ଆତ୍ମ ସମୀକ୍ଷାର ବେଳ

 ଯବକାଚ 2 

ଆତ୍ମ ସମୀକ୍ଷାର ବେଳ
ସନ୍ଦୀପ ସାହୁ

ନିର୍ବାଚନ ସରିଯାଇଛି । ଫଳ ବାହାରି ସାରିଛି । ଦେଶରେ, ରାଜ୍ୟରେ କିଏ ସରକାର ଗଢିବେ, ଜଣା ପଡ଼ି ସାରିଛି । ବିଜୟ ଲାଭ କରିଥିବା ରାଜନୈତିକ ଦଳ ଓ ନେତାଙ୍କ ପାଇଁ ଏବେ ଉତ୍ସବର ବେଳ । ପରାଜିତଙ୍କ ପାଇଁ ଆତ୍ମ ସମୀକ୍ଷାର ସମୟ ।

ଗଣମାଧ୍ୟମ ଏସବୁ ରାଜନୈତିକ ପ୍ରକ୍ରିୟାର ଟିକିନିଖି ଖବର ଆମ ପାଖରେ ପହଞ୍ଚାଉଛି; ହାରଜିତର ହିସାବ ନିକାଶ କରୁଛି; ଦଳ ଓ ନେତାଙ୍କ କଥା ଓ କାମର ସମୀକ୍ଷା କରୁଛି । କିନ୍ତୁ ଗଣମାଧ୍ୟମର ସମୀକ୍ଷା କରୁଛନ୍ତି ପାଠକ ଓ ଦର୍ଶକ । ଏବଂ ଏ ସମୀକ୍ଷାର ନିର୍ଯ୍ୟାସ ହେଲା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ନିରପେକ୍ଷ ଭାବେ ଖବର ପରିବେଷଣ କରିବାର ନିଜର ମୌଳିକ ଦାୟିତ୍ଵ ନିର୍ବାହ କରିବାରେ ଗଣମାଧ୍ୟମ ସମ୍ପୂର୍ଣ ବିଫଳ ହୋଇଛି । ସଞ୍ଜୟଙ୍କ ଭଳି ସତ୍ୟନିଷ୍ଠ, ନିରାସକ୍ତ ଭାବେ ମହାଭାରତର ଧାରା ବିବରଣୀ ଶୁଣାଇବା ବଦଳରେ ନିଜେ ପକ୍ଷଭୁକ୍ତ ହୋଇ କୁରୁକ୍ଷେତ୍ରକୁ ଡେଇଁ ପଡ଼ିଛି ।

ଗଣମାଧ୍ୟମରେ ବିଗତ ପ୍ରାୟ ଦୁଇ ମାସ ଧରି ଚାଲିଥିବା ନିର୍ବାଚନ ପ୍ରକ୍ରିୟାର ‘କଭରେଜ’ ଉପରେ ସିଂହାବଲୋକନ କଲେ ଏକଥା ସ୍ପଷ୍ଟ ଯେ ଉଭୟ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ (କିଛି ପ୍ରଶଂସନୀୟ ଅପବାଦକୁ ଛାଡ଼ି) ଏଥର ଯେଭଳି ନିର୍ଲଜ ଭାବେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ବା ନେତାଙ୍କ ମୁଖପାତ୍ର ସାଜିଲେ ତାହା ପୂର୍ବରୁ କେବେ ଦେଖା ନ ଥିଲା । ସେମାନଙ୍କ କାମ କେବଳ ନିଜ ପୃଷ୍ଠପୋଷକ ଦଳ/ନେତାଙ୍କ ପ୍ରଚାର କରିବା, ସେମାନଙ୍କ ଗୁଣଗାନ କରିବା ଓ ସେମାନଙ୍କର ‘ଇମେଜ’ ଗଢିବାରେ ସୀମିତ ନ ଥିଲା; ମିଛ, ସତ ଲଗେଇ ପ୍ରତିପକ୍ଷ ଦଳ ବା ନେତାଙ୍କ ବିରୁଦ୍ଧରେ ଅପପ୍ରଚାର କରିବା, ସେମାନଙ୍କ ଆଲମାରୀରେ କଙ୍କାଳ ଖୋଜିବା (ଓ ନ ମିଳିଲେ ମଧ୍ୟ କଙ୍କାଳ ଅଛି ବୋଲି କହିବା), ନେତାଙ୍କ ସପ୍ତପୁରୁଷ ଉଝାଳିବା ଓ ଚରିତ୍ର ସଂହାର କରିବା ମଧ୍ୟ ସେମାନଙ୍କର ‘ଗୁରୁଦାୟିତ୍ଵ’ର ଅଂଶବିଶେଷ ଥିଲାପରି ମନେହେଲା । ନିରପେକ୍ଷତାର କୌଣସି ଛଳନା କରିବା ମଧ୍ୟ ଆବଶ୍ୟକ ମନେକଲେ ନାହିଁ ଅଧିକାଂଶ ଗଣମାଧ୍ୟମ ସଂସ୍ଥା । ବ୍ୟକ୍ତିଗତ ଭାବେ ଏହି ପ୍ରତିବେଦକ ପାଇଁ ସବୁଠାରୁ ଚିନ୍ତାଜନକ ଦିଗଟି ଥିଲା ପକ୍ଷଭୁକ୍ତ ଗଣମାଧ୍ୟମ ସଂସ୍ଥାଙ୍କ ‘କମର ତଳ’ ଆକ୍ରମଣ ପ୍ରତିପକ୍ଷ ଦଳ ବା ନେତାଙ୍କ ମଧ୍ୟରେ ସୀମିତ ନ ରହି ସେମାନଙ୍କ ପୃଷ୍ଠପୋଷକତାରେ ଚାଲିଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ପ୍ରସାରିତ ହୋଇଗଲା ।

ଗଣମାଧ୍ୟମ ପାଇଁ ‘ପେଡ ନ୍ୟୁଜ’ ଥିଲା ୨୦୧୪ ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଶବ୍ଦ । ସେତେବେଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ସମେତ ବହୁ ବିଶିଷ୍ଟ ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଉଠିଥିଲା ଯେ ସେମାନେ ନିର୍ଦ୍ଦିଷ୍ଟ ଅର୍ଥ ବିନିମୟରେ ଗଣମାଧ୍ୟମରେ ନିଜକୁ ସୁହାଇଲା ଭଳି ରିପୋର୍ଟ ପ୍ରକାଶ କରାଇଥିଲେ, କିନ୍ତୁ ଏହାକୁ ନିଜ ନିର୍ବାଚନୀ ଖର୍ଚ୍ଚ ତାଲିକାରେ ଆଦୌ ଅନ୍ତର୍ଭୁକ୍ତ କରି ନ ଥିଲେ ବା କରିଥିଲେ ମଧ୍ୟ ଏ ବାବଦରେ ପ୍ରକୃତରେ ବ୍ୟୟ କରିଥିବା ଅର୍ଥଠାରୁ ଯଥେଷ୍ଟ କମ କରି ଦର୍ଶାଇଥିଲେ । ‘ଟାଇମସ ଅଫ ଇଣ୍ଡିଆ’ ପରି ପ୍ରତିଷ୍ଠିତ ସମ୍ବାଦପତ୍ର ବିରୁଦ୍ଧରେ ମଧ୍ୟ ଏଭଳି ଖବର ଛାପିଥିବାର ଅଭିଯୋଗ ଉଠିଥିଲା । ସେତେବେଳେ ମନେ ହେଉଥିଲା ଗଣମାଧ୍ୟମ ପାଇଁ ଏହାଠାରୁ ଲଜ୍ଜାଜନକ କଥା ବୋଧହୁଏ ଆଉ କିଛି ହୋଇପାରି ନ ଥାନ୍ତା ।

କିନ୍ତୁ ଏ ନିର୍ବାଚନ ସେ ଧାରଣାକୁ ଭୁଲ ବୋଲି ପ୍ରମାଣିତ କରିଛି । ବ୍ୟକ୍ତିଗତ ଆକ୍ଷେପ ଓ ଚରିତ୍ର ସଂହାର ଏଥର ଯେଉଁ ସ୍ତରକୁ ଯାଇଛି, ତାକୁ ଦେଖିଲେ ମାନେ ହେଉଛି ‘ପେଡ ନ୍ୟୁଜ’ ସେମଟି କିଛି ଗର୍ହିତ ଅପରାଧ ନୁହେଁ । କାହାର ଗୁଣଗାନ କଲେ ଅନ୍ତତଃ କାହାରି କିଛି କ୍ଷତି ତ ହୁଏନାହିଁ । ଏହି ସ୍ତମ୍ଭକାର ମତରେ ଏ ନିର୍ବାଚନର ସବୁଠାରୁ ଲଜ୍ଜାଜନକ ଅଧ୍ୟାୟଟି ଥିଲା କେନ୍ଦୁଝର ଲୋକସଭା ଆସନରୁ ସଦ୍ୟ ନିର୍ବାଚିତ ଦେଶର ଇତିହାସରେ ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କର ଏକ ‘ମର୍ଫ୍ଡ଼’ ଭିଡିଓ ‘ଭାଇରାଲ’ ହେବା । ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଗୋଟିଏ ପକ୍ଷ କେତେ ତଳକୁ ଖସି ଯାଇପାରେ, ତାହାର ଏହାଠାରୁ ଅଧିକ ନଗ୍ନ ଉଦ୍ଦାହରଣ ମିଳିବ ନାହିଁ । ଏହାଠାରୁ ଆହୁରି ଉଦବେଗଜନକ ଦିଗଟି ହେଲା ଏ ଭିଡିଓକୁ ‘ମର୍ଫ’ କରି ‘ଭାଇରାଲ’ କରିବାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ଥିଲେ ।

ଏଭଳି ନୈତିକ ସ୍ଖଳନର ଏକ ପ୍ରମୁଖ କାରଣ ହେଲା ସାମାଜିକ ଗଣମାଧ୍ୟମର ସର୍ବବ୍ୟାପୀ, ସର୍ବଗ୍ରାସୀ ପ୍ରଭାବ । ସାମାଜିକ ଗଣମାଧ୍ୟମ ଏବେ ମୁଖ୍ୟସ୍ରୋତର ଗଣମାଧ୍ୟମ ଉପରେ ସମ୍ପୂର୍ଣ ଆଧିପତ୍ୟ ବିସ୍ତାର କରିସାରିଛି । ପାରମ୍ପରିକ ସୂତ୍ରରୁ ଖବର ସଂଗ୍ରହ କରିବାର କଳା ଓ କୌଶଳ ଭୁଲିସାରିଛି ମୁଖ୍ୟସ୍ରୋତର ଗଣମାଧ୍ୟମ । ସାମାଜିକ ଗଣମାଧ୍ୟମ ହିଁ ଏବେ ତା ପାଇଁ ଖବରର ମୁଖ୍ୟ (କିଛି ଲୋକଙ୍କ ମତରେ ଏକମାତ୍ର) ସୂତ୍ର । ସାମାଜିକ ଗଣମାଧ୍ୟମ ଏ ଯୁଗର ପ୍ରକୃତ ‘ମୁଖ୍ୟସ୍ରୋତ’ର ଗଣମାଧ୍ୟମ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ ସାମାଜିକ ଗଣମାଧ୍ୟମ ଏକ ମୁକ୍ତ, ଅବାଧ ଓ ଅଙ୍କୁଶରହିତ ଦୁନିଆ । ଏଠି ବ୍ୟକ୍ତିଗତ, ରାଜନୈତିକ ବା ଅନ୍ୟ ଉଦ୍ଦେଶ୍ୟ ସାଧନ ପାଇଁ ଏହାର ଅପବ୍ୟବହାର କରୁଥିବା କୋଟି କୋଟି ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ପୁଣି ଛଦ୍ମ ପରିଚୟର ଆଢୁଆଳରେ ଲୁଚି ରହିଛନ୍ତି । ତେଣୁ ନିଜ ବୃତ୍ତିଗତ ଦାୟିତ୍ଵ ଭୁଲି, ବିଚାରଶୂନ୍ୟ ଭାବେ ଓ କୌଣସି ‘ଫିଲ୍ଟର’ ବ୍ୟବହାର ନ କରି ସାମାଜିକ ଗଣମାଧ୍ୟମରେ ଗଢା ହେଉଥିବା ପ୍ରତ୍ୟେକ ଖବର ପ୍ରସାରଣ କଲେ ଚନ୍ଦ୍ରାଣୀ ମୁର୍ମୁଙ୍କ ଭାଇରାଲ ଭିଡିଓ ଭଳି ଲଜ୍ଜାଜନକ ଘଟଣା ଘଟିବ ହିଁ ଘଟିବ ।

ଏସବୁ ପ୍ରସଙ୍ଗରେ ଚିନ୍ତା, ଆଲୋଚନା ଜରୁରୀ । କେବଳ ରାଜନୈତିକ ଦଳ/ନେତାଙ୍କ ପାଇଁ ନୁହେଁ, ଗଣମାଧ୍ୟମ ପାଇଁ ମଧ୍ୟ ଏବେ ଆତ୍ମ ସମୀକ୍ଷାର ସମୟ ।

LEAVE A REPLY

Please enter your comment!
Please enter your name here