Latest Odisha News

BREAKING NEWS

କ୍ରିକେଟକୁ କେତେ ବଦଳାଇ ଦେଇଛି ଆଇପିଏଲ

ଟି୨୦ ଫର୍ମାଟରେ ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇଯିବ । ୨୦୦୮ରେ ଆଇପିଏଲ ଆରମ୍ଭ ହେବା ପରେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ କ୍ରିକେଟ ଦୁନିଆ ଉପରେ ପଡିଥିଲା । ଆଇପିଏଲ ବ୍ୟତୀତ ଟି୨୦ ଫର୍ମାଟର ଆହୁରି ୧୦ଟି ବଡ ଲିଗ ଖେଳାଯାଉଛି । ଏଥିଯୋଗୁ କ୍ରିକେଟ ଖେଳିବା ଶୈଳୀ ବଦଳିଗଲା କହିଲା ଭୁଲ ହେବନି । ଆକ୍ରମଣାତ୍ମକ ଖେଳ ଯୋଗୁ ଟେଷ୍ଟ କ୍ରିକେଟରେ ମଧ୍ୟ ୮୦ ପ୍ରତିଶତ ମ୍ୟାଚରେ ଫଳାଫଳ ବାହାରିଲା ।

୨୦୦୩ରେ ଇଂଲଣ୍ଡରେ ପ୍ରଥମେ ଟି୨୦ ଖେଳା ଯାଇଥିଲା । ପରେ ଏହା ନେଟୱେଷ୍ଟ ବ୍ଲାଷ୍ଟ ଭାବେ ପରିଚିତ ହେଲା । ୧୭ ଫେବୃୟାରୀ ୨୦୦୫ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳା ଯାଇଥିଲା । ଏହାର ୨ ବର୍ଷ ପରେ ଦକ୍ଷିଣ ଆଫ୍ରିକାରେ ଟି୨୦ ବିଶ୍ୱକପ ଖେଳା ଯାଇଥିଲା । ଏହାର ଲୋକପ୍ରିୟତା ଦେଖି ଆଇପିଏଲ ଆରମ୍ଭ ହୋଇଥିଲା । ଧିରେ ଧିରେ ଏହି ଲିଗର ଲୋକପ୍ରିୟତା କ୍ରିକେଟର ଅନ୍ୟ ଫର୍ମାଟକୁ ପଛରେ ପକାଇ ଦେଇଥିଲା । ୨୦୦୩ରୁ ୦୭ ମଧ୍ୟରେ ୨୨୧ ଟେଷ୍ଟ, ୭୩୩ ଦିନିକିଆ ଓ ୫୦ ଟି୨୦ ମ୍ୟାଚ ଖେଳା ଯାଇଥିଲା । ଗତ ୫ ବର୍ଷ ମଧ୍ୟରେ ୧୪୦୧ ଟି୨୦ ମ୍ୟାଚ ଖେଳାଯାଇଥିବା ବେଳେ ଦିନିକିଆ ମ୍ୟାଚ ୬୦୯ ଓ ୨୧୦ ଟେଷ୍ଟ ମ୍ୟାଚ ଆୟୋଜିତ ହୋଇଥିଲା ।

ଆଇପିଏଲ ପରେ ଆନ୍ତର୍ଜାତୀୟ ମ୍ୟାଚରେ ଦ୍ୱିଶତକ ହାସଲକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୮୭୭ରୁ ୨୦୦୭ ମଧ୍ୟରେ ୨୭୫ଟି ଦ୍ୱିଶତକ ମରାଯାଇଥିବା ବେଳେ ଏବେ ୧୫ ବର୍ଷ ମଧ୍ୟରେ ଏହାର ସଂଖ୍ୟା ୧୨୬ରେ ପଂହଚି ସାରିଛି । ସେହିପରି ଦିନିକିଆ କ୍ରିକେଟରେ ରନ ସଂଗ୍ରହ ହାର ବଢ଼ିଛି । ୧୯୭୧ରୁ ୨୦୦୭ ମଧ୍ୟରେ ଦିନିକିଆ କ୍ରିକେଟରେ ୫ ଥର ଟିମ ୪୦୦ ରନ ସଂଗ୍ରହ କରିଥିବା ବେଳେ ଆଇପିଏଲ ପରେ ୧୫ ବର୍ଷ ମଧ୍ୟରେ ୧୭ ଥର ୪୦୦ରୁ ଊର୍ଦ୍ଧ୍ୱ ସ୍କୋର ସଂଗ୍ରହ ହୋଇପାରିଛି । ଏବେ ଦିନିକିଆରେ ୫୦୦ ରନ ବି ବଡ କଥା ନୁହେଁ ବୋଲି ଆଲୋଚନା କରାଯାଉଛି । ୮୦ ଥର ୩୦୦ରୁ ଊର୍ଦ୍ଧ୍ୱ ରନ ଚେଜ ହୋଇଛି ।

ଆଇପିଏଲ ଯୋଗୁ ୧୫ ବର୍ଷ ମଧ୍ୟରେ ବିସିସିଆଇ ସବୁଠାରୁ ଧନୀ ବୋର୍ଡ ସାଜି ସାରିଛି । ଏହା ଦ୍ୱାରା ଭାରତୀୟ ଖେଳାଳିମାନେ ମଧ୍ୟ ମୋଟା ଅଙ୍କର ଅର୍ଥ ପାଇବାରେ ଲାଗିଛନ୍ତି । ସବୁଠାରୁ ଚିନ୍ତାର କଥା ହେଲେ ଯେଉଁ ପ୍ରତିଶତ ହାରରେ ସୀମିତ ଓଭର ଖେଳାଳି ବାହାରୁଛନ୍ତି ତା ତୁଳନାରେ ଟେଷ୍ଟ ଖେଳାଳି ସଂଖ୍ୟା କମିବାରେ ଲାଗିଛି ।

Leave A Reply

Your email address will not be published.