Latest Odisha News

BREAKING NEWS

ବିନା ରାଜୁ ଦାସରେ କଣ ବିଜେଡି ହାରିବ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ଶେଷ ଉପନିର୍ବାଚନ ହୋଇପାରେ ବୋଲି କୁହାଯାଉଛି। ତେଣୁ ଏହା ପ୍ରମୁଖ ଦଳ ଗୁଡିକ ପାଇଁ ସେମିଫାଇନାଲ ମ୍ୟାଚ ବୋଲି ଆଲୋଚନା ହେଉଛି। ସାଧାରଣ ଭାବେ ରାଜ୍ୟରେ ଶାସକ ଦଳ ବିଜେଡି ସବୁଠୁ ପ୍ରଭାବୀ ଦଳ ଭାବେ ଉଭା ହୋଇଛି।

ଉପନିର୍ବାଚନରେ ବିଜେଡି ପ୍ରାୟ ଜିତୁଥିବା ଦେଖାଯାଏ। କିନ୍ତୁ ଧାମନଗର ଉପନିର୍ବାଚନରେ ଏ କଥାର ବ୍ୟତିକ୍ରମ ଦେଖାଯାଇଥିଲା। ସବୁ ଶକ୍ତି ଖଟାଇ ମଧ୍ୟ ଶାସକ ବିଜେଡି ଧାମନଗର ଉପନିର୍ବାଚନ ହାରିଥିଲା ଓ ବିଜେପି ଜିତିବାକୁ ସକ୍ଷମ ହୋଇଥିଲା।

ଧାମନଗରରେ ଜିତିବା ପରେ ବେଶ ଉତ୍ସାହିତ ବିଜେପି କିନ୍ତୁ ପଦମପୁର ଉପନିର୍ବାଚନରେ ପରାଜୟବରଣ କରିଥିଲା। ଶାସକ ବିଜେଡି ଚିରାଚରିତ ଢଙ୍ଗରେ ବିଜେପିକୁ ଭଲ ବ୍ୟବଧାନରେ ହରାଇବାକୁ ସକ୍ଷମ ହୋଇଥିଲା। ଧାମନଗରରେ ନିଜ ଦମରେ ଜିତିଥିବା ବିଜେପି କହୁଥିବା ବେଳେ ପଦମପୁରରେ ଦଳର ପ୍ରଦର୍ଶନକୁ ଦେଖି ଲୋକେ ସମାଲୋଚନା କରିଥିବା ଦେଖାଯାଇଥିଲା।

ଧାମନଗରରେ ରାଜୁ ଦାସ ଫ୍ୟାକ୍ଟର ହିଁ ବିଜେଡିକୁ ହରାଇବା ସହ ବିଜେପିକୁ ଜିତାଇବାକୁ ସକ୍ଷମ ହୋଇଥିବା କୁହାଯାଏ। ଯାହାକି ପଦମପୁର ଉପନିର୍ବାଚନ ପରେ ସ୍ପଷ୍ଟ ହୋଇଥିବା ଆଲୋଚନା ହୁଏ। ପୂର୍ବରୁ ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପି ନିଜ ସିଟ ହରାଇଥିଲା। ବିଜେଡି ସେଠାରେ ଜିତିବାକୁ ସକ୍ଷମ ହୋଇଥିଲା। ସେହିପରି ତିର୍ତ୍ତୋଲ ଉପନିର୍ବାଚନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରି ନ ଥିଲା। ଏପରିକି ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହିବା ସହ ଅମାନତ ହରାଇଥିଲା।

ତେଣୁ ଏବେ ଝାରସୁଗୁଡା ଉପନିର୍ବାଚନରେ ବିଜେଡି ସହ ସିଧା ଲଢେଇରେ ବିରୋଧୀ କଣ ସମ୍ମୁଖୀନ ହୋଇପାରିବେ କି ବୋଲି ଚର୍ଚ୍ଚା ହେଉଛି। ନିକଟ ଅତୀତରେ ଯେତେ ନିର୍ବାଚନ ଯାଇଛି ସବୁକୁ ଅନୁଶୀଳନ କଲେ ଦେଖାଯାଏ ଯେ ସାଧା ଲଢେଇ କରି ବିଜେଡିକୁ ହରାଇବା ବହୁ କଷ୍ଟସାଧ୍ୟ। ଧାମନଗରରେ ରାଜୁ ଦାସ ଫ୍ୟାକ୍ଟର ହିଁ ବିଜେଡିକୁ ହରାଇଲା।

ଝାରସୁଗୁଡ଼ାରେ ବିନା ରାଜୁ ଦାସରେ କଣ ବିରୋଧୀ ବିଜେଡିକୁ ମାତ ଦେଇପାରିବେ କି ବୋଲି ଆଲୋଚନା ହେଉଛି। ବିନା ରାଜୁ ଦାସରେ ଝାରସୁଗୁଡ଼ା କଣ ଅନ୍ୟଆଡ଼େ ମଧ୍ୟ ଶାସକ ବିଜେଡିକୁ ହରାଇବା ବହୁ କଷ୍ଟ ବୋଲି ଆଲୋଚନା ହେଉଛି।

ରାଜ୍ୟର ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡିର ରାଜୁ ଦାସ ମାନେ ଥିବା କୁହାଯାଏ। କିନ୍ତୁ ସେମାନଙ୍କୁ ଚିହ୍ନଟ କରି ଆର୍ଥିକ ସହଯୋଗ କରି ବିଜେଡିର ବିଦ୍ରୋହୀ ପ୍ରାର୍ଥୀ କରାଯାଇ ପାରିଲେ ହିଁ ଶାସକ ବିଜେଡିକୁ ହରାଇ ହେବ ବୋଲି ଚର୍ଚ୍ଚା ହେଉଛି। ନଚେତ ବିଜେଡିକୁ ହରାଇବା ମୁସ୍କିଲ ବୋଲି କୁହାଯାଉଛି।

ଝାରସୁଗୁଡ଼ାରେ ନବ ଦାସଙ୍କ ଝିଅ ଦୀପାଳି ଦାସ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି। ଝାରସୁଗୁଡ଼ାରେ ନବଙ୍କର ନିଜର ଏକ ଭୋଟ ବ୍ୟାଙ୍କ ଥିବାବେଳେ ଦୀପାଳି ମଧ୍ୟ ବାପାଙ୍କ ସହ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଭୋଟ ବ୍ୟାଙ୍କ ସହ ପରିଚିତ। ଏପରିକି ନବଙ୍କ ପରିବାରରୁ ଦୀପାଳିଙ୍କୁ ତାଙ୍କ ଭାଇ ଆଉ ଭାଉଜ ସମର୍ଥନ କରୁଥିବା କୁହାଯାଏ। ତେଣୁ ଦୀପାଳି ପ୍ରାର୍ଥୀ ହେଲେ ନବଙ୍କ ଭୋଟ ବ୍ୟାଙ୍କ ସହ ବିଜେଡି ଭୋଟ ମିଶିଲେ ଦୀପାଳିଙ୍କୁ ହରାଇବା କଷ୍ଟକର ବୋଲି ଚର୍ଚ୍ଚା ହେଉଛି।

ଯଦି ଦୀପାଳିଙ୍କୁ ପରିବାର ତରଫରୁ କିଛି ବିରୋଧ ହେବ ତାହେଲେ କିଛି ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି। ସେପଟେ ନବଙ୍କ ପରିବାର ବାହାରୁ ବିଜେଡିର କେହି ଦୀପାଳିଙ୍କୁ ବିରୋଧ କରିବା କଥା ସାମ୍ନାକୁ ଆସିନାହିଁ। ତେଣୁ ଝାରସୁଗୁଡ଼ାରେ ବିଜେଡିକୁ ମାତ ଦେବା ପାଇଁ ବିରୋଧୀଙ୍କ ଗଣିତ କଣ ବୋଲି ଚର୍ଚ୍ଚା ହେଉଛି।

ସେପଟେ ରାଜ୍ୟର ରାଜନୈତିକ ସ୍ଥିତି ବଦଳୁଛି। ବିଜେଡିରେ ବହୁ ଆଶାୟୀ ଆଗାମୀ ନିର୍ବାଚନରେ ଟିକେଟ ପାଇଁ ବେଶ ଆଶାବାଦୀ। ତେଣୁ ଆଗାମୀ ଦିନର ଲଢେଇ ବିଜେଡିର ବିଜେଡି ସହ ହେବ ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଯେଉଁ ବିରୋଧୀ ସାମାନ୍ୟ ଶକ୍ତିଶାଳୀ ଥିବ ଓ ରାଜୁ ଦାସଙ୍କ ଭଳି ଶକ୍ତ ବିଦ୍ରୋହୀଙ୍କ ସାଥ ପାଇପାରିବ ସେ ହିଁ ଜିତିପାରିବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.