Latest Odisha News

BREAKING NEWS

୧୧ ଦିନର ଯୁଦ୍ଧ, ୪୨୦୦ ମୃତ, ତଥାପି ଥମୁନି ଯୁଦ୍ଧ: ଆଜି ଜର୍ମାନ ଚାନସେଲର ଓ ଆସନ୍ତାକାଲି ବାଇଡେନ ଇସ୍ରାଏଲ ଗସ୍ତରେ

ନୂଆଦିଲ୍ଲୀ: ଇତି ମଧ୍ୟରେ ୧୧ ଦିନ ବିତିଗଲାଣି । ଯୁଦ୍ଧ ଥମିବାର ନାଁ ଧରୁନି । ରକ୍ତରେ ଭିଜୁଛି ଇସ୍ରାଏଲ ଏବଂ ପାଲେଷ୍ଟାଇନ ମାଟି । ଯୁଆଡେ ଚାହିଁବ ସିଆଡେ ଖାଲି ଧ୍ୱଂସସ୍ତପ, କରୁଣ ଚିତ୍କାର । ଉଭୟ ପକ୍ଷରୁ ଚାଲିଛି ରକେଟ ମାଡ ।  ଉପୟ ପକ୍ଷରୁ ପ୍ରାୟ ୪୨୦୦ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ସାରା ବିଶ୍ୱର ଆଖି । ପ୍ରଥମେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ ଏବଂ ଆରବ ଦେଶ ଗସ୍ତ କରି ଆତଙ୍କ ବିରୋଧରେ ସମର୍ଥନ ଲୋଡିଥିଲେ । ଏବେ ଜର୍ମାନ ଚାନସେଲର ମଙ୍ଗଳବାର ଇସ୍ରାଏଲରେ ପହଞ୍ଚିଛନ୍ତି । ସେତିକି ନୁହେଁ, ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଇସ୍ରାଏଲ ଏବଂ ମିଡିଲ ଇଷ୍ଟ ଗସ୍ତ କରିବେ ଏବଂ ଯୁଦ୍ଧ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ ।

ସୂଚନାଥାଉ କି, ଅକ୍ଟୋବର ୭ ତାରିଖ ହଠାତ ହମାସ ଆତଙ୍କୀ ଇସ୍ରାଏଲରେ ଅନୁପ୍ରବେଶ କରିଥିଲେ । ଦକ୍ଷିଣ ଇଲାକରେ ଥିବା ସହରରେ ଆତଙ୍କ ଖେଳାଇ ଦେଇଥିଲେ । ଆକ୍ରମଣରେ ପ୍ରାୟ ୧୩ଶହ ଲୋକଙ୍କର ମୃ୍ତ୍ୟୁ ଘଟିଥିଲା । ବହୁ ସଂଖ୍ୟକ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖିଥିଲା ହମାସ  ଏବଂ ସେମାନଙ୍କୁ ଗାଜା ନେଇ ଆସିଥିଲା । ହମାସ ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲା ଏବଂ ଗାଜାପଟି ଘେରିଥିଲା । ସେବେଠାରୁ ଇସ୍ରାଏଲ ପକ୍ଷରୁ ହମାସ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଉଦ୍ୟମ ଜାରି ରହିଛି ।

ଆମେରିକା, ଭାରତ ପରି ରାଜ୍ୟ ଇସ୍ରାଏଲର ସମର୍ଥ୍‌ନରେ ଛିଡା ହୋଇଥିବାବେଳେ ମୁସଲିମ ବହୁଳ ରାଷ୍ଟ୍ରଗୁଡିକ  ପ୍ରାୟତଃ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି  । ଏବେ ଇସ୍ରାଏଲର ସମର୍ଥନରେ ଜର୍ମାନ ବି ଆଗେଇ ଆସିଛି । ଜର୍ମାନର ଚାନସେଲର ଓଲାଫ ସ୍କୋଲ୍ଜ ଇସ୍ରାଏଲ ଗସ୍ତରେ ଆସିଛନ୍ତି  । ତାଙ୍କର ଏକ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସ୍କୋଲ୍ଜ କହିଛନ୍ତି, ହମାସକୁ ପାଲେଷ୍ଟାଇନଙ୍କ ପକ୍ଷରୁ କିଛି ବି କହିବାର ଅଧିକାର ନାହିଁ । କାରଣ ଗାଜାପଟ୍ଟିର ପାଲେଷ୍ଟାଇନୀମାନେ ବି ହମାସ ଅତ୍ୟାଚାରରେ ଅତିଷ୍ଠ । ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗାଜାବାସୀଙ୍କ ପାଖକୁ ମାନବୀୟ ସହାୟତା ପାଠାଇବା ଉପରେ ସହମତି ପ୍ରକାଶ କରିଥିଲେ ।

ଯାହା ବି ହେଉ, ଏହି ଅଞ୍ଚଳରୁ ଯୁଦ୍ଧ ସ୍ଥିତି ଯେପରି ଆଉ ବ୍ୟାପକ ନ ହେବ ତାହା ଆମର ଲକ୍ଷ୍ୟ । ସେ ଲେବାନନ ସମର୍ଥିତ ହିଜବୁଲ୍ଲାହ ଏବଂ ଇରାନକୁ ଏହି ଯୁଦ୍ଧରେ ହସ୍ତକ୍ଷେପ ନ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ଅନ୍ୟପକ୍ଷେ ଇସ୍ରାଏଲ ଗସ୍ତ ପୂର୍ବରୁ ବାଇଡେନ ବି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ହମାସ ଆତଙ୍କବାଦୀଙ୍କ ବିରୋଧରେ ସମର୍ଥନ ଜଣେଇବା ପାଇଁ ସେ ଇସ୍ରାଏଲ ଗସ୍ତରେ ଯିବେ । ଏହାପରେ ସେ ଜୋର୍ଡାନ ଗସ୍ତ କରିବେ  । ସେଠାରେ ନେତାଙ୍କ ସହ ଆଲୋଚନା କରିବେ ଏବଂ ହମାସ ଯେ ପାଲେଷ୍ଟାଇନଙ୍କ ଅଧିକାର ପାଇଁ ଛିଡା ହୋଇନାହିଁ ଏକଥା ସ୍ପଷ୍ଟ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.