କଟକରେ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟିତ: ଯୁବପିଢ଼ିଙ୍କ ପାଇଁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି
ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ତିନିଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ସୋମବାର କଟକ ଜିଲ୍ଲା ବାଙ୍କୀଠାରେ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦ୍ଘାଟନ କରିଛନ୍ତି। ଭାରତୀୟ ସଂସ୍କୃତି, ପ୍ରାଚୀନ ପରମ୍ପରା ଏବଂ ଆଧୁନିକ ଶିକ୍ଷାର ସମନ୍ୱୟରେ ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟ ଭବିଷ୍ୟତରେ ସମାଜ ଏବଂ ରାଷ୍ଟ୍ର ନିର୍ମାଣରେ ଏକ ଶକ୍ତିଶାଳୀ ମାଧ୍ୟମ ସାଜିବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି।
ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେଠାରୁ କଡ଼ା ନିରାପତ୍ତା ବଳୟ ମଧ୍ୟରେ ରାଷ୍ଟ୍ରପତି ସିଧାସଳଖ ଲୋକସେବା ଭବନ ଅଭିମୁଖେ ବାହାରିଥିଲେ ଏବଂ ପରେ ବାଙ୍କୀରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ।
ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ଭାରତ ହେଉଛି ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଥିବା ଦେଶ, ଯାହା ଆମର ସବୁଠାରୁ ବଡ଼ ସମ୍ପତ୍ତି। ଏହି ସମ୍ପତ୍ତିର ସଠିକ୍ ବିନିଯୋଗ ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଏପରି ଏକ ପରିବେଶ ପ୍ରଦାନ କରିବା ଆବଶ୍ୟକ ଯେଉଁଠାରେ ସେମାନେ ନିଜର ପ୍ରତିଭାର ବିକାଶ କରିପାରିବେ ଏବଂ ନିଜର ସ୍ୱପ୍ନକୁ ପୂରଣ କରିପାରିବେ।
କେବଳ ପୁସ୍ତକଗତ ଶିକ୍ଷା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଦେବା ଉପରେ ସେ ଅଧିକ ଗୁରୁତ୍ୱାରୋପ କରିଥିଲେ। “ଜ୍ଞାନ ଆହରଣ ସେତେବେଳେ ହିଁ ସାର୍ଥକ ହେବ, ଯେତେବେଳେ ତାହା ମାନବ ସମାଜର କଲ୍ୟାଣ ଏବଂ ରାଷ୍ଟ୍ରର ପ୍ରଗତି ପାଇଁ ବ୍ୟବହୃତ ହେବ। ସଚ୍ଚୋଟତା, ଶୃଙ୍ଖଳା, ସମ୍ବେଦନଶୀଳତା ଏବଂ ଜାତୀୟ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧତା—ଏସବୁ ଗୁଣ ଗୋଟିଏ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଷ୍ଟି କରିବା ଉଚିତ” ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ। ଏଥିସହ ନୂଆକରି ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟର ଥିଙ୍କ୍-ଟ୍ୟାଙ୍କ୍ (ବୁଦ୍ଧିଜୀବୀ ମଣ୍ଡଳୀ) ଆଗାମୀ ଦିନ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଥିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହା ଦ୍ୱାରା ୨୦୪୭ ମସିହା ସୁଦ୍ଧା ଏକ ‘ବିକଶିତ ଭାରତ’ ଗଠନ ସ୍ୱପ୍ନ ସାକାର ହୋଇପାରିବ।
ଅଭିଭାଷଣ ସମୟରେ ରାଷ୍ଟ୍ରପତି ଓଡ଼ିଶାର ଐତିହ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଓଡ଼ିଶା ହେଉଛି ଜ୍ଞାନ, ସଂସ୍କୃତି ଓ ଆଧ୍ୟାତ୍ମିକତାର ମାଟି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ସବୁବେଳେ ସମଗ୍ର ବିଶ୍ୱକୁ ଦୟା ଓ ମାନବ କଲ୍ୟାଣର ବାର୍ତ୍ତା ଦେଇଆସିଛି। ସେହିପରି କଟକ ମାଟିର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, କର୍ମବୀର ଗୌରୀ ଶଙ୍କର ରାୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବିଜୁ ପଟ୍ଟନାୟକ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଅବଦାନକୁ ସେ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ।
ଅନ୍ୟପକ୍ଷରେ, ରାଷ୍ଟ୍ରପତିଙ୍କ ଗସ୍ତସୂଚୀ ଅନୁଯାୟୀ ସେ ଆସନ୍ତାକାଲି (ମଙ୍ଗଳବାର) ସକାଳେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ଦିଲ୍ଲୀରୁ ସ୍ୱତନ୍ତ୍ର ଟ୍ରେନ୍ ଆସି ପହଞ୍ଚିସାରିଛି ଏବଂ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଟ୍ରେନ୍ ସହିତ ଆଉ ଦୁଇଟି ଅତିରିକ୍ତ ଟ୍ରେନ୍ ମଧ୍ୟ ଏସ୍କର୍ଟ ଭାବେ ଯିବ। ପ୍ରାୟ ୨ ଘଣ୍ଟା ୧୦ ମିନିଟର ଏହି ଟ୍ରେନ୍ ଯାତ୍ରା ପରେ ବ୍ରହ୍ମପୁରରୁ ରାଷ୍ଟ୍ରପତି ସଡ଼କ ପଥରେ ୮୦ କିଲୋମିଟର ଦୂର ତପ୍ତପାଣି ପାନ୍ଥନିବାସ ଯିବେ ଏବଂ ସେଠାରେ ଥିବା ମାଆ କନ୍ଧୁଣୀ ଦେବୀ ଓ ଶିବ ମନ୍ଦିରରେ ଦର୍ଶନ ସହ ଆଳତୀ କରିବେ। ସନ୍ଧ୍ୟାରେ ସେ ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜକୁ ଫେରି ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।


Comments are closed.