Latest Odisha News

BREAKING NEWS

ଇଭି ବନାମ ପେଟ୍ରୋଲ କାର: ଇଲେକ୍ଟ୍ରିକ୍ ଗାଡ଼ିରେ କ’ଣ ଅଧିକ ନିଆଁ ଲାଗିବାର ଭୟ ଥାଏ? ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଇଲେକ୍ଟ୍ରିକ୍ ଯାନ (ଇଭି)ର ଲୋକପ୍ରିୟତା ବୃଦ୍ଧି ପାଉଛି। କିନ୍ତୁ ଏହା ସହିତ ଏକ ବଡ଼ ପ୍ରଶ୍ନ ମଧ୍ୟ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ଯେ, ପେଟ୍ରୋଲ କିମ୍ବା ଡିଜେଲ କାର ତୁଳନାରେ ଇଭିରେ ନିଆଁ ଲାଗିବାର ଆଶଙ୍କା ଅଧିକ ରହିଛି କି? ସୋସିଆଲ ମିଡିଆରେ ବାରମ୍ବାର ଇଭିରେ ନିଆଁ ଲାଗିବା ଘଟଣାଗୁଡ଼ିକ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ତେବେ କେବଳ କିଛି ଘଟଣାକୁ ଆଧାର କରି ସମ୍ପୂର୍ଣ୍ଣ ଚିତ୍ରକୁ ବୁଝିବା ଠିକ୍ ନୁହେଁ।

ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ବିଭିନ୍ନ ଅଧ୍ୟୟନରୁ ଏକ ତଥ୍ୟ ସାମ୍ନାକୁ ଆସିଛି। ସାଧାରଣ ଧାରଣା ବିପରୀତ, ପେଟ୍ରୋଲ ଏବଂ ଡିଜେଲ ଗାଡ଼ିରେ ନିଆଁ ଲାଗିବାର ଘଟଣା ଇଭି ତୁଳନାରେ ବହୁତ ଅଧିକ ଦେଖିବାକୁ ମିଳିଥାଏ। ଏହାର ମୁଖ୍ୟ କାରଣ ହେଉଛି ପାରମ୍ପରିକ ଯାନରେ ଥିବା ଦହନଶୀଳନ ଇନ୍ଧନ। ଅନ୍ୟପଟେ ଇଲେକ୍ଟ୍ରିକ୍ କାରଗୁଡ଼ିକରେ ବ୍ୟାଟେରୀ ପ୍ୟାକ୍ ସହିତ ଅନେକ ସ୍ତରର ସୁରକ୍ଷା ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ। ଆଧୁନିକ ଇଭିରେ ଥିବା ‘ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ୍’ ଲଗାତାର ବ୍ୟାଟେରୀର ତାପମାତ୍ରା ଉପରେ ନଜର ରଖିଥାଏ ଏବଂ କୌଣସି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ନିୟନ୍ତ୍ରଣ କରିଥାଏ।

ବିଶେଷଜ୍ଞଙ୍କ ମତରେ, ଉଭୟ ଯାନରେ ନିଆଁ ଲାଗିବାର ପ୍ରକୃତି ଭିନ୍ନ ହୋଇଥାଏ। ପେଟ୍ରୋଲ ଗାଡ଼ିରେ ତେଲ ଲିକ୍ କିମ୍ବା ଇଞ୍ଜିନ ସମସ୍ୟାରୁ ନିଆଁ ଲାଗୁଥିବା ବେଳେ ଇଭିରେ ବ୍ୟାଟେରୀ ପ୍ରଭାବିତ ହେଲେ ନିଆଁକୁ ଆୟତ୍ତ କରିବା ଅଧିକ ଚ୍ୟାଲେଞ୍ଜିଂ ବା କଷ୍ଟକର ହୋଇପଡ଼େ। ସେଥିପାଇଁ ଗାଡ଼ି ନିର୍ମାତା କମ୍ପାନୀଗୁଡ଼ିକ ବ୍ୟାଟେରୀ ସୁରକ୍ଷା, ମଜବୁତ ହାଉସିଂ ଏବଂ ଥର୍ମାଲ୍ ପ୍ରୋଟେକ୍ସନ ଉପରେ ଅଧିକ ନିବେଶ କରୁଛନ୍ତି। ଠିକ୍ ଟାଇମରେ ଚାର୍ଜିଂ ପ୍କାକ୍ଟିସ୍ ଏବଂ ନିୟମିତ ସର୍ଭିସିଂ ଦ୍ୱାରା ଏହି ବିପଦକୁ ମଧ୍ୟ ଅନେକାଂଶରେ କମାଯାଇପାରିବ।

ମୋଟାମୋଟି ଭାବେ ଉପଲବ୍ଧ ତଥ୍ୟ କହୁଛି ଯେ, ଇଭିରେ ନିଆଁ ଲାଗିବାର ଆଶଙ୍କା ଆମର ଧାରଣା ଠାରୁ ଯଥେଷ୍ଟ କମ୍ । ତେଣୁ କାର କିଣିବାର ନିଷ୍ପତ୍ତି ନେବା ପୂର୍ବରୁ ଗୁଜବ ଅପେକ୍ଷା ସଠିକ୍ ତଥ୍ୟ ଜାଣିବା ନିହାତି ଜରୁରୀ।

Comments are closed.