Latest Odisha News

କିଏ ହେବେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ? ରେସରେ ତିନି ପ୍ରମୁଖ ଡାକ୍ତର

ନୂଆଦିଲ୍ଲୀ : କିଏ ହେବେ ନୂଆଦିଲ୍ଲୀସ୍ଥିତ ଏମ୍ସର ନିର୍ଦ୍ଦେଶକ ? ମାର୍ଚ୍ଚ ୨୪ରେ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କିନ୍ତୁ କେନ୍ଦ୍ର ସରକାର ଏବେ ଆଉ ତିନି ମାସ ତାଙ୍କର ଚାକିରି ଅବଧି ବଢ଼ାଇଛନ୍ତି। ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏମ୍ସ ଦିଲ୍ଲୀର ନିର୍ଦ୍ଦେଶକ କିଏ ହେବେ ସେ ନେଇ ପ୍ରସ୍ତୁତି ଚଳାଇଛି । ଏହି ନିର୍ଦ୍ଦେଶକ ପଦବୀ ପାଇଁ ୩୨ରୁ ଅଧିକ ଆବେଦନ କରିଥିବା ସୂଚନା ରହିଛି । ଯେଉଁଥିରେ ଏମ୍ସର ୧୩ ଜଣ ଡାକ୍ତରଙ୍କ ସମେତ ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବଙ୍କ ନାଁ ମଧ୍ୟ ରହିଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ ଏମ୍ସ ନିର୍ଦ୍ଦେଶକ ପଦବୀ ସର୍ଚ୍ଚ କମ୍ ସିଲେକ୍ସନ ପ୍ୟାନେଲ ଚୟନ କରିବ । ଏହି ପ୍ୟାନେଲ ଏବେ ତିନି ଜଣ ଡାକ୍ତରଙ୍କ ନାମକୁ ଅନୁମୋଦନ ଦେଇଛି। ଏବେ ଏହାକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ନିକଟକୁ ପଠାଯିବ। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ।

ନିର୍ଦ୍ଦେଶକ ପଦ ପାଇଁ ଯେଉଁ ତିନିଜଣ ଏମ୍ସ ଡାକ୍ତରଙ୍କ ନାମ ଶୀର୍ଷରେ ରହିଛି ସେମାନେ ହେଉଛନ୍ତି ଏମ୍ସ ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡକ୍ଟର ନିଖିଲ ଟଣ୍ଡନ, ଏମ୍ସ ଟ୍ରମା ସେଣ୍ଟରର ମୁଖ୍ୟ ତଥା ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଡାକ୍ତର ରାଜେଶ ମଲହୋତ୍ରା ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ପ୍ରଫେସର ଡାକ୍ତର ପ୍ରମୋଦ ଗର୍ଗ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ଚ୍ଚ କମ ସିଲେକ୍ସନ କମିଟି ଏମ୍ସ ନିର୍ଦ୍ଦେଶକ ପଦବୀ ପାଇଁ ନାମ ଚୟନ କରିବ। ଭୂଷଣଙ୍କ ବ୍ୟତୀତ ଏହି କମିଟିରେ ବାୟୋଟେକ୍ନୋଲୋଜି ବିଭାଗର ସଚିବ ରାଜେଶ ଏସ୍ ଗୋଖଲେ, ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ୍ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଯୋଗେଶ ସିଂହ ସାମିଲ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁଲେରିଆ ୨୦୧୭ ମାର୍ଚ୍ଚ ୨୮ରେ ଏହି ପଦବୀରେ ନିଯୁକ୍ତି ପାଇଥିଲେ। ଏବେ ତାଙ୍କ କାର୍ଯ୍ୟକାଳ ୩ ମାସ ପରେ ଶେଷ ହୋଇଯିବ ।

Leave A Reply

Your email address will not be published.