Latest Odisha News

BREAKING NEWS

ଭଦ୍ରକ ନାଳିଆ ନଦୀରେ ବୁଡ଼ି ୩ ଛାତ୍ରଙ୍କର ଅକାଳ ମୃତ୍ୟୁ

ଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ମଙ୍ଗଳବାର ଦିନ ଘଟି ଯାଇଛି ଏକ ବଡ଼ ଅଘଟଣ । ନାଳିଆ ନଦୀରେ ବୁଡ଼ି ଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସ୍ମୃତି ରଞ୍ଜନ ସ୍ବାଇଁ, ରଜତ କୁମାର ଜେନା, ପ୍ରଣୟ କୁମାର ଲେଙ୍କା । ସମସ୍ତ ୩ ଜଣ ମୃତକ କୋରକୋରା ହରିଗ୍ରାମର ଓ ଚରମ୍ପା ମହାବିଦ୍ୟାଳୟର ଛାତ୍ର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଲାଙ୍ଗୁଡ଼ି ଅଞ୍ଚଳ ନିକଟ ନାଳିଆ ନଦୀକୁ ଆଜି ପାଞ୍ଚ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ସମସ୍ତେ ଜଣେ ପରେ ଜଣେ ପାଣିରେ ବୁଡ଼ିଯାଇଥିଲେ। ପିଲାମାନେ ନଦୀରେ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି।

ସେପଟେ ଖବର ପାଇ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ହସପିଟାଲରେ ପହଞ୍ଚିଥିଲେ । ବିଧାୟକ ଦୁଃଖପ୍ରକାଶ କରିବା ସହ କହିଛନ୍ତି ଯେ, ସରକାର ଓ ଜିଲ୍ଲା ରେଡକ୍ରସ୍ ପକ୍ଷରୁ ଯାହା ସାହାଯ୍ୟ କରାଯିବା କଥା କରାଯିବ । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.