Latest Odisha News

BREAKING NEWS

ବିବାଦରେ ରାହୁଲଙ୍କ ବିବାହ ପ୍ରସଙ୍ଗ!

ଭୁବନେଶ୍ୱର: ବିରୋଧୀ ବୈଠକରେ ରାହୁଲଙ୍କ ବିବାହ ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ବିରୋଧୀଙ୍କ ବୈଠକ ପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବିବାହ ପାଇଁ କହିଥିଲେ।

ପାଟନାରେ ବିରୋଧୀ ଦଳଗୁଡ଼ିକର ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲାଲୁ ରାହୁଲ ଗାନ୍ଧିଙ୍କୁ ଦାଢ଼ି କାଟି ବାହା ହୋଇଯିବାକୁ କହିଛନ୍ତି। ରାହୁଲ ବାହା ହେଲେ ଲାଲୁ ବରଯାତ୍ରୀରେ ଯିବା କଥା ମଧ୍ୟ କହିଛନ୍ତି। ଯାହାକି ଦେଶବ୍ୟାପି ଚର୍ଚ୍ଚାର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି।

କିନ୍ତୁ ଲାଲୁ ମଜାଳିଆ ଢଙ୍ଗରେ ଏହାକୁ କହିଥିଲେ ମଧ୍ୟ ବିଜେପି ଏହାକୁ ଏକ ବଡ଼ ରାଜନୈତିକ ପ୍ରସଙ୍ଗ କରିଛି। ବିରୋଧୀ ଦଳଗୁଡିକ ରାହୁଲ ଗାନ୍ଧୀଙ୍କ ବିବାହକୁ ବୈଠକର ପ୍ରମୁଖ ନିଷ୍ପତ୍ତି ଭାବେ ଗ୍ରହଣ କରିଛନ୍ତି ବୋଲି ସୂଚନା ପ୍ରସାରଣ ମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି।

ତେଣୁ ଏହି ବୈଠକକୁ ଡ୍ରାମା ବୋଲି କହିବା ସହ ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏହି ଡ୍ରାମା ଅନୁଷ୍ଠିତ ହୋଇଛି ବୋଲି ସେ କହିଛନ୍ତି।

ବୈଠକର ନିଷ୍କର୍ଷକୁ ନେଇ ତାତ୍ସଲ୍ୟ କରିଛନ୍ତି ଅନୁରାଗ ଠାକୁର। ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆବାହକ ଭାବେ ଗ୍ରହଣଯୋଗ୍ୟ ହୋଇନାହାନ୍ତି। ରାହୁଲ ଗାନ୍ଧୀଙ୍କ ବିବାହ ପ୍ରସ୍ତାବ ବୈଠକରେ ପାସ ହୋଇଛି ବୋଲି ମନ୍ତବ୍ୟ ରଖିଛନ୍ତି ଅନୁରାଗ।

ଏପରିକି ୨୪ ନିର୍ବାଚନ ପୂର୍ବରୁ ପୁଣିଥରେ ରଙ୍ଗମଞ୍ଚ ସଜାହେଉଛି, ନାଟକ ମଣ୍ଡଳୀ ଏକାଠି ହେଉଛନ୍ତି, ନାଟକ ହେବ, ଏକାଠି ହେବାକୁ ପ୍ରତିଶ୍ରୁତି ବି ଦିଆଯିବ, ଲୋକେ ହସିବେ ଏବଂ ପୁଣିଥରେ ମୋଦି ପ୍ରଚଣ୍ଡ ବହୁମତ ପାଇ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସେ କହିଛନ୍ତି।

ତେଣୁ ବିରୋଧୀ ବୈଠକରେ ରାହୁଲଙ୍କ ବିବାହ ପ୍ରସଙ୍ଗ ଓ ବିଜେପିର କଡା ସମାଲୋଚନାକୁ ନେଇ ଏବେ ରାଜନୀତି ଉଷ୍ମ ହେବାରେ ଲାଗିଛି।

Leave A Reply

Your email address will not be published.