Latest Odisha News

ନିର୍ବାଚନ ବେଳେ ବିଜେପିର ମନ୍ତବ୍ୟକୁ ମହିଳା ବିରୋଧୀ କହିଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ଯେଉଁଭଳି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜେପି ସମାଲୋଚନା କରୁଛି ତାହା ସମାନ ଭାବରେ ବି‌ଜେପି ନେତାମାନେ ପଦମପୁର ଉପନିର୍ବାଚନ ବେଳେ ଏବେର ବିଧାୟକ ତଥା ବିଜେଡିର ମହିଳା ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ ଅତ୍ୟନ୍ତ ତଳ ସ୍ତରକୁ ଯାଇ କୁତ୍ସା ରଟନା କରିବାକୁ ପଛାଇ ନ ଥିଲେ ବୋଲି ବିଜେଡି କହିଛି। ବିଜେପି ଏଭଳି ନକରୁ ବୋଲି ବିଜୁ ଜନତା ଦଳ କହିଛି।

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ଯେ‌ତେବେ‌ଳେ ପଦ୍ମପୁରର ଲୋକପ୍ରିୟ ବିଧାୟକ ବିଜୟ ରଂଜନ ସିଂ ବରିହା ପ୍ରାଣ ହରାଇଲେ, ପଦ୍ମପୁରବାସୀ ଚାହିଁଲେ ତାଙ୍କ ଝିଅ ବର୍ଷା ସିଂ ବରିହା ରାଜନୀତିରେ ପ୍ରବେଶ କରନ୍ତୁ ଏବଂ ପଦ୍ମପୁର ପାଇଁ ତାଙ୍କ ବାପା ଦେଖିଥିବା ସ୍ୱପ୍ନକୁ ପୂରଣ କରନ୍ତୁ । ଆଉ ପଦ୍ମପୁରରେ ଉପନିର୍ବାଚନ ଘୋଷଣା ହେବା ପରେ ବର୍ଷା ରାଜନୀତିରେ ପ୍ରବେଶ କରି ଲୋକଙ୍କ ସେବା କରିବାକୁ ସ୍ଥିର କଲେ ।

ମାତ୍ର ଓଡ଼ିଶା ବିଜେପିର ନେତାମାନେ ବର୍ଷାଙ୍କୁ ରାଜନୈତିକ ଭାବେ ସମାଲୋଚନା କରିବା ପରିବର୍ତ୍ତେ ବ୍ୟକ୍ତିଗତ ସ୍ତର‌କୁ ଯାଇ ତାଙ୍କୁ କଟୁ ଆକ୍ଷେପ ଓ ଆକ୍ରମଣ କଲେ । ତାଙ୍କ ବିରୋଧରେ ଅତ୍ୟନ୍ତ ନିମ୍ନ ରୁଚିର ଅଶାଳୀନ ଶବ୍ଦ ବ୍ୟବହାର କଲେ, ଯାହାକି ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନୁହେଁ । କେବଳ ସେତିକି ନୁହେଁ, ତାଙ୍କୁ ଟାର୍ଗେଟ କରି ସେମାନେ ଏମିତି କିଛି ମହିଳା ବିରୋଧୀ ମନ୍ତବ୍ୟ ମଧ୍ୟ ଦେଲେ, ଯାହାକି ଅଧିକ ଯନ୍ତ୍ରଣାଦାୟକ ଥିଲା ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତଙ୍କ ଭଳି ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ତଳ ସ୍ତରକୁ ଯାଇ ଏଭଳି ମନ୍ତବ୍ୟ ଦେଉଥିଲେ । ସ୍ୱାଭାବିକ ଭାବେ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଏଭଳି କହିବାକୁ ସେମାନଙ୍କୁ ଉସୁକାଉଥିଲେ । ସେମାନଙ୍କର ଏଭଳି ଆଚରଣ ଓ ଉଚ୍ଚାରଣ ବ୍ୟକ୍ତିଗତ ଭାବେ ବର୍ଷା ଏବଂ ତାଙ୍କ ପରିବାର ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା । ଆମେ କେହି ବିଶ୍ୱାସ କରିପାରୁ ନ ଥିଲୁ ଯେ ଓଡ଼ିଶା ବିଜେପିର ନେତାମାନେ ଏତେ ତଳ ସ୍ତରକୁ ଖସି ଯାଇ ପାରନ୍ତି । ମାତ୍ର ନିର୍ବାଚନରେ ଲଢ଼େଇ ପାଇଁ ଏହା ବର୍ଷାଙ୍କୁ ଅଧିକ ସଶକ୍ତ କରିଥିଲା  ବୋଲି ଶ୍ରୀମୟୀ କହିଛନ୍ତି।

ଶ୍ରୀମତୀ ମିଶ୍ର ଆହୁରି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନରେ କରିଥିବା ତ୍ରୁଟିରୁ ବିଜେପି ନେତାମାନେ କିଛି ଶିକ୍ଷା ଲାଭ କରିପାରିଲେନି । ଏବେ ପ୍ରଦୀପ ପୁରୋହିତଙ୍କ ଭଳି ବିଜେପି ନେତାମାନେ ଝାରସୁଗୁଡ଼ାରେ ଉପନିର୍ବାଚନ ଲଢ଼ୁଥିବା ଦୀପାଳି ଦାସଙ୍କ ବିରୋଧରେ ଅନୁରୂପ ଭାବେ ବ୍ୟକ୍ତିଗତ ଆକ୍ଷେପମୂଳକ ଏବଂ ବିଦ୍ୱେଷପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି ସେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.