Latest Odisha News

BREAKING NEWS

କଳାହାଣ୍ଡି ଜିଲ୍ଲା, ଗଡ଼ଜାତ ରାଜ୍ୟରୁ ୭ ଦଶନ୍ଧିର ଯାତ୍ରା

କଳାହାଣ୍ଡି: ଗଡ଼ଜାତ ରାଜ୍ୟରୁ ଜିଲ୍ଲା । ଦେଶ ସ୍ୱାଧୀନ ପରେ ବି ଏଠି ଚାଲୁଥିଲା ରାଜାଙ୍କ ରାଜୁତି । ବିଭବରେ ଭରା ଓଡ଼ିଶା ଭୂ-ଖଣ୍ଡର ଏ ଜିଲ୍ଲା ହେଉଛି ଆଜିର କଳାହାଣ୍ଡି । ଦେଶ ସ୍ୱାଧୀନ ପୂର୍ବରୁ କଳାହାଣ୍ଡି ଗଡ଼ଜାତର ରହିଥିଲା ନିଜସ୍ୱ ବିଧାନସଭା । ୧୯୪୭ ଡିସେମ୍ବର ୩୧ରେ କଳାହାଣ୍ଡି ଗଡ଼ଜାତ ଓଡ଼ିଶା ରାଜ୍ୟ ସହ ମିଶିଥିଲା । ସେତେବେଳେ କଳାହାଣ୍ଡି ଥିଲା ବଲାଙ୍ଗିର-ପାଟଣା ଜିଲ୍ଲାର ଅଂଶ । ୧୯୪୯ ନଭେମ୍ବର ୧ରେ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାକୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ଭାବେ ଘୋଷଣା କରିଥିଲେ । ଆଜି କଳାହାଣ୍ଡି ୭୪ ତମ ଜିଲ୍ଲା ଗଠନ ଦିବସ ପାଳିଛି ।

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପୀଠରୁ ଏକ ମଶାଲ ଶୋଭାଯାତ୍ରା ଟାଉନ୍ ହଲ୍ ପର୍ଯ୍ୟନ୍ତ ଆସିଥିଲା । ଦିନେ ଭୋକର ଭୂଗୋଳ ପରିଚୟ ପାଇଥିବା କଳାହାଣ୍ଡି ଏବେ ବିକାଶର ପଥର ଯାତ୍ରୀ । ୭ ଦଶନ୍ଧି ଭିତରେ ଜିଲ୍ଲାର ରୂପରେଖରେ ଅନେକ ପରିବର୍ତ୍ତନ ଆସିଛି । ରାଜରାଜୁଡ଼ା ଶାସନର ଗଡ଼ଜାତ ରାଜ୍ୟରୁ ଆଜିର କଳାହାଣ୍ଡିର ଲୋକ କଳା ଓଡ଼ିଆ ପରମ୍ପରାକୁ ଋଦ୍ଧିମନ୍ତ କରିଛି ।

ସ୍ୱାଧୀନତା ପୂର୍ବରୁ କାରୁଣ୍ଡ ନାଁରେ ନାମିତ ଥିଲା କଳାହାଣ୍ଡି । ସ୍ୱାଧୀନତା ପରେ ଶେଷ ନାଗବଂଶୀୟ ରାଜା ପ୍ରତାପ କେଶରୀ ଦେଓ ଗଡ଼ଜାତ ଚୁକ୍ତିନାମା ଅନୁସାରେ କଳାହାଣ୍ଡିକୁ ଓଡ଼ିଶା ସହ ମିଶ୍ରଣ କରିଥିଲେ । ୧୯୪୯ ନଭେମ୍ବର ପହିଲାରେ ଭବାନୀପାଟଣା ଓ ଧର୍ମଗଡ଼ ଉପଖଣ୍ଡ ସହ ସମ୍ବଲପୁର ଜିଲ୍ଲାରୁ ନୂଆପଡ଼ା ଉପଖଣ୍ଡ ନେଇ କଳାହାଣ୍ଡିକୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ଘୋଷଣା କରାଯାଇ ଥିଲା ।

Leave A Reply

Your email address will not be published.