Latest Odisha News

ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍, ମେ’ ୧୦ରେ ଭୋଟ୍ ଓ ମେ’ ୧୩ରେ ଗଣତି

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ ଆଜି ଉପନିର୍ବାଚନ ନେଇ ତାରିଖ ଘୋଷଣା ସହ ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଛି ଇଲେକସନ୍ ବିଗୁଲ । ଉପ-ନିର୍ବାଚନ ନେଇ ବୁଧବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ସିଇସିଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୩ ତାରିଖରେ ଝାରସୁଗୁଡା ଉପନିର୍ବାଚନ ନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥି ସହିତ ଏହି ଦିନରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ କରାଯିବ। ୨୦ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ଥିବାବେଳେ ୨୪ ଏପ୍ରିଲ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ଏହାପରେ ମେ’ ୧୦ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମେ’ ୧୩ରେ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

ଉଲ୍ଲେଖଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡରେ ପରଲୋକ ପରେ ଝାରସୁଗୁଡା ଆସନ ଫାଙ୍କା ପଡିଛି । 2024 ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଝାରସୁଗୁଡା ଉପ-ନିର୍ବାଚନ ସବୁ ଦଳ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି କହିଲେ ଭୁଲ ହେବ ନାହିଁ । ୨୦୧୯ ନିର୍ବାଚନରେ ବିଜେଡି ଏଠାରେ ବୃହତ ବିଜୟ ହାସଲ କରିଥିଲା ବେଳେ ତାଙ୍କ ଅବର୍ତ୍ତମାନରେ ଝାରସୁଗୁଡାବାସୀ ପୁଣିଥରେ ବିଜେଡିକୁ ହିଁ ଜୟଯୁକ୍ତ କରିବେ ବୋଲି ବିଜେଡି ନେତା ଦମ୍ଭୋକ୍ତି ପ୍ରକାଶ କରିଥିବାବେଳେ ଅନ୍ୟ ଦୁଇ ପ୍ରମୂଖ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଶାସକ ଦଳକୁ ଟକ୍କର ଦେବା ପାଇଁ ଋଣନୀତି ପ୍ରସ୍ତୁତିରେ ଲାଗିଥିବା ଜଣାପଡ଼ିଛି।

ଝାରସୁଗୁଡ଼ା, କିରିମିରା, ଲଇକେରା, କୋଲାବିରା ବ୍ଲକକୁ ନେଇ ଗଠିତ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୯୭ହଜାରରୁ ଅଧିକ ଭୋଟର ରହିଛନ୍ତି । ଦିବଂଗତ ନବକିଶୋର ଦାସ ଏହି ଆସନରୁ ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନ କଥା ଯଦି ଦେଖିବା ତାହେଲେ, ସ୍ୱର୍ଗତ ନବ କିଶୋର ଦାସ, ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ଯଦିଓ ବିଜେଡିରୁ ଦିବଂଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ବିଜେପିରୁ ଟଙ୍କଧର ତ୍ରୀପାଠୀ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଛି ତେବେ ବିଜେଡି, ବିଜେପି ଓ କଂଗ୍ରେସ କାହାକୁ ଦଳୀୟ ଟିକେଟ ଦେବେ, ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.