Latest Odisha News

BREAKING NEWS

କଂଗ୍ରେସର ନିର୍ବାଚନ ବାର୍ତ୍ତା, ଦଳକୁ ଆସିଲେ ମିଳିବ ପଦ ଆଉ ସମ୍ମାନ!

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟ ବିଧାନସଭା ଓ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କର୍ଣ୍ଣାଟକରେ କଂଗ୍ରେସ ବଡ଼ ଚାଲ ଖେଳିଥିବା ଆଲୋଚନା ହେଉଛି। ଅନ୍ୟ ପ୍ରମୁଖ ଦଳ ଦ୍ୱାରା ଅପଚରା ପ୍ରମୁଖ ନେତାଙ୍କୁ ସମ୍ମାନ ଦେବା ସହ ପ୍ରମୁଖ ପଦ ଦେଇ ଦେଶବ୍ୟାପି ଏକ ବାର୍ତ୍ତା ଦେବାକୁ ଦଳ ଉଦ୍ୟମ କରିଛି।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ବିଜେପି ଛାଡି କଂଗ୍ରେସରେ ସାମିଲ ହେବା ପରେ ତାଙ୍କୁ କଂଗ୍ରେସ ଧରୱାଡରୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେଟ୍ଟାର ହାରିଗଲେ।

କିନ୍ତୁ ତା ସତ୍ତ୍ୱେ ମଧ୍ୟ ତାଙ୍କୁ କଂଗ୍ରେସ ବିଧାନ ପରିଷଦରୁ ପ୍ରାର୍ଥୀ କରିବା ସହ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଯାହାକୁ ନେଇ ରାଜନୀତି ଚଳଚଞ୍ଚଳ ହୋଇଛି।

ସେଟ୍ଟାର କର୍ଣ୍ଣାଟକ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ଟାଣୁଆ ନେତା ହୋଇଥିବାରୁ ହାରିବା ପରେ ବି ତାଙ୍କୁ ସମ୍ମାନ ଦିଆଯିବା ଏହି ବର୍ଗକୁ ଦଳ ପ୍ରତି ଆକର୍ଷିତ କରିବ ବୋଲି ଚର୍ଚ୍ଚା ହେଉଛି। ସେପଟେ ସେଟ୍ଟାର ମଧ୍ୟ ଏହାକୁ ବଡ଼ ସମ୍ମାନ ବୋଲି ଗ୍ରହଣ କରିବା ସହ ଦଳର ସମସ୍ତ ଦାୟିତ୍ୱ ସେ କାନ୍ଧକୁ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଅଧିକ ସିଟ ଜିତିବାକୁ ଦଳ ଲକ୍ଷ ରଖିଛି। ତେଣୁ ସେଟ୍ଟାରଙ୍କ ଦବଦବା ଥିବା ଉତ୍ତର କର୍ଣ୍ଣାଟକର ୧୧ ଟି ଲୋକସଭା ସିଟ ମଧ୍ୟରୁ ୬ ରୁ ୭ ଟି ସିଟରେ ଦଳକୁ ନିଶ୍ଚିତ ବିଜୟ ଦେବା ପାଇଁ ସବୁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।

ଏପରିକି ସେଟ୍ଟାରଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ତେଣୁ ଏହି ନିଷ୍ପତ୍ତି ଦଳ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।

ଏପରିକି ଆଗକୁ ସେଟ୍ଟାରଙ୍କୁ କଂଗ୍ରେସ ବିଧାନ ପରିଷଦ ଅଧ୍ୟକ୍ଷ, ଗୃହର ନେତା କିମ୍ବା ମନ୍ତ୍ରୀ କରାଯାଇପାରେ ବୋଲି ଆଲୋଚନା ହେଉଛି। ଏପରିକି ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ଦ୍ୱାରା ଅନ୍ୟ ବିଜେପି ନେତାଙ୍କୁ ଦଳପ୍ରତି ଆକର୍ଷିତ ହେଉଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ରାଜନୀତିର ଏହା ଏକ ରଣନୀତି ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.