Latest Odisha News

BREAKING NEWS

ଜଗଦୀଶ କଥା ସମ୍ମାନ ପାଇବେ ଡକ୍ଟର ଅଜୟ ସ୍ୱାଇଁ

ରାଜେନ୍ଦ୍ର କୁମାର ରାଉଳଙ୍କୁ ‘ଜଗଦୀଶ ଯୁବ ସମ୍ମାନ’

ଜଗଦୀଶ ମହାନ୍ତି

ଭୁବନେଶ୍ୱର, ୩୧/୧ : ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡସେଟର୍‍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଁ ଏଥର ପ୍ରସିଦ୍ଧ କଥାକାର ଅଜୟ ସ୍ୱାଇଁ ମନୋନୀତ ହୋଇଛନ୍ତି ।

ଡ. ଅଜୟ ସ୍ୱାଇଁ

୧୯୫୮ରେ ଜନ୍ମିତ ଡକ୍ଟର ଅଜୟ ସ୍ୱାଇଁ ବୋଉର ଗୀତଖାତା, ମାଳିକା, ଶାଳ ଉଖୁଡ଼ା, ମିଛିମିଛିକା ରାତି, ନଖ ଦର୍ପଣ, ମାମୁଘର ଗାଁ, ଚରିତ୍ର ଚଉପାଶ, ବାସି ମୋ ହୋଇଲା ଫୁଲଶେଯ, ପ୍ରେମିକନାମା, ଅଜୟ ସ୍ୱାଇଁଙ୍କ ପ୍ରେମଗଳ୍ପ, କଥକ, ପ୍ରେମ ହୁସ୍‍ସ, ହୃଦୟ ଫୃଦୟ, ଶ୍ରେଷ୍ଠ ଗଳ୍ପ, ଅଜୟ ଅଜସ୍ର-୧ ଆଦି ଅନେକ ଗଳ୍ପ ସଂକଳନର ସ୍ରଷ୍ଟା । ପ୍ରଥମ ଉପନ୍ୟାସ ‘ନାବାଳକ’ ପାଇଁ ପ୍ରସିଦ୍ଧ ଡକ୍ଟର ସ୍ୱାଇଁ ଶିରିଷ ଗଛର ଛାଇଗୋ, ଛପିଛପି ବାସନ୍ତୀ ରାତି ଭଳି ଅନେକ ଉପନ୍ୟାସର ମଧ୍ୟ ଲେଖକ । କବିତା ସଂକଳନ ନଈକୂଳ ଗାଁ, ମାୟାମେଘ ଏବଂ କାବ୍ୟ ଉପନ୍ୟାସ ଦୁଃଖଦୋହା ମଧ୍ୟ ତାଙ୍କ ସୃଜନପ୍ରତିଭାର କାବ୍ୟମୟ ଦିଗକୁ ଦର୍ଶାଏ । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ରାଜଧାନୀ ପୁସ୍ତକମେଳା ପୁରସ୍କାର, ଅଖିଳମୋହନ ଗଳ୍ପ ସମ୍ମାନ, ଫକୀରମୋହନ ସେନାପତି ଉପନ୍ୟାସ ସମ୍ମାନ, ଭୁବନେଶ୍ୱର ବେହେରା ଗଳ୍ପ ସମ୍ମାନ, କହ୍ନେଇଲାଲ୍‍ ଗଳ୍ପ ସମ୍ମାନ, ଚନ୍ଦ୍ରଭାଗା ସାହିତ୍ୟ ସମ୍ମାନ, ପକ୍ଷୀଘର ଉପନ୍ୟାସ ସମ୍ମାନ ଆଦି ପ୍ରଚୁର ପୁରସ୍କାର ତାଙ୍କ ପ୍ରତିଭାର ଜୟଗାନ କରିଛି ।

ରାଜେନ୍ଦ୍ର କୁମାର ରାଉଳ

ସେହିପରି ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟ ବିବେଚିତ ହୋଇଛନ୍ତି ଗାଳ୍ପିକ ରାଜେନ୍ଦ୍ର କୁମାର ରାଉଳ । ମୁଖ୍ୟତଃ କଥାସାହିତ୍ୟ ରଚନାରେ ମଗ୍ନ ଥିବା ରାଜେନ୍ଦ୍ରଙ୍କର ହତ୍ୟାକାରୀ, କାଡ଼ବରୀ, ଶିବଦାସ, ହାଇଫେନ୍‍ ଆଦି ଗଳ୍ପ ସଂକଳନ ଏବଂ ଭାଇରସ୍‍, ମରୁମାୟା ଆଦି ଉପନ୍ୟାସ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ୧୯୭୬ରେ ଜନ୍ମିତ ରାଜେନ୍ଦ୍ର ତାଙ୍କର ସ୍ୱକୀୟ ଶୈଳୀର କଥାକର୍ମ ପାଇଁ ଫକୀରମୋହନ ସେନାପତି ତରୁଣ କଥା ସମ୍ମାନ, କଳିଙ୍ଗପ୍ରଭା ସାହିତ୍ୟ-ସାରଥୀ ସମ୍ମାନ, ଉମାକାନ୍ତ ମହାପାତ୍ର ସ୍ମୃତି ସମ୍ମାନ, କଳିଙ୍ଗ ଲିଟେରାରି ୟୁଥ୍‍ ଆୱାର୍ଡ, ରବୀନ୍ଦ୍ରନାଥ ରାଏ ସ୍ମୃତି ପୁରସ୍କାର, ଓଡ଼ିଶା ଯୁବ ଛାତ୍ର ସଂଗଠନ ଯୁବପ୍ରତିଭା ପୁରସ୍କାର ଭଳି ଅନେକ ଆନୁଷ୍ଠାନିକ ସ୍ୱୀକୃତି ପାଇ ସାରିଛନ୍ତି ।

୨୦୧୪ରୁ ପ୍ରଦାନ କରାଯାଇଆସୁଥିବା ଜଗଦୀଶ କଥା ସମ୍ମାନ ପୂର୍ବରୁ ପ୍ରକାଶ ମହାପାତ୍ର, ସଦାନନ୍ଦ ତ୍ରିପାଠୀ ଏବଂ ରଜନୀକାନ୍ତ ମହାନ୍ତି, ଶ୍ୟାମାପ୍ରସାଦ ଚୌଧୁରୀ, ପରେଶ ପଟ୍ଟନାୟକଙ୍କ ପରି ଖ୍ୟାତନାମା କଥାକାରମାନେ ପାଇଥିବା ବେଳେ ଜଗଦୀଶ ଯୁବ ସମ୍ମାନ ପାଇସାରିଛନ୍ତି ଅମରେଶ ବିଶ୍ୱାଳ, ସ୍ୱାଗତିକା ସ୍ୱାଇଁ, ନେତାଜୀ ଅଭିନନ୍ଦନ ଏବଂ ବିରଜା ରାଉତରାୟ ।

ଆଗାମୀ ୧୭ ଫେବୃଆରୀରେ ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ହୋଟେଲ୍‍ କେଶରୀଠାରେ ଆୟୋଜିତ ହେବାକୁଥିବା ‘ଜଗଦୀଶ ଜୟନ୍ତୀ’ ଉତ୍ସବରେ ନିମନ୍ତ୍ରିତ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ପ୍ରତିଭାଦ୍ୱୟଙ୍କୁ ପୁରସ୍କୃତ କରାଯିବ । ଏହି ଅବସରରେ ଜଗଦୀଶ ମହାନ୍ତିଙ୍କ ରଚନା ସଂପର୍କୀତ ସଂଦର୍ଭପାଠ, ଆଲୋଚନା, ଗଳ୍ପପାଠ ଆଦି ଆୟୋଜିତ ହେବ । ଏହି ଉତ୍ସବରେ ଜଗଦୀଶ-ଗଳ୍ପପ୍ରେମୀ ଓ ସାହିତ୍ୟାନୁରାଗୀମାନେ ଯୋଗଦେବାକୁ ଟ୍ରଷ୍ଟ୍‍ର ଅଧ୍ୟକ୍ଷା ଡ. ସରୋଜିନୀ ସାହୁ ଏବଂ ସଂପାଦକ ସରୋଜ ବଳ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.