Latest Odisha News

ଟାର୍ଗେଟରେ ‘ରାହୁଲ’ ସଂସଦରୁ ବିଦା କଲେ, ଘରୁ ତଡିଦେବେ, ଆଗକୁ କଣ ?

ଭୁବନେଶ୍ୱର: ସଦସ୍ୟ ପଦ ରଦ୍ଦ ପରେ ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା। ରାହୁଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସାରା ଦେଶରେ ରାହୁଲଙ୍କ ସପକ୍ଷରେ ଏକ ମାହୋଲ ତିଆରି କରିଛି। କିନ୍ତୁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଜି ନୁହେଁ କେବେଠୁ ରାହୁଲ ଟାର୍ଗେଟରେ ରହିଛନ୍ତି ବୋଲି ଆଲୋଚନା ହେଉଛି।

ରାହୁଲ ଗାନ୍ଧୀଙ୍କ ପ୍ରତି ଏହା ଅନ୍ୟାୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଆଇନ ଅନୁଯାୟୀ ସବୁ ହୋଇଥିଲେ ମଧ୍ୟ ରାହୁଲଙ୍କ ସଦସ୍ୟ ପଦ ରଦ୍ଦକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏପରିକି ଏହି ପ୍ରସଙ୍ଗ ପରେ ପୂର୍ବରୁ ରାହୁଲଙ୍କ ବିରୋଧରେ ବିଭିନ୍ନ ସମୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ହେଉଛି।

ରାହୁଲ ଗାନ୍ଧୀଙ୍କୁ ଯୋଗାଇ ଦିଆଯାଉଥିବା ଏସପିଜି ସୁରକ୍ଷା କାଢି ନିଆଯିବାକୁ ନେଇ ଏବେ ଚର୍ଚ୍ଚା ହେଉଛି। ସୁରକ୍ଷା ଦୃଷ୍ଟିକୋଣରୁ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଓ ପ୍ରିୟଙ୍କାଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଉଥିବା ବେଳେ କେନ୍ଦ୍ର ପକ୍ଷରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।

କଂଗ୍ରେସ ନେତାମାନେ ସେତେବେଳେ ଏହାକୁ ନେଇ ବିଜେପିକୁ ସମାଲୋଚନା କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ପୁଣିଥରେ ରାହୁଲଙ୍କୁ ଏସପିଜି ସୁରକ୍ଷା ଯୋଗାଇଦେବାକୁ ଦାବି କରିଥିଲେ। ରାହୁଲ ବାରମ୍ବାର ଏସପିଜି ସୁରକ୍ଷା ନିୟମ ଭଙ୍ଗ କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏହି ସୁରକ୍ଷା କାଢି ନିଆଯିବା ପ୍ରସଙ୍ଗକୁ ସାଧାରଣ ଲୋକେ ପସନ୍ଦ କରି ନ ଥିବା କୁହାଯାଏ।

ପରବର୍ତ୍ତୀ ପର୍ଯ୍ୟାୟରେ ରାହୁଲଙ୍କୁ ବିଭିନ୍ନ ସମୟରେ ଜଣେ ନନସିରିଅସ ଲିଡ଼ରର ଆଖ୍ୟା ଦେବାକୁ ବିଜେପି ଉଦ୍ୟମ କରି ଆସୁଥିବା ଅଭିଯୋଗ ହୁଏ। ତାଙ୍କୁ ପପୁ ଆଖ୍ୟା ଦେବାଠୁ ଆରମ୍ଭ କରି ତାଙ୍କର ବହୁ ମନ୍ତବ୍ୟକୁ ମିଛରେ ଏଡିଟ କରି ସାମାଜିକ ଗଣମାଧ୍ୟମରେ ଛାଡିବାକୁ ନେଇ ଅଭିଯୋଗ ମଧ୍ୟ ହୁଏ।

ଏହା ବ୍ୟତୀତ କିଛି ଦିନ ତଳେ ନ୍ୟାସନାଲ ହେରାଲଡ଼ ପ୍ରସଙ୍ଗରେ ରାହୁଲଙ୍କୁ ଇଡିର ଜେରା ମଧ୍ୟ ଚର୍ଚ୍ଚାର ପ୍ରମୁଖ କାରଣ ସାଜିଥିଲା। ଏକାଧିକବାର ଇଡିକୁ ଡକାଯିବା ସହ ଘଣ୍ଟା ଘଣ୍ଟା ଜେରାକୁ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯିବା ସହ ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଥିଲା। ଏପରିକି ବିଭିନ୍ନ ସମୟରେ ରାହୁଲଙ୍କୁ ବିଭିନ୍ନ ବିମାନବନ୍ଦରରେ ଅଟକ ରଖାଯିବାକୁ ନେଇ କେନ୍ଦ୍ରର ବିଜେପି ବିରୋଧରେ ଅଭିଯୋଗ ହୁଏ।

ତା ପରେ ଏବେ ସୁରଟ କୋର୍ଟଙ୍କ ଦ୍ୱାରା ଦଣ୍ଡବିଧାନ ହେବା ପରେ ସାଙ୍ଗେ ସାଙ୍ଗେ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଚନା। ଏପରିକି ଖାଲି ସେତିକି ନୁହେଁ ସଦସ୍ୟ ପଦ ରଦ୍ଦ ହେଉ ହେଉ ତୁରନ୍ତ ରାହୁଲଙ୍କୁ ସରକାରୀ ବାସଭବନ ଛାଡିବା ନୋଟିସକୁ ନେଇ ଆଲୋଚନା ଆହୁରି ଜୋର ଧରିଛି।

ସାଂସଦ ଭାବେ ଜିତିବା ଦିନଠାରୁ ରାହୁଲ ଉକ୍ତ ସରକାରୀ ବାସଭବନରେ ରହୁଥିବା ବେଳେ ସଦସ୍ୟ ପଦ ରଦ୍ଦ ପରେ ତାଙ୍କୁ ଏହାକୁ ଖାଲି କରିବାକୁ କୁହାଯାଇଛି। ପୂର୍ବରୁ ଏତେ ସବୁ ଘଟଣା ହେଉଥିବା ବେଳେ କଂଗ୍ରେସ ଶାସକ ବିଜେପିକୁ ଟାର୍ଗେଟ କରୁଥିଲା। କିନ୍ତୁ ସେତେବେଳେ ଏହା ଲୋକଙ୍କୁ ସେତେଟା ଛୁଇଁ ପାରୁ ନ ଥିଲା। ଏବେ କିନ୍ତୁ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗ ସାରା ଦେଶରେ ରାହୁଲଙ୍କ ପ୍ରତି ଏକ ବଡ଼ ସହାନୁଭୂତି ସୃଷ୍ଟି କରିଛି।

ଲୋକମାନେ ଏଥିପାଇଁ ବିଜେପିକୁ ଟାର୍ଗେଟ କରୁଥିବା କୁହାଯାଉଛି। ଏପରିକି ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗ ପରେ ଲୋକେ ରାହୁଲଙ୍କ ଉପରେ ହୋଇଥିବା ଅନ୍ୟ ସବୁ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆଲୋଚନା କରିବା ସହ ରାହୁଲଙ୍କ ସମର୍ଥନରେ ଅଧିକ ଯୋଡି ହେଉଥିବା ଚର୍ଚ୍ଚା ହେଉଛି।

ଏବେ କର୍ଣ୍ଣାଟକ ନିର୍ବାଚନ ଘୋଷଣା ହୋଇ ସାରିଥିବା ବେଳେ ଦେଶରେ ସାଧାରଣ ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଏଭଳି ସ୍ଥିତିରେ ରାହୁଲଙ୍କ ସମର୍ଥନରେ ଯୋଡି ହୋଇଥିବା ଦେଶବାସୀ ଓ ବିରୋଧୀଙ୍କ ସହଯୋଗ କେତେ ଆଗକୁ ଯିବ ତାକୁ ନେଇ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.