍ ବୁକ୍ କରିପାରିବେ ଗ୍ରାହକ।
‘ମିଶନ ଆଗମନ’ ନାମକ ଏହି ପ୍ରଥମ ମିଶନ୍ରେ ମୋଟ ୬ଟି ପେ-ଲୋଡ୍ ରହିଛି। ସେଥିରେ ରହିଛି ପୃଥିବୀ ପର୍ଯ୍ୟବେକ୍ଷଣ କ୍ୟାମେରା, ମହାକାଶର ଅଳିଆ ହଟାଇବା ପାଇଁ ରୋବୋଟିକ୍ ଆର୍ମ, ଜର୍ମାନୀର ଏକ କମ୍ପାନିର ଉପଗ୍ରହ ସହ ଅନ୍ୟାନ୍ୟ ବୈଜ୍ଞାନିକ ଉପକରଣ। ଏହା ବ୍ୟତୀତ ଦୁଇଟି ସ୍ୱତନ୍ତ୍ର ପ୍ରତୀକାତ୍ମକ ପେ-ଲୋଡ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ପ୍ରଥମଟି ହେଉଛି ଲ୍ୟାବ୍ରେ ତିଆରି ହୋଇଥିବା ହୀରାରେ ନିର୍ମିତ ‘କସ୍ମିକ୍ ବ୍ଲୁମ୍’ ପଦ୍ମ। ଦ୍ୱିତୀୟଟି ହେଉଛି ଏକ କ୍ଷୁଦ୍ର ସୁନାର ରକେଟ୍, ଯେଉଁଥିରେ ଚାଉଳ ଦାନାଠାରୁ ମଧ୍ୟ ଛୋଟ ଆକାରରେ ଭାରତର ତିନିଜଣ ମହାନ ବୈଜ୍ଞାନିକ, ଡ଼. ବିକ୍ରମ ସାରାଭାଇ, ନୋବେଲ ବିଜେତା ସି.ଭି. ରମଣ ଓ ଡ଼. ଏ.ପି.ଜେ. ଅବଦୁଲ କଲାମଙ୍କ ପ୍ରତିକୃତି ଖୋଦେଇ କରାଯାଇଛି। ଏହା ଭାରତର ମହାକାଶ ଯାତ୍ରାର ପଥପ୍ରଦର୍ଶକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି।
ଏଥିସହିତ ଏହି ମାନବବିହୀନ ରକେଟ୍ ନିଜ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତଲେଖା ‘ବନ୍ଦେ ମାତରମ୍’ ବାର୍ତ୍ତାକୁ ମହାକାଶକୁ ନେଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟକାର୍ଡ ସହ ଏହି ମିଶନରେ ଦଳର ସଦସ୍ୟ, ନିବେଶକ, ନୀତି-ନିର୍ମାତା ଏବଂ ବିଶ୍ୱର ବିଭିନ୍ନ ଶୁଭେଚ୍ଛୁଙ୍କ ବାର୍ତ୍ତା ମଧ୍ୟ ସାମିଲ ହୋଇଛି।
ଏହା ପୂର୍ବରୁ ୨୦୨୨ରେ ସ୍କାଇରୁଟ୍ ‘ବିକ୍ରମ-ଏସ୍’ ନାମକ ସବ୍-ଅର୍ବିଟାଲ୍ ରକେଟ୍ର ସଫଳ ଉତ୍କ୍ଷେପଣ କରି ଭାରତର ପ୍ରଥମ ଘରୋଇ ମହାକାଶ କମ୍ପାନି ଭାବେ ଇତିହାସ ସୃଷ୍ଟି କରିଥିଲା। ସେହି ରକେଟ୍ ୮୮.୮ କିଲୋମିଟର ଉଚ୍ଚତା ଏବଂ ମ୍ୟାକ୍ ୫.୦୭ ବେଗ ହାସଲ କରିଥିଲା।
ଚନ୍ଦ୍ର, ମଙ୍ଗଳ ଓ ସୂର୍ଯ୍ୟ ମିଶନ୍ ପରେ ଗଗନଯାନ, ଶୁକ୍ର ମିଶନ୍ ଓ ୨୦୩୫ ସୁଦ୍ଧା ନିଜସ୍ୱ ସ୍ପେସ୍ ଷ୍ଟେସନ୍ ନିର୍ମାଣ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବା ଭାରତ ପାଇଁ ବିକ୍ରମ-୧ କେବଳ ଆଉ ଏକ ରକେଟ୍ ନୁହେଁ, ବରଂ ଘରୋଇ ମହାକାଶ ଶିଳ୍ପର ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ। ଯେଉଁଠାରେ ମହାକାଶ ଯାତ୍ରା ଆଗାମୀ ଦିନରେ କ୍ୟାବ୍ ବୁକ୍ କରିବା ଭଳି ସହଜ ହୋଇପାରେ।