ଗାଁ’କୁ ଫେରିବାର ବେଳ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

କରୋନା ମହାମାରୀ ଆମ ଠାରୁ ଅନେକ କିଛି ଛଡ଼େଇ ନେଇଥିବା ବେଳେ ଆମକୁ ଏକ ମହାନ ଶିକ୍ଷା ଦେଇଯାଇଛି । ତାହା ହେଉଛି ବିକାଶର ଗାଡ଼ିର ଦିଗକୁ ଏବେ ବଦଳେଇବାର ସମୟ ଆସିଛି । ଗାଁ’କୁ ଭାଙ୍ଗି ସହରୀକରଣ କରିବାର ଯେଉଁ ବିକାଶର ଧାରା ଆମେ ଆପଣେଇଛୁ, ସେହି ଧାରାକୁ ପରଖିନେବାର ସମୟ ଆସିଯାଇଛି ବୋଲି କରୋନା ମହାମାରୀ ଚେତେଇ ଦେଇଛି ।

କରୋନା ମହାମାରୀ ସମୟରେ ହୋଇଥିବା ଲକ୍ ଡାଉନ୍‌ରେ ଆମେ ଦେଖିଲେ ଯେ, ଆମ ଦେଶର କୋଟି କୋଟି ଶ୍ରମଜୀବି ରାଜରାସ୍ତାରେ ଚାଲି ଚାଲି ଗାଁ’କୁ ଫେରିଲେ । ଯେଉଁ ଶ୍ରମିକମାନେ ସହରରେ ରହି ସହରକୁ ନିର୍ମାଣ କଲେ, ସହରର ରାସ୍ତାଘାଟ, କୋଠାବାଡ଼ି ତିଆରି କଲେ, କରୋନା ସମୟରେ ସେହି ସହର ସେମାନଙ୍କୁ ଆଶ୍ରୟ ଦେଇପାରିଲା ନାହିଁ । ଯେଉଁ ଶ୍ରମିକମାନଙ୍କ ପରିଶ୍ରମ ବଳରେ ସହର ତିଆରି ହେଲା, ସହରର ସମୃଦ୍ଧି ଓ ଚାକଚକ୍ୟ ବଢ଼ିଲା, ବିପଦ ସମୟରେ ସେହି ସହର ଶ୍ରମିକମାନଙ୍କୁ ଖାଇବାକୁ ଦେଇପାରିଲା ନାହିଁ । ଶ୍ରମିକମାନେ ଭୋକ ଉପାସ୍‌ରେ ରହିବାକୁ ବାଧ୍ୟ ହେଲେ । ବାଧ୍ୟ ହୋଇ ଶ୍ରମିକମାନେ କୌଣସି ପରିବହନ ବ୍ୟବସ୍ଥା ନଥାଇ ମଧ୍ୟ ଚାଲି ଚାଲି ଗାଁ’ ମୁହାଁ ହେଲେ । ଅନେକ ଗାଁ’ରେ ପହଞ୍ଚିଗଲେ ତ ଅନେକ ଗାଁ’ରେ ପହଞ୍ଚିପାରିଲେ ନାହିଁ । ରାଜରାସ୍ତାରେ ଶେଷ ନିଶ୍ୱାସ ତ୍ୟାଗ କଲେ । ଏହା ହେଉଛି ସହରର ଚରିତ୍ର । ଲକ୍ ଡାଉନ୍ ସମୟରେ ଯେପରି ଭାବେ ଶ୍ରମିକମାନେ ଗାଁ’ ମୁହାଁ ହେଲେ, ଯଦି ଗାଁ’ ନଥାନ୍ତା, ତେବେ ସେମାନେ ଯାଇଥାନ୍ତେ କୁଆଡ଼େ? ଖାଇଥାନ୍ତେ କ’ଣ? ବଞ୍ଚିଥାନ୍ତେ କିପରି ? ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ, ସହର ଯେତେ ଚାକଚକ୍ୟ ଭରା ହୋଇଥାଉନା ନା କାହିଁକି, ଗାଁ ହିଁ ହେଉଛି ଜୀବନ ବଞ୍ଚିବାର ମୂଖ୍ୟ ଆଧାର । ଗାଁ ବିନା ଆମ ଦେଶର କୋଟି କୋଟି ସାଧାରଣ ଲୋକ ଜୀବନଧାରଣ କରିପାରିବେ ନାହିଁ । କରୋନା ସମୟରେ ଏକଥା ପୁଣି ଥରେ ପ୍ରମାଣ ହୋଇଗଲା ।

ଗାନ୍ଧୀଙ୍କ ଭାଷାରେ ଗାଁ’ ହିଁ ଭାରତର ପ୍ରାଣ । ଭାରତର ଲକ୍ଷ ଲକ୍ଷ ଗାଁ’ରେ ହିଁ ଭାରତର ଆତ୍ମା ଅଛି । ସହରରେ ଜୀବନଶୈଳୀ କୃତ୍ରିମ ଓ ସହରବାସୀଙ୍କର ପରଷ୍ପରଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ କେବଳ ଉପର ଠାଉରିଆ । ସେଥିରେ ଜୀବନ ନଥାଏ । ଗାଁ’ରେ ଯେପରି ପରଷ୍ପରଙ୍କ ମଧ୍ୟରେ ଭାଈଚାରାର ସମ୍ପର୍କ ଥାଏ ସହରରେ ସେପରି ନଥାଏ । ଏପରିକି ଦୁଇଟି ପାଖାପାଖି ଘରର ଲୋକମାନେ ମଧ୍ୟ ପରସ୍ପରକୁ ଜାଣିନଥାନ୍ତି । ସେମାନଙ୍କ ମଧ୍ୟରେ ସଂପର୍କ କେବଳ ଅତି କଷ୍ଟରେ ହାଲୋ ହାଏରେ ଥାଏ । ସେ ସମ୍ପର୍କରେ ଜୀବନ ନଥାଏ । ଗାଁ’ରେ ଲୋକମାନେ ଏକ ନିବିଡ଼ ସମ୍ପର୍କର ରଜ୍ଜୁରେ ବାନ୍ଧି ହୋଇଥାନ୍ତି । ପରସ୍ପରକୁ ସୁଖ ଦୁଃଖରେ ସମସ୍ତେ ଠିଆ ହୋଇଥାନ୍ତି । ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରି ଜୀବନ ବଞ୍ଚନ୍ତି ।

ସେଇଥିପାଇଁ ତ କରୋନାର ଲକ୍ ଡାଉନ୍ ସମୟରେ ଗାଡ଼ି ଘୋଡ଼ା ନଥାଇ ବି ଲୋକମାନେ ଜୀବନକୁ ବାଜି ଲଗେଇ ଗାଁ’କୁ ଫେରିଲେ । ହଜାର ହଜାର ଶ୍ରମିକ ଚାଲି ଚାଲି ଗାଁ’କୁ ଫେରିଲେ । ସାଇକେଲ୍‌ରେ ଫେରିଲେ । ରାସ୍ତା ଉପରେ ଲୋକମାନଙ୍କର ଲମ୍ବା ଧାଡ଼ି । କାନ୍ଧରେ ପିଲା । ହାତରେ ଜିନିଷପତ୍ରର ପୁଟୁଳି । ସତେ ଯେମିତି ପିମ୍ପୁଡ଼ିଙ୍କର ଏକ ଲମ୍ବା ଧାଡ଼ି । ଏପରି ପରସ୍ଥିତିର ବି ସାକ୍ଷୀ ରହିଲା ଏ ସମୟ । ହଠାତ୍ ଲକ୍ ଡାଉନ୍ ଘୋଷଣା ହୋଇଯିବାରୁ କମ୍ପାନୀ ସବୁ ବନ୍ଦ ହୋଇଗଲା । ଶ୍ରମିକମାନଙ୍କୁ କାମ ମିଳିଲା ନାହିଁ । ପାଖରେ ପଇସା ନାହିିଁ । ଖାଇବାକୁ ଖାଦ୍ୟ ବି ନାହିଁ । କମ୍ପାନୀ ଦରମା ବି ଦେବା ବନ୍ଦ କରିଦେଲ । ଏପରି ପରିସ୍ଥିତିରେ ଶ୍ରମିକମାନଙ୍କ ପାଖରେ ଏକମାତ୍ର ବିକଳ୍ପ ଓ ବଂଚିବାର ରାହା ଥିଲା ଗାଁ’ । କାରଣ ସେମାନେ ଜାଣିଥିଲେ, ସେମାନେ ଗାଁ’ ଠାରୁ ଯେତେ ଦୂରରେ ରହିଲେ ବି, ସେମାନଙ୍କର ଗୋଟେ ଗାଁ’ ଅଛି । ଯେଉଁଠି ତାଙ୍କର ଆତ୍ମୀୟମାନେ ଅଛନ୍ତି । ଯେଉଁଠି ଲୋକମାନେ ତାଙ୍କୁ ଅପେକ୍ଷା କରିଛନ୍ତି । ତେଣୁ ସେମାନେ ଅନେକ ବିପଦ ମୁଣ୍ଡେଇ ଗଣ୍ଠିଲି ବାନ୍ଧି ଗାଁ’ ଦିଗରେ ମୁହାଁଇଲେ । ବିପଦ ସମୟରେ ସହର ସିନା ନିର୍ଦ୍ଦୟ ହୋଇ ଶ୍ରମିକମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଲା ନାହିଁ, କିନ୍ତୁ ଗାଁ’ ସେମାନଙ୍କୁ ହାତ ଠାରି ଡାକୁଥିଲା । ସମସ୍ତେ ମନେ ମନେ ନିଶ୍ଚୟ ଥିଲେ ଯେ, ଗାଁ’ ରେ ହିଁ ସେମାନେ ଶାନ୍ତିରେ ରହିପାରିବେ ।

ମହାମାରୀ ଯେତେ ବି ମାରାତ୍ମକ ହେଉ, ଲକ୍ ଡାଉନ୍ ଯେତେ ବି ଲମ୍ବା ହେଉ, ଗାଁ’ ଥିଲେ କିଛି ବି ଅସୁବିଧା ହେବ ନାହିଁ । ସେଇଥିପାଇଁ ତ ଲୋକମାନେ ହଜାର ହଜାର କିଲୋମିଟର ଚାଲି ଚାଲି ଗାଁ’କୁ ଫେରିଲେ । ବେର୍‌ଜାମ୍ ପାହାଡ଼ିଆ ନାମକ ଜଣେ ୫୪ ବର୍ଷୀୟ ଶ୍ରମିକ ଦୀର୍ଘ ୧୨୦୦ କିଲୋମିଟର ଚାଲି ଚାଲି ଦିଲ୍ଲୀରୁ ନିଜ ଗାଁ ଝାରଖଣ୍ଡରେ ପହଞ୍ଚିଲା। ମାସାଧିକ କାଲ ଚାଲିବାକୁ ପଡ଼ିଲା ତାକୁ । ଆହୁରି ଅନେକ ଲୋକ ଚାଲି ଚାଲି ଓ ସାଇକେଲ୍ ଯୋଗେ ହଜାର ହଜାର କିଲୋମିଟର ରାସ୍ତା ପାର୍ ହୋଇ ଗାଁ’ରେ ପହଞ୍ଚିବାର ଖବର ଆମେ ବିଭିନ୍ନ ଗଣମାଧ୍ୟମରୁ ଜାଣିଲୁ । କାରଣ ସମସ୍ତଙ୍କ ମନରେ ଗୋଟିଏ ଆଶା ଥିଲା, ଆମ ଗାଁ’ରେ ପହଞ୍ଚିଲେ ଆମେ ବଞ୍ଚିଯିବୁ । ଗା’ରେ ଚାଷବାସ ଅଛି । ଯେତେ ବି ଦରଦାମ୍ ବୃଦ୍ଧି ହେଉ କି ଲକ୍ ଡାଉନ୍ ଲମ୍ବା ହୋଇ ବଜାର ଘାଟ ବନ୍ଦ ହେଉ, ଗାଁ’ ଲୋକମାନେ ଉପାସ୍‌ରେ ରହିବେନି । କାରଣ ଗାଁ’ରେ ହିଁ ସବୁ ଖାଦ୍ୟ ଦ୍ରବ୍ୟ ଉତ୍ପାଦନ ହେଉଛି । ଗାଁ’ରେ ନଦୀ ଅଛି । ନଦୀରେ ମାଛ ଅଛି । ଗାଁ’ରେ ଜମି ଅଛି । ଜମିରେ ଫସଲ ଅଛି । ଏପରିକି ପଡ଼ିଆ ଜମିରେ ବି ଭିନ୍ନ ଭିନ୍ନ ପ୍ରକାର ଶାଗ ଅଛି । ଗାଁ’ରେ ଜଙ୍ଗଲ ଅଛି, ଜଙ୍ଗଲରେ ଭଳିକି ଭଳି ଫଳ ଅଛି, କନ୍ଦା ଅଛି, ଛତୁ ଅଛି, ଶାଗ ଅଛି । ଗାଁ’ କେବେ ବି ଉପାସ୍‌ରେ ରହିବ ନାହିିଁ । ଏତଦ୍‌ବ୍ୟତୀତ ଗାଁ’ର ଭାଇ ଚାରାର ସଂସ୍କୃତି ବି ନିଆରା । ଗାଁ’ ଲୋକମାନେ ଦାଦି, ଖୁଡ଼ି, ମଉସା, ମାଉସି, ପିଉସା, ପିଉସି, ମାମୁଁ, ମାଇଁ ଆଦି ବିଭିନ୍ନ ପ୍ରକାର ସମ୍ପର୍କରେ ଡୋରିରେ ବନ୍ଧା ହୋଇଥାନ୍ତି । ଏପରିକି ନିଜର ନିକଟ ସଂପର୍କୀୟ ନହୋଇଥିଲେ ମଧ୍ୟ ଲୋକମାନଙ୍କ ପରସ୍ପରଙ୍କ ମଧ୍ୟରେ ଏକ ସମ୍ପର୍କ ଥାଏ । ପ୍ରତ୍ୟେକ ପର୍ବ ପର୍ବାଣୀକୁ ସମସ୍ତେ ମିଳିମିଶି ପାଳନ କରିଥାନ୍ତି । ଏପରିକି ଗାଁ’ରେ ଜଣକ ଘରେ ଖାଦ୍ୟ ନଥିଲେ, ଅନ୍ୟମାନେ ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିଥାନ୍ତି । ଗାଁ’ରେ ଭୋକରେ ମରିବାର ଘଟଣା ବହୁତ ବିରଳ । ଯଦି ଗାଁ’ର ଅନ୍ୟ ଲୋକମାନଙ୍କ ପାଖରେ ବି ଖାଦ୍ୟ ନଥାଏ ତେବେ ପରିସ୍ଥିତି ଅଲଗା ହୋଇଥାଏ । କିନ୍ତୁ ଯଦି ଅନ୍ୟମାନଙ୍କ ପାଖରେ ଖାଦ୍ୟ ଉପଲବ୍‌ଧ ଥାଏ, ତେବେ ସେମାନେ ଭୋକିଲାକୁ ନିଶ୍ଚୟ ସାହାଯ୍ୟ କରିଥାନ୍ତି ।

ଏହା ଗାଁ’ର ସଂସ୍କୃତି । ଆମ ଦେଶର ଗାଁ’କୁ ଦୂରରୁ ଦେଖିଲେ ଏକ ପରିବାର ପରି ଦେଖାଯାଇଥାଏ । ଅବଶ୍ୟ ଏବେ ଦଳୀୟ ରାଜନୀତି ଯୋଗୁ ଗାଁ’ର ସେ ପୁରୁଣା ସଭ୍ୟତା ଓ ସଂସ୍କୃତି ଧିରେ ଧିରେ ଭାଙ୍ଗିବାରେ ଲାଗୁଛି । ଏପରିକି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ନିଜ ରାଜନୀତିର ରୁଟି ସେକିବା ପାଇଁ ଜାଣି ଜାଣି ଗାଁ’କୁ ଭାଙ୍ଗିବାର କାମ କରୁଛନ୍ତି । ତଥାପି ବି ଆଜି ଯେତିକି ବି ଗାଁ’ ବଞ୍ଚିଛି ସେଥିରେ ବି ଆମ ଛିନ୍ନମୂଳ ଜୀବନଶୈଳୀକୁ ଉପଯୁକ୍ତ ଦିଗ ଦେଇ ଏକ ସୁସ୍ଥ, ନିରାମୟ ଓ ସଂସ୍କୃତି ସମ୍ପନ୍ନ ଜୀବନ ବଞ୍ଚିବା ପାଇଁ ଉପାଦାନ ଅଛି । ଗାଁ’ରେ ସଂପର୍କ ଲୋକମାନଙ୍କର ହୃଦୟରେ ଥାଏ । ଗାଁ’ରେ ଗୋଟେ ପରିପୂର୍ଣ୍ଣ ସାମାଜିକ ଜୀବନ ଅଛି । ଯାହା ପ୍ରତ୍ୟେକ ମଣିଷ ପାଇଁ କାମ୍ୟ ।

ସହର ଅପେକ୍ଷା ଗାଁ’ ଗୁଡ଼ିକ ଅପେକ୍ଷାକୃତ ଅଧିକ ସ୍ୱାବଲମ୍ବନଶୀଳ । ଲକ୍ ଡାଉନ୍ ସମୟରେ ଆମେ ଦେଖିଲେ ଯେ, ସହରର ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ହେଲେ, ଗାଁ’ ଲୋକମାନେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଲେ । କାରଣ ସେମାନଙ୍କ ପାଖରେ ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ଖାଦ୍ୟ ସବୁ ଉପଲବ୍‌ଧ ଥିଲା । ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଗାଁ’ ସହର ପରି ଅନ୍ୟ ଉପରେ ନିର୍ଭରଶୀଳ ନୁହେଁ । ଆଦିବାସୀ ଗାଁ’ ଗୁଡ଼ିକ ଯାହା ଅନ୍ୟ ଗାଁ’ ଗୁଡ଼ିକ ଅପେକ୍ଷା ଅଧିକ ସ୍ୱାବଲମ୍ବନଶୀଳ, ସେମାନଙ୍କ ଉପରେ ତ ଲକ୍‌ଡାଉନ୍‌ର କିଛି ବି ପ୍ରଭାବ ପଡ଼ିଲା ନାହିଁ ।

ଏଥିରୁ ଗୋଟିଏ କଥା ବୁଝି ହେଲା ଯେ, ବିପତି ସମୟରେ ଆମେ କେତେ ବିକଶିତ ଯେତେ ଗୁରୁତ୍ୱପୂର୍ଣ୍ଣ ତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆମେ କେତେ ସ୍ୱାବଲମ୍ବନଶୀଳ । ସେଇଥିପାଇଁ ତ ଆଦିବାସୀ ଗାଁ’ ଗୁଡ଼ିକ ଉପରେ ଲକ୍ ଡାଉନ୍ କି ସଟ୍ ଡାଉନ୍‌ର କିଛି ବି ପ୍ରଭାବ ପଡ଼ିଲା ନାହିଁ । ତେଣୁ କରୋନା ଭଳି ବିପତ୍ତି ହେଉ କିମ୍ବା ଅନ୍ୟ କୌଣସି ବିପତି ହେଉ ସହର ଅପେକ୍ଷା ଗାଁ ହିଁ ଅଧିକ ସଫଳତାର ସହିତ ତାକୁ ସାମ୍‌ନା କରିପାରିବ ବୋଲି ଆଜିର ପରିସ୍ଥିତିରୁ ବୁଝା ପଡ଼ୁଛି ।

କରୋନା ଆଜି ପୁଣି ଥରେ ଶିଖେଇ ଦେଲା ଆମକୁ ଗାଁ’କୁ ଫେରିବାକୁ ହେବ । ଆଜି ସମୟ ଆସିଛି, ଜଗତୀକରଣ ସହିତ ପ୍ରତ୍ୟେକ ଜିନିଷର ସ୍ଥାନୀୟକରଣ କରିବାକୁ ହେବ । ଜଗତୀକରଣ ଆଜି ପୁରୁଣା ହୋଇଗଲାଣି । ସ୍ଥାନୀୟ କରଣ ହିଁ ଆଜି ଏକମାତ୍ର ସମାଧାନ । କରୋନା ଏହି କଥାକୁ ଆଜି ଆମ ସାମ୍‌ନାରେ ଉଜାଗର କରିଛି । ସ୍ଥାନୀୟ ସ୍ତରରେ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ସେହିପରି ସ୍ଥାନୀୟ ସ୍ତରରେ କ୍ରୟ ବିକ୍ରୟ ହିଁ ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ଚିରସ୍ଥାୟୀ ଭାବେ ସବଳ କରିପାରିବ । ଯାହା ଫଳରେ ସ୍ଥାନୀୟ ଅର୍ଥନୀତି ମଜବୁତ୍ ହେବ । ସ୍ଥାନୀୟ ଅର୍ଥନୀତି ମଜବୁତ୍ ହେଲେ ଯେକୌଣସି ପ୍ରାକୃତିକ ବା ମନୁଷ୍ୟକୃତ ବିପର୍ଯ୍ୟୟକୁ ସାମ୍‌ନା କରିବାର ଶକ୍ତି ଆସିବ । ସ୍ଥାନୀୟ ସ୍ତରରେ ରୋଜଗାରର ସୁଯୋଗ ସୃଷ୍ଟି ଉପରେ ବି ଗୁରୁତ୍ୱ ଦେବାକୁ ହେବ । ସ୍ଥାନୀୟ ସ୍ତରରେ ରୋଜଗାର ବଢ଼ିଲେ ଆମ ସମାଜ ବାସ୍ତବ ଅର୍ଥରେ ସମୃଦ୍ଧ ହୋଇପାରିବ ଓ ପ୍ରାକୃତିକ ବିପର୍ଯ୍ୟୟ ଆଦି ସମୟରେ ଆମେ ହଠାତ୍ ଅସହାୟ ହୋଇପଡ଼ିବା ନାହିଁ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪