Latest Odisha News

BREAKING NEWS

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: କ’ଣ ପାଇଁ ଚର୍ଚ୍ଚାରେ ଏହି ଲଦାଖି ସାଂସଦ ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ମଙ୍ଗଳବାର ଦିନ ଗୃହୀତ ହେଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲଟିକୁ ସକାଳେ ଗୃହରେ ଆଗତ କରିବାପରେ ଆରମ୍ଭ ହୋଇଥିଲା ଧାରା ୩୭୦କୁ ନେଇ ଗରମାଗରମ ଆଲୋଚନା । ଆଲୋଚନାରେ ଭାଗନେଇ କିଛି ମିନିଟ ମଧ୍ୟରେ ସମଗ୍ର ଦେଶରେ ଚର୍ଚ୍ଚିତ ହୋଇପଡ଼ିଛନ୍ତି ଲଦାଖର ଯୁବ ବିଜେପି ସାଂସଦ ଜାମୟାଂଗ ସୋରିଙ୍ଗ ନାମଗ୍ୟାଲ ।

କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦକୁ ନେଇ ଉଭୟ ରାଜ୍ୟସଭା ଓ ଲୋକସଭାରେ କଂଗ୍ରେସ କଡ଼ା ବିରୋଧ କରିଛି ।

ଲୋକସଭାରେ ଏହି ଆଲୋଚନା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ ସୁଧୀର ରଞ୍ଜନ ଚୌଧୁରୀ କହିଥିଲେ, ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ କେନ୍ଦ୍ର ସରକାର ଉଠାଇ ପାରିବେ ନାହିଁ । ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି ସେ କହିଥିଲେ । ତେବେ ଏହାର ଦୃଢ ଜବାବ ଦେଇଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ଲଦାଖର ସାଂସଦ ଜାମୟାଂଗ ସୋରିଙ୍ଗ ।

ସାଂସଦ ସୋରିଙ୍ଗ କହିଥିଲେ, ଯାହା ନେହେରୁ କରି ପାରିନଥିଲେ ତାହାକୁ କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଧାରା ୩୭୦ ଉଚ୍ଛେଦକୁ ନେଇ ସମଗ୍ର ଲଦାଖବାସୀ ବେଶ୍ ଖୁସି ଅଛନ୍ତି । ଏହି ଐତିହାସିକ ନିଷ୍ପତ୍ତି ଫଳରେ ଲଦାଖବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ଲଦାଖବାସୀ କାଶ୍ମୀର ସହିତ ରହିବାକୁ ଚାହୁଁ ନଥିଲେ । ଭାରତ ସହିତ ରହିବା ସହିତ ଏହାର ବିକାଶ ତ୍ୱରାନ୍ୱିତ ହୋଇପାରିବ । ଲଦାଖର ଜନସାଧାରଣ ଲଦାଖ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ସ୍ୱୀକୃତି ପାଉ ବୋଲି ଚାହୁଁଥିଲେ, ଲଦାଖବାସୀଙ୍କ ସେହି ସ୍ୱପ୍ନ ଆଜି ପୂରଣ ହୋଇଛି । କଂଗ୍ରେସ ସାଂସଦ ସୁଧୀର ରଞ୍ଜନଙ୍କୁ ଉଚିତ୍ ଜବାବ ଦେଇ ସେ କହିଥିଲେ, ଲଦାଖରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ବହୁ ପୂର୍ବରୁ ଅନୁରୋଧ କରାଯାଇଥିଲା । ତାହା ଏବେ ପୂରଣ ହୋଇଛି ।

ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ଲୋକ ଏବେ ଭାବୁଛନ୍ତି ଯେ, ସେମାନେ ଆଉ ସେମାନଙ୍କ ପତାକା ହଲାଇ ପାରିବେ ନାହିଁ । ଏବେ ଭାରତ ପତାକା ଉଡ଼ିବ । ଦୀର୍ଘ ୭୧ ବର୍ଷ ଆମକଥା କେହି ଶୁଣିନଥିଲେ । ଆମେ ମୂଳରୁ ହିଁ କହିଥିଲୁ ଯେ, ଆମକୁ ଜମ୍ମୁ ଓ କାଶ୍ମୀର ସହିତ ରଖାନଯାଉ । ଆମ କଥା ସେତେବେଳ କେହି ହେଲେ ଶୁଣିନଥିଲେ ।

ଯୁବ ସାଂସଦ ଜାମୟାଂଗ ସୋରିଙ୍ଗଙ୍କର ଓଜସ୍ୱୀନୀ ଭାଷଣ ସମସ୍ତଙ୍କୁ ଚକିତ କରିଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଲଦାଖି ସାଂସଦଙ୍କୁ ଟ୍ୱିଟ୍ ମାଧ୍ୟମରେ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.