ଭୁବନେଶ୍ୱର: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ନକଲି ସରକାରୀ ବିଜ୍ଞପ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନାଁରେ ଏକ ଜାଲ୍ ପଦୋନ୍ନତି ସୋଶିଆଲ ମିଡିଆରେ ପ୍ରମୋସନ୍ ଅର୍ଡର ପ୍ରସ୍ତୁତ କରାଯାଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ବ୍ୟାପକ ଭାବେ ପ୍ରସାର କରାଯାଉଥିବା ନଜରକୁ ଆସିଛି। ତେବେ ଏହି ଆଦେଶନାମାଟି ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯିବା ସହ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱରେ ନପଡ଼ିବାକୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ବିଭାଗୀୟ ସ୍ୱତନ୍ତ୍ର ସଚିବ ସୂର୍ଯ୍ୟ ନାରାୟଣ ଦାଶ ଏ ସମ୍ପର୍କରେ ଏକ ସ୍ପଷ୍ଟୀକରଣ ପତ୍ର ଜାରି କରିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଗତ ଜୁଲାଇ ୩ (୨୦୨୬) ତାରିଖର ଏକ ଦିନାଙ୍କ ପକାଯାଇ ଏହି ଫେକ୍ ଚିଠିଟିକୁ ତିଆରି କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ କିଛି ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଏବଂ ପ୍ରୋଗ୍ରେସ ଆସିଷ୍ଟାଣ୍ଟଙ୍କୁ ବିଭାଗ ପକ୍ଷରୁ ପଦୋନ୍ନତି ଦିଆଯାଇ ବ୍ଲକ୍ ଉନ୍ନୟନ ଅଧିକାରୀ ) ଭାବେ ଅବସ୍ଥାପିତ କରାଯାଇଛି। ମାତ୍ର ବିଭାଗ ପକ୍ଷରୁ ଏଭଳି କୌଣସି ପଦୋନ୍ନତି କରାଯାଇନାହିଁ କିମ୍ବା ଏ ସମ୍ପର୍କିତ କୌଣସି ଆଦେଶନାମା ପ୍ରକାଶ ପାଇନାହିଁ ବୋଲି ଶ୍ରୀ ଦାଶ ସ୍ପଷ୍ଟ କରିଛନ୍ତି।
ସରକାରୀ ଆଦେଶକୁ ଜାଲିଆତି କରି ଏଭଳି ବିଭ୍ରାନ୍ତିକର ଗୁଜବ ସୃଷ୍ଟି କରାଯାଉଥିବାରୁ ବିଭାଗ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛି। ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ବିଡିଓ ଏବଂ କ୍ଷେତ୍ରସ୍ତରର ସମସ୍ତ ଅଧିକାରୀଙ୍କୁ ଏହି ନକଲି ଆଦେଶକୁ ସମ୍ପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ଏହି ଜାଲ୍ କାଗଜପତ୍ର ଯେପରି ଆଉ କେହି ପ୍ରସାର କିମ୍ବା ଫରୱାର୍ଡ ନକରନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ପ୍ରଶାସନକୁ ଆଲର୍ଟ କରାଯାଇଛି। ଆବଶ୍ୟକ ପଡ଼ିଲେ ସ୍ଥାନୀୟ ଜନପ୍ରତିନିଧି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ସାଧାରଣ ଜନତାଙ୍କୁ ମଧ୍ୟ ଏହି ମିଥ୍ୟା ଖବର ସମ୍ପର୍କରେ ସଚେତନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସରକାରୀ ବିଭାଗର ମୋହର ତଥା ନାଁ ବ୍ୟବହାର କରି ନକଲି ଚିଠି ପ୍ରସ୍ତୁତ କରିବା ଏକ ସାଂଘାତିକ ତଥା ଦଣ୍ଡନୀୟ ସାଇବର ଅପରାଧ। ତେଣୁ ଯେଉଁ ଦୁର୍ବୃତ୍ତମାନେ ଏହି ମିଥ୍ୟା ଦସ୍ତାବିଜ୍ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ତୁରନ୍ତ ଏଫ୍ଆଇଆର୍ ରୁଜୁ କରିବା ସହ ରାଜ୍ୟ ସାଇବର କ୍ରାଇମ୍ ସେଲ୍ ଦ୍ୱାରା ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଲିଖିତ ଭାବେ ଅବଗତ କରାଯାଇଛି।